କିଶୋରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
କୋଣାର୍କ (ଓ୍ବାଇଏନଏସ): ସମଗ୍ର ରାଜ୍ୟରେ କିଶୋରୀ ବାଳିକାମାନଙ୍କ ସୁରକ୍ଷା , ଚାପମୁକ୍ତ ଜୀବନ , ପ୍ରତିଭା ବିକାଶ ଓ ଅପରାଧିକ କାର୍ଯ୍ୟକଳାପରୁ ମୁକ୍ତ ରଖିବା ପାଇଁ କୋଣାର୍କ ଥାନା ପରିସରରେ ଆୟୋଜିତ ଯୁଭେନ୍ତିକା ସଚେତନତା କାର୍ଯ୍ୟକ୍ରମକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ସାମ୍ପ୍ରତିକ ସମୟରେ କିଶୋରୀ ବାଳିକା ଓ ମହିଳା ମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ରଖିବା , ସେମାନେ କଥାରେ ବଶବର୍ତ୍ତୀ ନ ହୋଇ ଶିକାର ହେଉଥିବା ଯୌନ ନିର୍ଯାତନା ସମ୍ପର୍କରେ ନିଜର ଅଭିବ୍ୟକ୍ତ କରିବା , ଚାପମୁକ୍ତ ହୋଇ ନିଜର ପ୍ରତିଭାର ବିକାଶ କରିବା, ଅପରାଧିକ କାର୍ଯ୍ୟକଳାପର ଶିକାର ହେଲେ ପୋଲିସ ପ୍ରଶାସନକୁ ବିନା ସଙ୍କୋଚରେ ତଥ୍ୟ ପ୍ରଦାନ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିକଶିତ ସମାଜ ଗଠନରେ ବର୍ତୀ ହେବା ପାଇଁ ରାଜ୍ୟ ଅପରାଧିକ ଅନୁସନ୍ଧାନ ସଂସ୍ଥା (ସିଆଇଡ଼ି) ପକ୍ଷରୁ କିଶୋରୀ ସଚେତନତା କାର୍ଯ୍ୟକ୍ରମ ଯୁଭନ୍ତିକା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିଆରୀ , କୋଣାର୍କ ଥାନା ଏସଆଇ କେଦାର ନାଥ ଦୋରା ପ୍ରମୁଖ ଯୋଗ ଦେଇ କିଶୋରୀ ସଚେତନତା କାର୍ଯ୍ୟକ୍ରମ ଯୁଭନ୍ତିକା ର ଆଭିମୁଖ୍ୟ , ଲକ୍ଷ୍ଯ ଓ ଏହାର ଉପାଦେୟତା ସଂପର୍କରେ କିଶୋରୀ ବାଳିକାମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ଅଧିନସ୍ଥ ବିଭିନ୍ନ ଓ୍ବାର୍ଡର କିଶୋରୀ ବାଳିକା , ଅଙ୍ଗନବାଡି କର୍ମୀ , ଆଶା କର୍ମୀ ଓ ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୋଣାର୍କ ଥାନାର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ ।


