ବଲିଉଡ୍କୁ ଫେରୁଛନ୍ତି ହେମାମାଳିନୀ
ମୁମ୍ବାଇ : ବଲିଉଡ୍ର ‘ଡ୍ରିମ୍ଗାର୍ଲ’ ହେମାମାଳିନୀ ବଡ଼ ପରଦାକୁ ଦୀର୍ଘ ୩ ବର୍ଷ ପରେ ଫେରୁଛନ୍ତି। ତାଙ୍କ ନୂଆ ଫିଲ୍ମ ‘ଶିମଲା ମିର୍ଚ’ର ଟ୍ରେଲର ରିଲିଜ୍ ହୋଇସାରିଛି। ଟ୍ରେଲର ବହୁତ ମଜାଦାର ହେବା ସହିତ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରୁଛି। ଏହି ଫିଲ୍ମରେ ହେମାମାଳିନୀଙ୍କୁ ରାଜକୁମାର ରାଓଙ୍କ ସହିତ ଦେଖିବାକୁ ପାଇବେ। ଫିଲ୍ମରେ ରକୁଲପ୍ରୀତ ସିଂ ଓ ଶକ୍ତି କପୁର ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ରମେଶ ସିପ୍ପି ଦେଇଛନ୍ତି। ରମେଶଙ୍କ ସହିତ ହେମାମାଳିନୀଙ୍କ କ୍ୟାରିଅରର ଗଭୀର ସମ୍ପର୍କ ରହିଛି। ଏହାପୂର୍ବରୁ ରମେଶ ନିଜ ଫିଲ୍ମ ‘ଶୋଲେ’ରେ ହେମାମାଳିନୀଙ୍କୁ ବାସନ୍ତୀ ଚରିତ୍ର ଦେଇଥିଲେ। କେବଳ ଏତିକି ନୁହେଁ, ହେମାମାଳିନୀଙ୍କ ଆହୁରି ଏକ ସୁପରହିଟ୍ ଫିଲ୍ମ ‘ସୀତା ଔର ଗୀତା’ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ରମେଶ ଦେଇଥିଲେ। ଦୁଇଟି ଯାକ ଫିଲ୍ମର ଯାଦୁ ଏବେ ବି ଦର୍ଶକଙ୍କ ମଧ୍ୟରେ ରହିଛି। ‘ଶିମଲା ମିର୍ଚ’ ଟ୍ରେଲରରେ ରାଜକୁମାର ରାଓ ନିଜ ପ୍ରେମିକାଙ୍କ ନିକଟରେ ନିଜ ଭାବନା ପ୍ରକାଶ କରିପାରୁ ନାହାନ୍ତି। ତେଣୁ ସେ ଚିଠି ମାଧ୍ୟମରେ ତାଙ୍କ ମନ କଥା ଜଣାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ଚିଠି ତାଙ୍କ ପ୍ରେମିକା ରକୁଲପ୍ରୀତିଙ୍କ ବଦଳରେ ତାଙ୍କ ମା’ ଭୂମିକାରେ ଅଭିନୟ କରିଥିବା ହେମାମାଳିନୀଙ୍କ ପାଖରେ ପହଞ୍ଚି ଯାଉଛି। ତେଣୁ ହେମାମାଳିନୀ ନିଜ ଝିଅର ବୟଫ୍ରେଣ୍ଡଙ୍କୁ ପ୍ରେମ କରି ବସୁଛନ୍ତି। ଫଳରେ ସବୁ ଓଲଟ ପାଲଟ ହୋଇଯାଉଛି। ଏହି ମଜାଦାର ସିନେମାଟି ଆସନ୍ତା ୩ ଜାନୁଆରୀ ୨୦୨୦ରେ ରିଲିଜ୍ ହେବାକୁ ଯାଉଛି।


