ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଓ ଶ୍ରୀବିଗ୍ରହ ମାନଙ୍କ ଚାଚେରୀ ବେଶ

ସନ୍ତୋଷ କୁମାର ଦାଶ
ପ୍ରତିବର୍ଷ ଫାଲଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳ ଉତ୍ସବ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ଏହା ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଅଟେ।ଫାଲଗୁନ ମାସରେ ଭଗବାନ ବିଷ୍ଣୁ ଶ୍ରୀଗୋବିନ୍ଦ ରୂପରେ ଆରାଧିତ ହୋଇଥାନ୍ତି। ଏହି ମାସରେ ବସନ୍ତ ରାସ ବା ବସନ୍ତ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାରେ ଏହା ଦୋଳୋତ୍ସବ ରୂପେ ପ୍ରସିଦ୍ଧ। ଏହି ଅବସରରେ ଶ୍ରୀବିଗ୍ରହ ମାନଙ୍କର ଚାଚେରୀ ବେଶ ଅନୁଷ୍ଠିତ ହେବା ସହିତ ଓ ଚାଚେରୀ ଭୋଗ ଲାଗି ହୋଇଥାଏ। ‘ଚାଚେରୀ’ ଶବ୍ଦ ସଂସ୍କୃତ ‘ଚର୍ଚ୍ଚରୀ’ ଶବ୍ଦର ଅପଭ୍ରଂଶ। ଚର୍ଚରୀ ହୋଲି ଉତ୍ସବ, ବସନ୍ତ କାଳରେ ଗାନ କରା ଯାଉଥିବା ଗୀତ, ବାଦ୍ୟ ଓ ଆମୋଦ ପ୍ରମୋଦ, ଆନନ୍ଦୋତ୍ସବ ଆଦିକୁ ବୁଝାଏ। ଶ୍ରୀମନ୍ଦିରରେ ଫଗୁ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ମଧ୍ୟାହ୍ନ ଧୂପ ନୀତି ସମାପନ ପରେ ଏହି ଚାଚେରୀ ବେଶ ଓ ଚାଚେରୀ ଭୋଗ ହୋଇଥାଏ। ଏଥିରେ ବୋଇରାଣି, ମାଧାବଳୀ ଆଦି ବସ୍ତ୍ର ସହିତ, ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ସ୍ୱର୍ଣ୍ଣ କୁଣ୍ଡଳରେ ଏବଂ ଦେବୀ ସୁଭଦ୍ରାଙ୍କୁ ସ୍ୱର୍ଣ୍ଣ ତଡ଼ଗି ରେ ବିଭୂଷିତ କରାଯାଇଥାଏ। ଗୁଣା, ଝୁମ୍ପା ଓ ଅଧରମାଳ ଇତ୍ୟାଦି ପୁଷ୍ପାଳଙ୍କାର ରେ ଶ୍ରୀ ବିଗ୍ରହ ମାନେ ମଣ୍ଡିତ ହେବା ପରେ ଚାଚେରୀ ଭୋଗ ଲାଗି ହୁଏ। ଏହି ଭୋଗରେ ଆରିସା, ଧଉଳା, ଘି’ନାଡ଼ି, ଖଇରଚୂଳ, ଖିରି ଇତ୍ୟାଦି ଅର୍ପିତ ହୋଇଥାଏ। ଶାସ୍ତ୍ରରେ ଆହାର ତ୍ରିବିଧ ବୋଲି ବର୍ଣ୍ଣନା କରାଯାଇଛି। ଏହା ହେଉଛି- ସାତ୍ତ୍ୱିକ, ରାଜସିକ ଓ ତାମସିକ। ତନ୍ମଧ୍ୟରେ ସାତ୍ତ୍ୱିକ ଆହାର ରସଯୁକ୍ତ, ଦୁଗ୍ଧ, ଘୃତାଦି ସ୍ନେହଗୁଣ ସଂପନ୍ନ, ସାରଯୁକ୍ତ ଏବଂ ହୃଦୟ ପ୍ରୀତିକର। ଶ୍ରୀମନ୍ଦିର ରେ ଦାରୁ ବ୍ରହ୍ମରୂପୀ ଶ୍ରୀବିଗ୍ରହ ମାନଙ୍କୁ ଏହି ସାତ୍ତ୍ୱିକ ଆହାର ଭୋଗ ନୈବେଦ୍ୟ ରୂପେ ଅର୍ପିତ ହୋଇଥାଏ। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ବସନ୍ତ ଋତୁରେ କଫର ପ୍ରାଦୁର୍ଭାବ ଅତ୍ୟଧିକ ହୋଇଥାଏ। ତେଣୁ ଦୋଳଗୋବିନ୍ଦ ଙ୍କୁ ଏହି ଚାଚେରୀ ଭୋଗ ଅବସରରେ ଦୋଳପୂର୍ଣ୍ଣିମା ଦିନ ଦୋଳବେଦୀଠାରେ ଚଣା ଓ ଗୁଡ଼ରେ ପ୍ରସ୍ତୁତ ଚଣା ମୁଆଁ, ଉଖୁଡ଼ା ଓ ସାକର ଇତ୍ୟାଦି ରୁକ୍ଷ ଜାତୀୟ ଭୋଗ ଅର୍ପିତ ହୁଏ। ଏହା କଫ ନାଶକ ବୋଲି ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ରହିଛି। ବାସ୍ତବ ରେ ଋତୁ ଅନୁଯାୟୀ ଶ୍ରୀମନ୍ଦିରରେ କେତେକ ବିଶେଷ ଭୋଗ ଦ୍ରବ୍ୟର ଖଞ୍ଜା ପ୍ରାଚୀନ ସମୟରୁ ପ୍ରଚଳିତ ହୋଇଆସିଛି। ଏଣୁ ବସନ୍ତ ଉତ୍ସବ ରେ ମହାପ୍ରଭୁଙ୍କ ଚାଚେରୀ ବେଶ ଯେପରି ଆନନ୍ଦବର୍ଦ୍ଧକ ଚାଚେରୀ ଭୋଗ ମଧ୍ୟ ସେହିପରି ସ୍ୱାସ୍ଥ୍ୟ ପକ୍ଷେ ହିତକର । ଉକ୍ତ ଦିନ ମାନଙ୍କରେ ଠାକୁର ମାନଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ମେକାପ ସେବକ ମାନେ ଠାକୁରଙ୍କୁ ଚନ୍ଦନଲାଗି, ବସ୍ତ୍ର ଓ ମାଧାବଳୀ ଆଦି ନୂଆ ଲୁଗା ଲାଗି କରାଇ ୬ ମୂର୍ତ୍ତି ଅଳଙ୍କାର ଯଥା ୪ ସୁବର୍ଣ୍ଣ କୁଣ୍ଡଳ ଓ ୨ ତଡଗୀ ଲାଗି କରିଥାନ୍ତି । ଶ୍ରୀଦେବୀ ଓ ଭୂଦେବୀ ଙ୍କୁ ଦକ୍ଷିଣୀ ଘରକୁ ବିଜେ କରାଯିବା ପରେ ଠାକୁରମାନଙ୍କ ଚାଚେରୀ ବେଶ ବଢିବାପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କ ଦେଉଳି ଭୋଗ ଅନୁଷ୍ଠିତ ହୋଇ ରତ୍ନସିଂହାସନକୁ ବିଜେ କରାଯାଏ । ପାଳିଆ ମୁଦିରସ୍ତ ସେବକ ପ୍ରସାଦ ଲାଗି କରନ୍ତି । ପରେ ପାଣି ପଡି ଘଣ୍ଟଛତା ସହ ତିନି ବାଡ଼ରେ ସର୍ବାଙ୍ଗ ନୀତି ବଢେ । ଶ୍ରୀଜଗନ୍ନାଥଙ୍କ ବାଡରେ ବଳିଆ ସୁନ୍ଦର, ଚନ୍ଦନ, ଫଗୁ, ଝିମିରି ଫଗୁ, ପ୍ରସାଦ ଲାଗି ଓ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ। ପୁଣି କର୍ପୂର ଆଳତି କରାଯାଏ । ମୁଦିରସ୍ତ ଚାମର ଆଲଟ କରନ୍ତି । ତିନି ବାଡରେ ଫଗୁ ଆଞ୍ଜୁଳି ଦେଇସାରିବା ପରେ ଠାକୁରଙ୍କ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ସିଂହାସନକୁ ଉଠି ପ୍ରସାଦ ମଇଲମ କରନ୍ତି । ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଦିଆଯିବା ପରେ ପୁଷ୍ପାଳକ ସେବକମାନେ ଠାକୁର ଙ୍କୁ ହାତରେ ନେଇ ଜୟବିଜୟ ଦ୍ୱାର ନିକଟରେ ବିଜେ କରାନ୍ତି । ସେଠାରେ ପ୍ରସାଦଲାଗି, କର୍ପୂର ଆଳତୀ, ଦୃବାକ୍ଷତ, ସାତବତୀ, ସଞ୍ଜକାହାଳୀ ଓ ବନ୍ଦାପନା ଆଦି ନୀତି ଅନୁଷ୍ଠିତ ହୁଏ । ଚାଚେରୀ ବେଶରେ ନାଲି ରଙ୍ଗର ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ । ଚାଚେରୀ ବେଶରେ ଦିଅଁ ମାନେ ସ୍ୱତନ୍ତ୍ର ଶୈଳୀରେ (ଦିଅଁମାନେ ପିନ୍ଧିଥିବା ପାଟବସ୍ତ୍ରର ଶୀର୍ଷଭାଗ ଯତ୍ନର ସହ ହରଡ଼ମାଳିରେ ଖୁଞ୍ଚା ଯାଇଥାଏ) ପିନ୍ଧିଥିବା ଶାଢ଼ୀ, ମସ୍ତକର ଶ୍ରୀକପଡ଼ା, ହାତରେ ଧରିଥିବା ରୁମାଲ ସବୁ ନାଲି ରଙ୍ଗର ହୋଇଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ବିଗ୍ରହରେ ନଳୀଭୁଜ ଲାଗି କରାଯାଏ । ଜଗନ୍ନାଥଙ୍କ ନଳୀଭୁଜ ସମ୍ମୁଖରେ ଶଙ୍ଖ ଓ ଚକ୍ର, ଏବଂ ବଳଭଦ୍ରଙ୍କ ନଳୀଭୁଜରେ ହଳ ଓ ମୂଷଳ ଖୋଦିତ ହୋଇଥାଏ । ଏହି ବେଶରେ ପିନ୍ଧୁଥିବା ଅଳଙ୍କାରଗୁଡ଼ିକ ହେଲା ମୁଖର ଉଭୟ ପାର୍ଶ୍ୱରେ କୁଣ୍ଡଳ, ମସ୍ତକ ଶୀର୍ଷରେ ଚନ୍ଦ୍ରିକା, ଅଣ୍ଟାରେ ଅଣ୍ଟାପଟି ଓ ଓଢ଼ିଆଣି ଏବଂ ଗଳାରେ ଗିନି ମାଳ, ଚାବୁକ ମାଳ, ପଦ୍ମମାଳି ଓ ହରଡ଼ ମାଳି । ଏହି ବେଶରେ ସୁଭଦ୍ରା ଚନ୍ଦ୍ର, ସୂର୍ଯ୍ୟ ଓ ତଡ଼କି ଦ୍ୱାରା ସୁଶୋଭିତା ହୁଅନ୍ତି ।ବେଶ ସମୟରେ ଠାକୁର ଙ୍କୁ ଆରିସା, ମରିଚି ନଡୁ, ଖିରି, ଧଉଳା ଓ ଘିନାଡି ଆଦି ଭୋଗ ଲଗାଯାଏ। ପରେ ଫଗୁ ଖେଳ ନୀତି ଅନୁଷ୍ଠିତ ହୋଇଥାଏ । ଏ ସବୁ ଉପଚାର ପାଇଁ ଶ୍ରୀଦେବୀ (ଲକ୍ଷ୍ମୀ), ଭୂଦେବୀ (ଧରିତ୍ରୀ ) ଓ ଦୋଳଗୋବିନ୍ଦ ବେହରଣ ଦ୍ୱାର ପାଖରେ ନାଲିପାଟ ପିନ୍ଧି ବେଶ ହୁଅନ୍ତି ।ବେଶ ହୋଇଥିବା ମୂର୍ତ୍ତିଗୁଡ଼ିକୁ ରତ୍ନସିଂହାସନ ଉପରକୁ ଆଣିବା ପରେ ଚାଚେରୀ ଭୋଗ ରୂପେ ଖଇ ଓ କୋରା ଅର୍ପଣ କରାଯାଇଥାଏ । ପରେ ସେହି ମୂର୍ତ୍ତି ଗୁଡ଼ିକୁ ଜୟବିଜୟ ଦ୍ୱାର ନିକଟକୁ ନିଆଯାଇ ପଣ୍ଡା ଓ ପୁଷ୍ପାଳକ ସେବକ ମାନଙ୍କ ଦ୍ୱାରା ଫଗୁଖେଳ ନୀତି ସମାପନ ହୋଇଥାଏ । ବିଭିନ୍ନ ଉତ୍ସବ ସମୟ ରେ
ଶ୍ରୀ ମନ୍ଦିର ରେ ଶ୍ରୀ ବିଗ୍ରହ ମାନଙ୍କ ବେଶ ଯେପରି ରହସ୍ୟମୟ, ପୂଜା ନୀତି, ଭୋଗ ଲାଗି ମଧ୍ୟ ସେପରି ରହସ୍ୟମୟ।ଜୟ ଜଗନ୍ନାଥ ସ୍ଵାମୀ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮


