ନିଖୋଜ ବୃଦ୍ଧଙ୍କ ଗାଡ଼ିଆରୁ ମୃତଦେହ ଉଦ୍ଧାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଗ୍ରାମର ସିଏଚ. ରଘୁନାଥ ପାତ୍ର(୬୫) ନାମକ ଜଣେ ବୃଦ୍ଧ ଙ୍କ ମୃତଦେହକୁ ସାହସପୁର ହାଟପଦା ନିକଟ ଏକ ଜମିରେ ଥିବା ଗାଡ଼ିଆ ରୁ ଗୁରୁବାର ସକାଳେ ଉଦ୍ଧାର କରାଯାଇଛି।ରଘୁନାଥ ସାହସପୁର ଗ୍ରାମର ଜଣେ ସମ୍ପର୍କୀୟ ଙ୍କ ଘରକୁ ବୁଧବାର ଭୋଜି ଖାଇବାକୁ ଯାଇଥିଲେ।ସେ ସେଠାରୁ ଆକସ୍ମିକ ନିଖୋଜ ହୋଇଯାଇଥିଲେ।ସନ୍ଧ୍ୟାସୁଦ୍ଧା ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ଗୁରୁବାର ଭୋର ରେ କିଛିବ୍ୟକ୍ତି ଚାଷଜମି କୁ ଯାଉଥିବା ବେଳେ ଗାଡ଼ିଆ ହିଡ଼ ରେ ଚପଲ , ସାର୍ଟ ଓ ଧୋତି ପଡ଼ିଥିବା ଦେଖିଥିଲେ। ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚି ଦିଗପହଣ୍ଡି ଅଗ୍ନିଶମ ବାହିନୀ କୁ ଜଣାଇଥିଲେ। ଅଗ୍ନିଶମ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଆ ରୁ ମୃତଦେହ ଉଦ୍ଧାର କରିବା ସହ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରଘୁନାଥ ଙ୍କ ପୁଅ ଅର୍ଜୁନ ପାଟପୁର ଥାନାରେ ଏତଲା ଦେବାପରେ ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅପମୃତ୍ୟୁ ମାମଲା ନଂ.୪/୨୬ ଅନୁଯାୟୀ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।


