କଟକ ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଫେରାର ଘଟଣା: ଜେଲ ସୁପରିଟେଣ୍ଡଙ୍କ ବିରୋଧରେ ଥାନାରେ ଏତଲା
କଟକ (ଓ୍ବାଇଏନଏସ): ନୂଆ ମୋଡ଼ ନେଲା କଟକ ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଫେରାର ଘଟଣା । ଜେଲ୍ ସୁପରିଟେଣ୍ଡଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ଜେଲର । ଚୌଦ୍ୱାର ସର୍କଲ ଜେଲ୍ ସିନିୟର୍ ସୁପରିଟେଣ୍ଡ ସୁଜିତ କୁମାର ରାଉଳଙ୍କ ବିରୋଧରେ ଚୌଦ୍ୱାର ଥାନାରେ ମାମଲା । ପୂର୍ବତନ ଜେଲର ସନ୍ତୋଷିନୀ ଦାସ ସୁଜିତଙ୍କ ବିରୋଧରେ ନିଜ ପଦବୀର ଅପବ୍ୟବହାର, ଦସ୍ତଖତ ଜାଲିଆତି, ଅଫିସ ରେକର୍ଡ ହେରଫେର ଭଳି ସଙ୍ଗୀନ ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ୪ ଜାନୁଆରୀ ୨୦୨୫ରେ ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଦୋକାନ ଲୁଟ ଉଦ୍ୟମ ସମୟରେ ବିହାରର ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ନାମକ ଦୁଇ ଜଣ ଅପରାଧୀ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କ ଲୁଟ ଉଦ୍ୟମକୁ ବିଫଳ କରିଥିଲେ ସ୍ଥାନୀୟ ଲୋକେ । ହେଲେ ଲୋକଙ୍କ ଭିଡ଼ରୁ ବର୍ତ୍ତିବା ପାଇଁ ଏହି ଦୁଇ ଅପରାଧୀ ଗୁଳି ଚଳାଇ ଦୁଇ ଜଣ ନୀରିହ ଲୋକଙ୍କୁ ହତ୍ୟା କରିଥିଲେ । ଯେଉଁଥିରେ ନୀଳମାଧବ ପଣ୍ଡା ଓ ଅନିଲ ରାୟ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଅପରାଧୀଙ୍କୁ ଗିରଫ କରି ଚୌଦ୍ବାର ଜେଲକୁ ପଠାଇଥିଲା । କିନ୍ତୁ ଘଟଣାର ୯ ମାସ ପରେ ଅର୍ଥାତ୍ ଗତ ଅକ୍ଟୋବର ୩ ତାରିଖରେ ରାଜା ଏବଂ ମଧୁକାନ୍ତ ଜେଲରୁ ଚମ୍ପଟ ମାରିଥିଲେ । ଯାହାଙ୍କ ଏବେବି କୌଣସି ଟେର୍ ପାଉନି ପୋଲିସ । ଏହି ଘଟଣାକୁ ନେଇ ଗତକାଲି (ଶନିବାର) ଜେଲ ସିନିୟର୍ ସୁପରିଟେଣ୍ଟ ସୁଜିତ୍ କୁମାର ରାଉଳଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚୌଦ୍ବାର ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାସ । ଦସ୍ତଖତ ଜାଲିଆତି, ଅଫିସ ରେକର୍ଡ ହେରଫେର ଅଭିଯୋଗ ଆଣି ଚୌଦ୍ବାର ଥାନାରେ ଏତଲା ଦେଇଛନ୍ତି ସନ୍ତୋଷିନୀ । ଅଭିଯୋଗ ମୁତାବକ ଅକ୍ଟୋବର ୨ ଦିନ ସୁପରିଟେଣ୍ଟ ଜେଲକୁ ସକାଳେ ଏକ ଘଣ୍ଟା ପାଇଁ ଆସି ପଳାଇ ଯାଇଥିଲେ, ଯାହାକି ସିସିଟିଭିରେ କଏଦ ହୋଇଛି । ମାତ୍ର ଅଫିସ୍ ରେକର୍ଡ଼ ଅନୁସାରେ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜେଲରେ ରହିଥିଲେ ବୋଲି ଦର୍ଶାଯାଇଛି । ଚମ୍ପଟ ମାରିବାର ଘଟଣା ତଦନ୍ତ ହେଲା ପରେ ସୁପରିଟେଡେଣ୍ଟ ଜେଲରଙ୍କ ଜାଲ୍ ଦସ୍ତଖତ କରି ଜେଲରଙ୍କ ପରାମର୍ଶରେ ଛୁଟି ନେଇ ଖୋର୍ଦ୍ଧା ଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ ସନ୍ତୋଷିନୀଙ୍କ କହିବା ମୁତାବକ ଯେ, ଯଦି ଜଣେ ଲୋକ ସିସିଟିଭି ଫୁଟେଜ୍ ମୁତାବକ ଜେଲରେ ୧ ଘଣ୍ଟା ରହିଥିଲେ । ପରେ ତଦନ୍ତ ବେଳେ ଖୋର୍ଦ୍ଧା ଯାଇଥିଲେ, ତେବେ କିପରି ଭାବରେ ଅଫିସ ଗେଟ ଇନ୍ ଆଉଟ୍ ରେଜିଷ୍ଟରରେ ସନ୍ଧ୍ୟା ପର୍ଯ୍ୟନ୍ତ ଜେଲରେ ଥିଲେ ? ଏହାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚୌଦ୍ବାର ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଉଭୟ ସୁପରିଟେଣ୍ଡେଣ୍ଟ ଓ ଅଭିଯୋଗକାରିଣୀ ପୂର୍ବତନ ଜେଲରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।


