ଆଇନ ସେବା ପ୍ରାଧିକରଣ ତରଫରୁ ଆର୍ନ୍ତଜାତିକ ଶ୍ରମିକ ଦିବସ
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆନୁକୂଲ୍ୟରେ କଟକ ଜିଲ୍ଲା କୋର୍ଟ ପରିସରରେ ‘ଆର୍ନ୍ତଜାତିକ ଶ୍ରମିକ ଦିବସ’ କଟକ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଂଜନ ବାରିକ୍ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଥିଲା । କଟକ ଜିଲ୍ଲା ଓ ଦୌରା ଜଜ୍ ଉଦ୍ବୋଧନ ଦେଇ କହିଥିଲେ ଯେ ଶ୍ରମିକମାନେ ରାଷ୍ଟ୍ର ନିର୍ମାଣକାରୀ । ଶ୍ରମ ଓ ଶ୍ରମିକମାନଙ୍କୁ ସମ୍ମାନ ଦେବା ଉଚିତ୍ । ଶ୍ରମିକମାନଙ୍କ ଉନ୍ନତି ପାଇଁ କଠିନ ଆଇନ ରହିଛି, ସମସ୍ତେ ତାକୁ ମାନିବା ଉଚିତ୍ । ସହାୟକ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ରଶ୍ମିରଂଜନ ବରାଳ ଶ୍ରମିକ ଦିବସର ଆବଶ୍ୟକତା, ଶ୍ରମିକ ଆଇନମାନଙ୍କର ବିଶ୍ଲେଷଣ ଓ ଉପକାରିତା, ଶ୍ରମିକମାନଙ୍କର ଅଧିକାର ଏବଂ ତା’ର ଉପଯୋଗିତା ସମ୍ବନ୍ଧରେ ଶ୍ରମିକମାନଙ୍କୁ ଅବଗତ କରାଯାଇଥିଲେ । ସଚିବ, ଜିଲ୍ଲା ଆଇନ ସେବା ପ୍ରାକରଣ, କଟକ ଶ୍ରୀଯୁକ୍ତ ଜଗଦିଶ୍ ଚନ୍ଦ୍ର ଜେନା ଏହି ସଭାର ସ୍ବାଗତ ଭାଷଣ ପ୍ରଦାନ କରି ଶ୍ରମିକ ଦିବସର ଆଭିମୁଖ୍ୟ ବର୍ଣନା କରିଥିଲେ । ଏହି ସଭାରେ କଟକ ଜିଲ୍ଲାକୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଆଇନଜୀବୀ, ପାରା ଲିଗାଲ୍ ଭଲ୍ୟୁଣ୍ଡରମାନେ ତଥା ୫୦ରୁ ଊର୍ଦ୍ଧ୍ବ ଶ୍ରମିକ ଉପସ୍ଥିତ ରହିଥିଲେ । ଏହି ଦିବସ ଉପଲକ୍ଷେ ୧୭ଟି ଶ୍ରମିକ ପରିଚୟ ପତ୍ର, ୧୮ଟି ବିବାହ ସହାୟତା ରାଶି ଏବଂ ୧୫ଟି ମୃତ୍ୟୁକାଳୀନ ସହାୟତା ରାଶି ଶ୍ରମିକମାନଙ୍କୁ ପ୍ରଦାନ କରାଯାଇଥିଲା ।


