ଜିଲ୍ଲାସ୍ତରୀୟ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ
ଛତ୍ରପୁର (ଓ୍ବାଇଏନଏସ): ଓଡ଼ିଆ ପକ୍ଷ ଅବସରରେ ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଲୋକକଳା ପାଇଁ ଦିନଟିଏ ଓ ପାରମ୍ପରିକ କଳାକାରମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ସାଂସ୍କୃତିକ ଶୋଭାଯାତ୍ରାକୁ ଜିଲ୍ଲପାଳ ଭି କୀର୍ତ୍ତି ଭାସନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗଞ୍ଜାମର ସମୃଦ୍ଧ ଓ ପୁରାତନ ଲୋକ କଳା ଓ ଲୋକ ସଙ୍ଗୀତର ପ୍ରସାର ପ୍ରଚାର କରିବା ପୂର୍ବକ ଜିଲ୍ଲା ସଂସ୍କୃତି ଭବନ, ଛତ୍ରପୁର ଠାରେ ପହଞ୍ଚିଥିଲା । ଏହାପରେ ସଂସ୍କୃତି ଭବନରେ ଲୋକକଳା ଉପରେ ଆଲୋଚନା ଚକ୍ର ଓ ଜିଲ୍ଲାର ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗଂଜାମର ଲୋକକଳା, ଲୋକ ସଂଗୀତ, ଲୋକସଂସ୍କୃତି ସର୍ବଜନବିଦିତ । ଏହା ଦ୍ୱାରା ଗଞ୍ଜାମ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି । ଏସବୁକୁ ବଞ୍ଚାଇବାକୁ ହେଲେ ଆମକୁ ଉତ୍ତରପିଢ଼ି ସୃଷ୍ଟିକରିବାକୁ ପଡିବ ବୋଲି ସେ କହିଥିଲେ । ସମ୍ବର୍ଦ୍ଧିତ କଳାକାର ମାନେ ହେଲେ ରାମଲୀଳା ଶ୍ୟାମସୁନ୍ଦର ପାଣିଗ୍ରାହୀ, ପାଲାଗାୟକ ବାଳକୃଷ୍ଣ ନାୟକ, ଗାହଣା ସୁବାସ ଚନ୍ଦ୍ର ଚୌଧୁରୀ, କୃଷ୍ଣଲୀଳା ଜି ହରିବନ୍ଧୁ, ପଶୁମୁଖା ବାଞ୍ଛାନିଧି ଜେନା, ସୂତାକଣ୍ଢେଇ ବୀଭତ୍ସ ସ୍ୱାଇଁ, ଦାସକାଠିଆ ରବିନାରାୟଣ ଶତପଥୀ, ପ୍ରହ୍ଲାଦ ନାଟକ ବୃନ୍ଦାବନ ଜେନା ଓ ଜନାର୍ଦ୍ଧନ ପ୍ରଧାନ, ଦାଶକାଟିଆ ବାଳକୃଷ୍ଣ ମିଶ୍ର, ଭାରତ ଲୀଳା ସୁରେନ୍ଦ୍ର ସାହୁ ।


