ସାହିତ୍ୟ ଅକାଦେମି ଏବଂ ଚିକିଟୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଲୋଚନା ଚକ୍ର
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ସାହିତ୍ୟ ଅକାଦେମି ଏବଂ ଚିକିଟୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଦକ୍ଷିଣ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତି ସମ୍ପର୍କରେ ଏକ ଆଲୋଚନାଚକ୍ର ଗୌରହରି ଦାସଙ୍କ ସଭାପତିତ୍ବରେ ଚିକିଟୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ତିନୋଟି ପର୍ଯ୍ୟାୟରେ ପାଳିତ କାର୍ଯ୍ୟକ୍ରମ ର ଉଦଘାଟନୀ ପର୍ବରେ ସଭାମୁଖ୍ୟ ଭାବେ ମଞ୍ଚାସିନ ଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ,ମୁଖ୍ୟ ଅତିଥି ରୂପେ ସ୍ଵତନ୍ତ୍ର କର୍ତ୍ତବ୍ୟ ରତ ଅଧିକାରୀ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱରର ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭବାନୀ ପ୍ରସାଦ ପଣ୍ଡା, ମୂଳ ପ୍ରବନ୍ଧ ପାଠକ ଭାବେ ବିଶିଷ୍ଟ ଗବେଷକ ଡ଼. ଲମ୍ବୋଦର ପାଣିଗ୍ରାହୀ, ସାହିତ୍ୟ ଅକାଦେମି, କୋଲକତା ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ ଏବଂ ଚିକିଟୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡ଼. ସଞ୍ଜୟ କୁମାର ପଣ୍ଡା। ମୁଖ୍ୟ ଅତିଥି ଦକ୍ଷିଣ ଉପାନ୍ତ ଓଡ଼ିଶା ଆଜି ସାହିତ୍ୟର ମୂଳ ସ୍ରୋତରୁ ବିଚ୍ୟୁତ ହୋଇ ସେହି ପାରମ୍ପରିକ ଧାରାରେ ବିଶେଷ କରି କାବ୍ୟ କ୍ଷେତ୍ରରେ ରହିଛି ବୋଲି ମତ ଦେଇଥିଲେ। ଅଧିବେଶନ କୁ ପରିଚାଳନା କରିଥିଲେ ଅଧ୍ୟାପକ ଡ଼. ସଞ୍ଜୟ କୁମାର ପଣ୍ଡା। ପ୍ରଥମ ଅଧିବେଶନରେ ସଭା ମୁଖ୍ୟ ଭାବେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବିପିନ୍ ନାୟକ ପ୍ରବନ୍ଧ ପାଠକ ଭାବେ ମଞ୍ଚାସିନ ଥିଲେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ ମୁଖ୍ୟ ଅଧ୍ୟାପିକା ଡ .ଉଷାରାଣୀ ରଥ ,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଦେବୀ ପ୍ରସାଦ ଶତପଥୀ। ଡ. ରଥ ଦକ୍ଷିଣ ଉପାନ୍ତ ଅଞ୍ଚଳର ବ୍ୟାକରଣ ସ୍ରଷ୍ଟାଙ୍କ ସମ୍ପର୍କରେ ଏକ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିବା ସ୍ଥଳେ ଡ. ଶତପଥୀ ଦକ୍ଷିଣ ଉପାନ୍ତ ଅଞ୍ଚଳରେ ଭାଷାର ସ୍ଥିତି ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଦ୍ଵିତୀୟ ଅଧିବେଶନରେ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡ .କୁଳମଣି ଓଝାଙ୍କ ପୌରହିତ୍ୟରେ ପ୍ରବନ୍ଧ ପାଠ କରିଥିଲେ କ୍ଷେତ୍ର ମୋହନ ବିଦ୍ୟାଳୟ,ନରେନ୍ଦ୍ରପୁର ଅଧ୍ୟକ୍ଷ ଡ.ହୃଷୀକେଶ ପଣ୍ଡା ଏବଂ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଦୁଇ ଛାତ୍ରୀ ସୁଶ୍ରୀ ସଂଗୀତା ଦାସ ଓ ରୂପାଲି ମହାନ୍ତି। ଦକ୍ଷିଣ ଉପାନ୍ତ ଅଞ୍ଚଳର ଭାଷା ସାହିତ୍ୟ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ମହାନ ବ୍ୟକ୍ତି ଡ. ଅଲେଖ ଚନ୍ଦ୍ର ପ୍ରଧାନ ଏବଂ ଡ.ଅଶୋକ କୁମାର ପଣ୍ଡାଙ୍କୁ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଦ୍ୱାନ ବ୍ୟକ୍ତି ତଥା ଡ ଲକ୍ଷ୍ମୀ ନାରାୟଣ ପଣ୍ଡା, ଡ. ସୁମିତା ମିଶ୍ର, ଡ.ରିନା ସାହୁ, ଡ ରାଜେନ୍ଦ୍ର ମହାପାତ୍ର,ଅଧ୍ୟାପିକା ମୌସୁମୀ ପାଢୀ,ଗବେଷକ କୁରେସୁ ମହାରଣା,ଅଧ୍ୟାପକ ତୋଫାନ ସାହୁ ଏବଂ ଓଡ଼ିଆ ବିଭାଗର ସମସ୍ତ ବିଦ୍ୟାର୍ଥୀ ଉପସ୍ଥିତ ରହିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚଳରେ ସହାୟ ହୋଇଥିଲେ ଡ. ବିଶ୍ଵନାଥ ପାଣିଗ୍ରାହୀ, ଡ ବାବୁଲି ବେହେରା ଏବଂ ଅଧ୍ୟାପିକା ନିଳୀମା ବେହେରା।ଶେଷରେ ଅଧ୍ୟାପକ ପ୍ରକାଶ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।


