୧୩ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୨୪୬୬ ପରୀକ୍ଷାର୍ଥୀ
ହାଟଡିହି, (ଓ୍ବାଇଏନଏସ) : ଆସନ୍ତା ୧୯ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ମାର୍ଚ୍ଚ ୨ତାରିଖ ଯାଏ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ମୋଟ୍ ୧୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମୁଦାୟ ୨ହଜାର ୪୬୬ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ପରୀକ୍ଷାକୁ କପିମୁକ୍ତ, ଶୃଙ୍ଖଳିତ ପରିଚାଳନା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛି | ସମସ୍ତ ପରୀକ୍ଷା କେନ୍ଦ୍ରରେ ସି ସି କ୍ୟାମେରା ଲଗା ଯାଇଛି। ଯେଉଁଠି ଖରାପ ଥିଲା କିମ୍ବା ଲାଗି ନଥିଲା ସେ ସବୁ କେନ୍ଦ୍ରରେ ସିସ୍କୁଲ ତରଫରୁ ସିସି କ୍ୟାମେରା ଲଗା ଯାଉଥିବା ଜଣା ଯାଇଛି। ଏଥିପାଇଁ ହାଟଡିହି ହାଇସ୍କୁଲକୁ ନୋଡାଲ ସେଣ୍ଟର ଭାବେ ସ୍ଥିରୀକୃତ କରାଯାଇଛି। ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ ମୁତାବକ କପିଳେଶ୍ୱର ହାଇସ୍କୁଲ କଳିଗାଁରେ ୧୭୫, ଟି.ଏମ ଏକାଦେମୀ ଡଅଁରରେ ୨୪୭, ଆର.ବି ହାଇସ୍କୁଲ ଷଡଙ୍ଗରେ ୧୯୭, ବରାହି ହାଇସ୍କୁଲ ବଞ୍ଚୋରେ ୧୮୯, ମୁଗୁପୁର ହାଇସ୍କୁଲରେ ୧୨୩, ଜପିଦାସ ହାଇସ୍କୁଲ ବଡ଼ରମ୍ପାସରେ ୧୫୯, ବି.କେ ହାଇସ୍କୁଲ ସୋସୋ କାନପୁରରେ ୧୩୩, ବାଲିବରେଇ ହାଇସ୍କୁଲରେ ୨୩୫. ବି.ପି ହାଇସ୍କୁଲ ବାଙ୍ଗୋରରେ ୧୯୬, ସରକାରୀ ହାଇସ୍କୁଲ ହାଟଡିହିରେ ୨୯୪, ଢେଙ୍କା ହାଇସ୍କୁଲରେ ୧୯୪, ପଞ୍ଚାୟତ ହାଇସ୍କୁଲ ମରେଇଗାଁରେ ୧୨୦, ଏମ.ସି ବିଦ୍ୟାପୀଠ ନଡ଼ିପଦାହାଟ ରେ ୨୦୪ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ମୋଟ ୪୭ ଟି ହାଇ ସ୍କୁଲର ୨୪୬୬ଜଣ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଜି.ସି ଗାର୍ଲସ ହାଇସ୍କୁଲ ଓରାଳି ପରୀକ୍ଷା କେନ୍ଦ୍ରରେ ସଂସ୍କୃତ ମଧ୍ୟମାର ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ଏଠାରେ ୫୫ ଜଣ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ଗତବର୍ଷ ୨୩୦୨ ପରୀକ୍ଷାର୍ଥି ପରୀକ୍ଷା ଦେବାପାଇଁ ନାମ ପଞ୍ଜିକୃତ କରିଥିବା ବେଳେ ୧୨୭ଜଣ ଅନୁପସ୍ଥିତ ରହିବା ଘଟଣା ଚିନ୍ତାର ବିଷୟ ପାଲଟିଥିଲା। ଏତେ ସଂଖ୍ୟକ ଛାତ୍ରଛାତ୍ରୀ କାହିଁକି ଅନୁପସ୍ଥିତ ରହିଲେ ତାହାର ତର୍ଜମା କରାଯିବା ପାଇଁ ଶିକ୍ଷା ବିଭାଗ ନିର୍ଦେଶ ଦେଇଥିଲା। ବିଶେଷ କରି କିଛି ଛାତ୍ର ଫର୍ମ ପୂରଣ ପରେ ରୋଜଗାର ଉଦ୍ଦେଶ୍ୟରେ ବାହାର ରାଜ୍ୟ ଦାଦନ ଖଟିବାକୁ ଚାଲି ଯାଉଥିବା ବେଳେ କିଛି ଛାତ୍ରୀମାନେ ବାହା ହେଇଯାଇଥିବା ଜଣା ପଡିଥିଲା। ପ୍ରତିବର୍ଷ ପରୀକ୍ଷାରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ପରୋକ୍ଷରେ ଜିଲ୍ଲାରେ ଦାଦନ ସମସ୍ୟା ଓ ବାଲ୍ୟ ବିବାହ ପ୍ରସଙ୍ଗକୁ ପଦାରେ ପକାଉଛି। ତେଣୁ ପ୍ରଶାସନ ଶତପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଦିଗରେ ଠୋସ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


