ରାଜ୍ୟସ୍ତରୀୟ ସଂସ୍କୃତ ଲଘୁଚଳଚିତ୍ର ମହୋତ୍ସବ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ସଂସ୍କୃତ ଭାଷାର ପ୍ରଚାର, ପ୍ରସାର ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ନିମନ୍ତେ ଆୟୋଜିତ ରାଜ୍ୟସ୍ତରୀୟ ସଂସ୍କୃତ ଲଘୁଚଳଚିତ୍ର ମହୋତ୍ସବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁନିଗୁଡ଼ା (ଓଏଭି) ଏକ ଗୌରବମୟ ସଫଳତା ହାସଲ କରିଛି। ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତ ଚଳଚିତ୍ର ଶ୍ରେଷ୍ଠ ବିବେଚିତ ହୋଇ ବିଜେତା ଟ୍ରଫି ହାସଲ କରିଛି। ଆଧୁନିକ ଯୁଗରେ ପ୍ରାଚୀନ ଦେବଭାଷା ସଂସ୍କୃତର ଗୁରୁତ୍ୱକୁ ସୃଜନଶୀଳ ମାଧ୍ୟମରେ ଉପସ୍ଥାପନ କରିବା ପାଇଁ ଏହି ମହୋତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁନିଗୁଡ଼ାର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ସଂସ୍କୃତ ଭାଷାଶିକ୍ଷକ ମିଥୁନ ବାଗଙ୍କ ନିର୍ଦେଶନାରେ ଏକ ସୁନ୍ଦର ତଥା ଶିକ୍ଷଣୀୟ ବାର୍ତ୍ତା ଭିତ୍ତିକ ଲଘୁଚଳଚିତ୍ର ପ୍ରଦର୍ଶନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏଥିରେ ବିଭିନ୍ନ ଭୂମିକାରେ ଅବିନାଶ ପଟେଲ, ଶିବରାମ ସାହୁ, ପୁରୁଷୋତ୍ତମ ସରାପ, ଲିଙ୍ଗରାଜ ବେହେରା, ମିନତୀ, ରୁଦ୍ରପ୍ରତାପ, ସାଇଲକ୍ଷ୍ମୀ, ବିଶ୍ୱଜିତ ଗୌଡ଼, ଆଶୁତୋଷ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ, ଏହି ଚଳଚ୍ଚିତ୍ରଟି ମୋଟ ପାଞ୍ଚଟି ପୁରସ୍କାର ବିଜୟ ଲାଭ କରିଛି l ଶ୍ରେଷ୍ଠ ଚଳଚ୍ଚିତ୍ର ତଥା ଶ୍ରେଷ୍ଠ ଶିଶୁ କଳାକାର ଭାବରେ ସମ୍ବିତ ନାୟକ, ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଦେବସ୍ମିତା ରାଉତ, ଶ୍ରେଷ୍ଠ ନିର୍ଦେଶକ ତଥା କାହାଣୀ ଲେଖକ ମିଥୁନ ବାଗ, ଶ୍ରେଷ୍ଠ କେମେରାମେନ ବିଭୁତି ବାରିକ ପୁରସ୍କାର ବିଜେତା ହୋଇଛନ୍ତି l ଏହି ଗୌରବମୟ ବିଜୟ ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ମିଲି ଷଣ୍ଢ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟର ସଂସ୍କୃତ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ପିଲାମାନଙ୍କର କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ