ମୋବାଇଲ୍‍ ଯୁଗରେ ଅଲୋଡା ହେବାକୁ ବସିଛି ଚାବିଦିଆ ହାତଘଣ୍ଟା

ଆସିକା (ୱାଇଏନ୍‍ଏସ୍‍): ଆଧୁନିକତାର ଛାପରେ ମୋବାଇଲ ଯୁଗରେ ଅଲୋଡା ହେବାକୁ ବସିଛି ଚାବିଦିଆ ହାତଘଣ୍ଟ । ଯୁଗ ପରିବର୍ତ୍ତନ ସହ ତାଳ ଦେଇ ଦିନକୁ ଦିନ ମଣିଷର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ବଦଳିବାରେ ଲାଗିଛି । ଅତୀତରେ ଯାହାକୁ ବହୁଳ ଓ ଅତିମାତ୍ରାରେ ବ୍ୟବହାର କରାଯାଉଥିଲା ତାହା ଆଗାମୀ କିଛି ବର୍ଷ ପରେ ଇତିହାସ ପାଲଟିବା ସମ୍ଭାବନାକୁ ଏଡାଇ ହେବ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଥି ମଧ୍ୟରୁ ଚାବିଦିଆ ହାତଘଣ୍ଟ ଅନ୍ୟତମ । ସାଂପ୍ରତିକ ପରିସ୍ଥିତିରେ ଚାବିଦିଆ ହାତଘଣ୍ଟାକୁ ବହୁ ବରିଷ୍ଠ ନାଗରିକ ସର୍ବାଧିକ ପସନ୍ଦ କରୁଥିଲେ ବି ବିଲୁପ୍ତର ଦ୍ୱାରଦେଶରେ ଏହି ହାତଘଣ୍ଟା ପହଞ୍ଚିବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଦିନ ଥିଲା ଚାବିଦିଆ ହାତଘଣ୍ଟାଟିଏ ଆଭିଜାତ୍ୟର ସଙ୍କେତ ବା ଚିହ୍ନ ଭାବେ ପରିଗଣିତ ହେଉଥିଲା । ଆସ୍ତେ ଆସ୍ତେ ସମୟ ସହିତ ବିଭିନ୍ନ ବର୍ଗର ସାଧାରଣ ଜନତା ଏହି ଚାବିଦିଆ ହାତଘଣ୍ଟାକୁ ଅତୀତରେ ବହୁଳ ଭାବରେ ବ୍ୟବହାର କରିାସୁଥିଲେ । ହେଲେ ବିଗତ କିଛି ବର୍ଷ ହେଲା ଆଧୁନିକତାକର ଛାପରେ ମୋବାଇଲ ଯୁଗରେ ଏହି ଚାବିଦିଆ ହାତଘଣ୍ଟାର ଚାହିଦା ଦିନକୁ ଦିନ କମିବାରେ ଲାଗିଛି । ଆଉ ହାତରେ ରାଜୁତି କରୁଛି ମୋବାଇଲ୍‍ ଫୋନ । ଆସିକା ସହର ତଥା ଏହାକ ଆଖପାଖ ବିଭିନ୍ନ ଅଞ୍ଚଳରେ ଅତୀତରେ ଛୋଟ ହେଉ କି ବଡ ହେଉ ବହୁ ହାତ ଘଣ୍ଟା ମରାମତି ଓ ବିକ୍ରୀ ଦୋକାନ ଥିଲା । କଲେଜରେ ପାଠ ପଢିବା ହେଉ କି ଅଫିସରେ କାମ କରିବା ହେଉ ଅଫିସର କିମ୍ବା ବିଦ୍ୟାର୍ଥୀମାନେ ଏହି ସବୁ ଘଣ୍ଟା ଦୋକାନରୁ ଚାବି ଦିଆ ହାତଘଣ୍ଟା କିଣିବା ସହ ସମୟ ଜାଣିପାରୁଥିଲେ ଓ ଖରାପ ହୋଇଗଲେ ଘଣ୍ଟାଦୋକାନୀଙ୍କ ପାଖକୁ ଯାଇ ମରାମତି ବି କରୁଥିଲେ । ଅତୀତରେ ସୋନାଟା, ଏଚ୍‍ଏମ୍‍ଟି, ଟାଇଟନ୍‍ ଭଳି ବିଭିନ୍ନ ନାମୀଦାମୀ କମ୍ପାନୀର ଚାବିଦିଆ ହାତଘଣ୍ଟାର ବେଶ୍‍ ଚାହିଦା ଥିଲା । ସେତେବେଳେ ନା ମୋବାଇଲ୍‍ ଫୋନ୍‍ ନା ସ୍ମାର୍ଟୱାଚ୍‍ ଥିଲା । ସାଧାରଣ ଜନତା ଫିତା ଘଣ୍ଟା କିମ†ା ଚେନ୍‍ ଘଣ୍ଟା ପିନ୍ଧି ହାତର ଶୋଭା ବଢାଉଥିଲେ । ଏପରିକି ବାହା ଘର ସମୟରେ ଯୌତୁକରେ ଚାବିଦିଆ ହାତଘଣ୍ଟା ଦେବାର ଏକ ପ୍ରଥା ବି ରହିଥିଲା । ହେଲେ ଏବେ ଏହି କଥା ପରିବର୍ତ୍ତନ ହୋଇ ଚାବିଦିଆ ହାତଘଣ୍ଟା ସ୍ଥାନରେ ବ୍ରେସ୍‍ଲେଟ୍‍ ଦିଆଯାଉଛି । ତଥାପି ସମୟ ସହିତ ସଂଘର୍ଷ କରି ଆସିକା ସହରର କଳିଙ୍ଗ ରୋଡ ସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାଓ ଟାଇମ୍‍ର ମାଲିକ ଆଇ.ବୁଦୁଲୁ ରାଓ ନିଜ ବ୍ୟବସାୟକୁ ଜାରି ରଖିଥିବା ଜଣାପଡିଛି । ୧୯୯୪ ମସିହାରୁ ନିଜର ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ଦୀର୍ଘ ୩୨ ବର୍ଷ ମଧ୍ୟରେ ସେ ଘଣ୍ଟା ଦୋକାନ ସେଥିରୁ ଉପାର୍ଜିତ ଅର୍ଥରେ ହସଖୁସିରେ ନିଜର ପରିବାର ପ୍ରତିପୋଷଣ କରିଆସୁଥିବା ଦେଖିବାକୁ ମିଳୁଛି । ଆଗରୁ ଘଣ୍ଟା ଖରାପ ହୋଇଗଲେ ସାଧାରଣ ଜନତା ତିଆରି କରିବା ପାଇଁ ଘଣ୍ଟା ଦୋକାନକୁ ଆସୁଥିଲେ । ତେବେ ବିଗତ କିଛି ବର୍ଷ ହେଲା ଘଣ୍ଟା ଖରାପ ହୋଇଗଲେ ଆଉ ପୂର୍ବପରି ଅଚଳ ଘଣ୍ଟାକୁ ମରାମତି କରିବାକୁ ନଆସି ନୁଆଁ ନୁଆଁ ଡିଜାଇନ୍‍ର ଘଣ୍ଟା ଅନ୍‍ଲାଇନ୍‍ରେ ମଗାଇ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ସ୍ମାର୍ଟୱାଚ୍‍, ମୋବାଇଲ୍‍ ଫୋନ୍‍ ଓ ଅନ୍‍ଲାଇନ୍‍ ଅର୍ଡର ଆସିକା ଅଞ୍ଚଳର ଅଧିକାଂଶ ଘଣ୍ଟା ବେପାରୀଙ୍କ ବେପାରକୁ ବୁଡେଇ ସାରିଲାଣି । ଯେଉଁ ପୁରୁଣା ହାତଘଣ୍ଟା ମେକାନିକ୍‍ ମାନେ ଅତୀତରେ ଘଣ୍ଟା ମରାମତି କରୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ଏବେ ବେଉସା ବଦଳାଇ ଅନ୍ୟ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି । ଆଧୁନିକତାର ଛାପରେ ମୋବାଇଲ୍‍ ଯୁଗରେ ଆଉ କିଛି ବର୍ଷ ପରେ ଚାବିଦିଆ ହାତଘଣ୍ଟା ଇତିବାସ ପାଲଟିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ