ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ମକର ମେଳା
ହାଟଡିହି, (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲାର ଲୋକମାନେ ମକରକୁ ଗଣପର୍ବ ଭାବେ ପାଳନ କରିଥାନ୍ତି । ଏଥିପାଇଁ ଗାଁ ଠା ରୁ ସହର ଏବଂ ଆଦିବାସୀ ଅଞ୍ଚଳଗୁଡିକ ଉତ୍ସବମୁଖର ହେବା ସହ ଲୋକ ମାନେ ନାଚ ଗୀତରେ ଝୁମି ଥାନ୍ତି । ତାଛଡା ବ୍ଲକର ବିଭିନ୍ନ ସ୍ଥାନରେ ମକର ମେଳା ଆୟୋଜିତ ହୋଇଥାଏ | ମକର ପାଇଁ ମା’ ଗଡଚଣ୍ଡୀ ପୀଠରେ ହଜାର ହଜାର ଭ କ୍ତଙ୍କ ସମାଗମ ହେଉଛି। ମା ‘ଗଡଚଣ୍ଡୀ ମନ୍ଦିରରେ ୩ ଦିନ ଧରି ଯଜ୍ଞ ଆୟୋଜିତ ହେଉଛି। ଶୁକ୍ରବାର ପୂର୍ଣାହୁତି ହେବାକୁ ପୂବାବେଳେ ପଣ୍ଡିତ ସୁରେନ୍ଦ୍ର ଦାଶ, ନରେନ୍ଦ୍ର ଦାଶ, ଉପେନ୍ଦ୍ର ଦାଶ, ଅକ୍ଷୟ କୁମାର ପଣ୍ଡା, ଚକ୍ରଧରପଣ୍ଡା, ଜିତେନ୍ଦ୍ର ଦାଶ, ବିଶ୍ବଜିତ ଦାଶ ପୂଜାର୍ଚ୍ଚନା କରିଥିବାବେଳେ ମଧୁସୂଧନ ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ସାମିଲ ହୋଇଛନ୍ତି। କମିଟି ସଭାପତି ଅଲେଖ ଚନ୍ଦ୍ର ପାତ୍ର, ସମ୍ପାଦକ ଅଲେଖ ଚନ୍ଦ୍ର ମଲ୍ଲିକ, ନାରାୟଣ ବେହେରା, ଅଲେଖ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଶାସଙ୍ଗ ହାଇସ୍କୁଲ ଓ ଶ୍ରୀ ଅରବିନ୍ଦ ବିଦ୍ୟାଳୟ ସଢା ପକ୍ଷରୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ବିଭିନ୍ନ ଦୋକାନ ବଜାର ଓ ଆଲୋକ ସଜ୍ଜା ଲୋକଙ୍କୁ ଆକୃଷ୍ଟ କରିଛି। ମନ୍ଦିର କମିଟି ଦ୍ବାରା ଏହା ପରିଚାଳିତ ହେଉଥିବା ବେଳେ ସୋସୋ ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଉପସ୍ଥିତ ରହିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଜେପି ନେତା ଜ୍ଞାନରଞ୍ଜନ ସାମନ୍ତ ସିଂହାର ପ୍ରମୁଖ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମା’ ଗଡଚଣ୍ଡୀଙ୍କ ପୀଠକୁ ଯାଇ ଆଶୀର୍ବାଦ ନେଇଥିଲେ । ସେହିପରି ପଢିଆରିପଲ୍ଲୀ ସିଦ୍ଧ ମଠରେ ମକର ମେଳା ଅନୁଷ୍ଠିତ ହୋଇଛି। ରାମ, ଲକ୍ଷଣ ଓ ସୀତାଙ୍କ ପ୍ରତିମୂର୍ତ୍ତି କରାଯାଇ ପୂଜାପାଠ କରାଯିବା ସହିତ ରାମାୟଣ ପାରାୟଣ କରାଯାଇଛି। ଏହା ତିନିଦିନ ଧରି ଅନୁଷ୍ଠିତ ହେବ। ଗୋବର୍ଦ୍ଧନ ପର୍ବତରେ ସିଦ୍ଧ ଗୁମ୍ଫା ରହିଛି। ବଡ ବଡ ପଥର ଖଣ୍ଡ ଖଞ୍ଜା ହୋଇ ରହିଥିବାରୁ ପ୍ରକୃତିର ସୌନ୍ଦର୍ଯ୍ୟ କୁ ଲୋକେ ଉପଭୋଗ କରିଥାନ୍ତି । କିମ୍ବଦନ୍ତୀରୁ ଜଣାଯାଏ ସେଠାରେ ଥିବା କଂସାର କବାଟ ପଥର ପାଲଟି ଯାଇଛି। ଏବେବି ସେହି ପଥରକୁ ପିଟିଲେ କଂସାର ଶବ୍ଦ ଶୁଣାଯାଏ ବୋଲି କୁହାଯାଏ। ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବୃନ୍ଦାବନ ରାଉତ, ପୂର୍ଣ ଚନ୍ଦ୍ର ପାତ୍ର, ମାର୍କଣ୍ଡ ସାହୁ, ପ୍ରମୋଦ ରାଉତ, ସରପଞ୍ଚ ଅଜିତ ରାଉତଙ୍କ ସହ କମିଟିର ବହୁ ସଦସ୍ୟ ଓ ଗ୍ରାମବାସୀ ଉତ୍ସବ ପରିଚାଳନା କରୁଛନ୍ତି। ସେହିପରି ସମଣା, ଆମ୍ବୋ, ଧନୁର୍ଜୟପୁର ପଞ୍ଚାୟତର କୁଶଟିକିରି, ଛେନାପଦି ଗ୍ରାମର ବଉଳା ପାହାଡ଼ ପାଦଦେଶରେ ଥିବା ବାବା ବନେଶ୍ୱର ପୀଠରେ ମକର ମେଳା ପାଳିତ ହୋଇଛି। ମେଳା ସ୍ଥାନରେ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଛି।


