ରଥକାଠ ଅନୁକୂଳ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବରୀ,(ଚୈତନ୍ୟ ଜେନା) : ବାଲିବିଲ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂଗଠନର ବାଲିବିଲ ଶାଖା ପକ୍ଷରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ଗୃହ ପ୍ରବେଶ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ଜାଗରଣ ସୃଷ୍ଟି କରିଛି। ଆସନ୍ତା ଏପ୍ରିଲ ମାସ ୨୦ ତାରିଖ ସୋମବାର ଦିନ ତଥା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କର ରଥକାଠ ଅନୁକୂଳ ସହ ଶ୍ରୀବିଗ୍ରହମାନଙ୍କୁ ନୂତନ ଭାବେ ନିର୍ମିତ ଭବ୍ୟ ଗୃହକୁ ବିଜେ କରାଯିବ। ଏହି ପବିତ୍ର ଅବସରରେ ସଂଗଠନ ପକ୍ଷରୁ ସମସ୍ତ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ବିନମ୍ର କୃତଜ୍ଞତା ଜ୍ଞାପନ କରାଯିବା ସହ ସେମାନଙ୍କୁ ପରିବାର ସହିତ ଯୋଗଦେବା ପାଇଁ ସାଦର ନିମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଉତ୍ସବର ବିଧିବିଧାନ ଅନୁଯାୟୀ ବିଭିନ୍ନ ପୂଜାର୍ଚ୍ଚନା, ହୋମଯଜ୍ଞ ହେବାର କାର୍ଯ୍ୟକ୍ରମ ରହିଛି ଯେଉଁଠାରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ କୃପା ଲାଭ କରିବାର ଏକ ବିରଳ ମୁହୂର୍ତ୍ତ ପାଇପାରିବେ। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ମନ୍ଦିର କେବଳ ଏକ ଉପାସନା ସ୍ଥଳ ନୁହେଁ, ବରଂ ଏହା ବାଲିବିଲ ଅଞ୍ଚଳର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର ଏକ କେନ୍ଦ୍ରବିନ୍ଦୁ ପାଲଟିବ। ପରିଷଦର ସମସ୍ତ ସଦସ୍ୟ ଏବଂ ବାଲିବିଲ ଶାଖାର କର୍ମକର୍ତ୍ତାମାନେ ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ କାମନା କରିଛନ୍ତି, ଯାହାଦ୍ୱାରା ଏହି ଧାର୍ମିକ ମହୋତ୍ସବ ଅତ୍ୟନ୍ତ ସ୍ମରଣୀୟ ଓ ଶୃଙ୍ଖଳିତ ଭାବେ ସମାପନ ହୋଇପାରିବ। ବାଲିବିଲର ଏହି ପବିତ୍ର ଭୂମିରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଭକ୍ତଙ୍କ ମଧ୍ୟରେ ଏକତା ସ୍ଥାପନ କରିବା ଏହି ଆୟୋଜନର ମୁଖ୍ୟ ଲକ୍ଷ୍ୟ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ