ସରକାରୀ ନିୟମକୁ ମାନୁ ନାହାନ୍ତି ଠିକାଦାର, ପ୍ରଚଣ୍ଡ ଖରାରେ ଚାଲିଛି ନିର୍ମାଣ କାର୍ଯ୍ୟ
ନାଉଗାଁ, (ଓ୍ବାଇଏନଏସ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁ ଗୁଳି ଲାଗି ରହିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରମିକମାନଙ୍କୁ କାର୍ଯ୍ୟ କରିବା ପାଇଁ ସମୟ ନିର୍ଘଂଟ କରିବା ସହିତ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଶ୍ରମିକମାନେ ଖରାରେ କାର୍ଯ୍ୟ କଲେ ଅଂଶୁଘାତର ଶିକାର ହୋଇପାରନ୍ତି। ଅଂଶୁଘାତକୁ ଦୃଷ୍ଟିରେ ରଖି ୧ ଅପ୍ରେଲ ରୁ ୧୫ ଜୁନ ପର୍ଯ୍ୟନ୍ତ ପ୍ରତ୍ୟେହ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପ ଓ ଅଂଶୁଘାତରୁ ରକ୍ଷା ପାଇବା ପାଇଁ କାର୍ଯ୍ୟ ବନ୍ଦ ରହିବ। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ବିହିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ ରାଜସ୍ୱ କମିଶନର ,ଜିଲାପାଳ ଓ ରାଜ୍ୟ ଶ୍ରମ କମିଶନରକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏତଦ୍ବ୍ୟତିତ ଓଡିଶା ସରକାରଙ୍କ ସମସ୍ତ ବିଭାଗ ବେସରକାରୀ ନିଯୁକ୍ତିଦାତା,ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା,ଦୋକାନ ଓ ବ୍ୟବସାୟୀ ପ୍ରତିଷ୍ଠାନର ମାଲିକ ଓ ଠିକାଦାରମାନଙ୍କୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ନିର୍ଦ୍ଦେଶ ଜାରୀ ରହିବା ସତ୍ୱେ ଠିକାଦାରମାନେ ଧୁ ଧୁ ଖରାରେ ଶ୍ରମିକମାନଙ୍କୁ ନିର୍ମାଣ କାର୍ଯ୍ୟରେ ଲଗାଉଥିବା ଦେଖାଯାଇଛି। ଯାହାର ଉଦାହରଣ ହେଉଛି ନାଉଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଗ୍ରାମରୁ କାଳିଓକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାର୍ଯ୍ୟ। ଏହି ରାସ୍ତାର ଚକୁଳିପଡା ନିକଟରେ ରାସ୍ତା ପାଶ୍ୱର୍ରେ ଗାର୍ଡୱାଲ ନିର୍ମାଣ କରାଯାଉଛି। ସଂପୃକ୍ତ ଠିକାଦାର ଗ୍ରଷ୍ମ ପ୍ରବାହ ଜାରି ରହିଥିବା ବେଳେ ମଧ୍ୟାହ୍ନ ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଯଦି କୌଣସି ଶ୍ରମିକ ଅଂଶୁଘାତରେ ଶିକାର ହୁଅନ୍ତି କିମ୍ବା କୌଣସି ଅଘଟଣ ଘଟେ ତେବେ ଏଥିପାଇଁ ଉତରଦାୟୀ କିଏ ରହିବେ ବୋଲି ପ୍ରଶ୍ନ ଉଠିଛି। ସେହିପରି ମଙ୍ଗଳବାର ପଣା ସଂକ୍ରାନ୍ତି ପାଇଁ ଛୁଟିଦିନ ଥିବା ବେଳେ ସଂପୃକ୍ତ ଠିକାଦାର ଜଙ୍କ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କାର୍ଯ୍ୟରେ ସିମେଂଟ,ଗୋଡି,ବାଲି ମିଶ୍ରଣ ହୋଇ ପଡିବା ସ୍ଥାନରେ ଭାଇବ୍ରେଟର ବ୍ୟବହାର ଫଳରେ କଂକ୍ରିଟ କମ୍ପନ କରିବା ଦ୍ୱାରା ବାୟୁ ବୁଦବୁଦ ଏବଂ ଶୂନ୍ୟସ୍ଥାନ ଦୂର ହେବ। କିନ୍ତୁ ଏଠାରେ ମେସିନ ବ୍ୟବହାର କରା ନଯାଇ ନାମକୁ ମାତ୍ର କରଣି ସାହାଯ୍ୟରେ ଚପା ଯାଇଛି। ଯାହାକି ତାହା ଅଳ୍ପ ଦିନ ମଧ୍ୟରେ ଖଣ୍ଡ ଖଣ୍ଡ ହୋଇ ଗଳିପଡିବାର ସମ୍ଭାବନା ମଧ୍ୟ ରହିଛି। ଫଳରେ ଗାର୍ଡୱାଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବିଷୟରେ ବିଭାଗର ସହକାରୀ ଯନ୍ତ୍ରୀ ସଂଜୟ କୁମାର ସ୍ୱାଇଁଙ୍କୁ ପଚାରିବାରେ ଛୁଟି ଦିନ ଥିବାରୁ ସେ କାର୍ଯ୍ୟସ୍ଥଳକୁ ଯାଇ ନାହିଁ। କ’ଣ ହୋଇଛି ଘଟଣାସ୍ଥଳକୁ ଯାଇ ଦେଖିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।


