ପ୍ରଶାସନିକ ଅଧିକାରୀଙ୍କ ବ୍ୟବହାରକୁ ଜିଲ୍ଲା ଓକିଲ ସଙ୍ଘର ନିନ୍ଦା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଓ ଚକବନ୍ଦୀ ଅତିରିକ୍ତ କମିଶନରଙ୍କ ବ୍ୟବହାରକୁ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ନିନ୍ଦା କରିଛି। ଏହି ଦୁଇ ପ୍ରଶାସନିକ ଅଧିକାରୀ ନ୍ୟାୟିକ ବ୍ୟବସ୍ଥାକୁ ସଠିକ ଭାବେ ପାଳନ କରୁନାହାଁନ୍ତି। ଏଥିସହ ପେଶାଦାର ସମ୍ମାନ ପ୍ରଦାନ କରିବା ମଧ୍ୟ ଜାଣି ନାହାଁନ୍ତି। ଉପଜିଲ୍ଲାପାଳଙ୍କ କୋର୍ଟ ଓ ଚକବନ୍ଦୀ ଅତିରିକ୍ତ କମିଶନରଙ୍କ କୋର୍ଟରେ ଯେତେବେଳେ କୌଣସି ମାମଲା ରହୁଛି ଆଇନ୍ଜୀବୀମାନଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଉନାହିଁ। ଏହାସହ ମକଦ୍ଦମା ପରିଚାଳନା ଠିକ ଭାବେ କରୁନାହାଁନ୍ତି କି ମକଦ୍ଦମାକୁ ସଠିକ ସମୟସୀମା ମଧ୍ୟରେ ଶେଷ କରୁନାହାଁନ୍ତି। ଯଦ୍ୱାରା ଉଭୟଙ୍କ କୋର୍ଟରେ ବହୁ ମାଲିମକଦ୍ଦମା ଦୀର୍ଘ ବର୍ଷ ଧରି ପଡି ରହୁଛି। ଏହାଦ୍ୱାରା ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ପରିସ୍ଥିତିର ସୀମା ଅତିକ୍ରମ କରିବାରୁ ଜିଲ୍ଲା ଓକିଲ ସଂଘ ସଭାପତି ରବିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଡକାଯାଇଥିଲା। ଏଥିରେ ଉପଜିଲ୍ଲାପାଳ ଓ ଚକବନ୍ଦୀ ଅତିରିକ୍ତ କମିଶନରଙ୍କ ବ୍ୟବହାରକୁ ନିଦ୍ଦା କରାଯାଇଥିଲା। ଉଭୟ ଅଧିକାରୀଙ୍କ ବ୍ୟବହାର ଦ୍ୱାରା ଆଇନ୍ଜୀବୀମାନେ କ୍ଷୁବ୍ଧ ହୋଇଛନ୍ତି। ଏହି ଦୁଇ ପ୍ରଶାସନିକ ଅଧିକାରୀଙ୍କ ବ୍ୟବହାର ପ୍ରାକୃତିକ ନ୍ୟାୟିକ ବ୍ୟବସ୍ଥା(ପ୍ରିନ୍ସପୁଲ୍ସ ଅଫ ନାଚୁରାଲ ଜଷ୍ଟିସ)କୁ ରକ୍ଷା କରୁନାହିଁ। ଯାହା ଆଇନ୍ଜୀବୀମାନଙ୍କୁ ମାନସିକ ଆଘାତ ଦେଉଛି। ତେଣୁ ଏହାର ପ୍ରତିକାର କରାଯିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ଦାବି କରିଛି। ଏ ନେଇ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଜରିଆରେ ପ୍ରମୁଖ ଶାସନସଚିବଙ୍କ ଉଦ୍ଦେଶ୍ୟରେ ଅଭିଯୋଗପତ୍ର ପଠାଯାଇଛି। ଏହି ଅଭିଯୋଗପତ୍ର ପ୍ରଦାନ ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ସଭାପତି ରବି ନାରାୟଣ ମହାନ୍ତି ଉପସଭାପତି ନୃସିଂହ ରାଉତ, ସମ୍ପାଦକ ନିହାର ରଞ୍ଜନ ମହାପାତ୍ର, ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି, ଅକ୍ଷୟ ମହାନ୍ତି, ଭୀମସେନ ଭୂୟାଁ, ଗଗନ ବିହାରୀ ଜେନା, ସରୋଜରାଜ ସିଂ, ପ୍ରଭାତ ଅଧିକାରୀ ରମଣୀ ରଞ୍ଜନ ରାଉତରାୟ, ସେକ ଅଜିମୁଦ୍ଦିନ, ଜ୍ଞାନରଞ୍ଜନ ବାରିକ, ସନ୍ତୋଷ କୁମାର ମହାନ୍ତି, ବିଭୂ ପ୍ରସାଦ ସିଂହ,ରେଣୁବାଳା ସାମଲ,ସୁବାସ ଦାଶ,ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତରେ ମତାମତ ନେବା ପାଇଁ ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନକଲ ରିସିଭ ନକରିବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଏ ସଂକ୍ରାନ୍ତରେ ମତାମତ ନେବା ପାଇଁ ଚକବନ୍ଦୀ ଅତିରିକ୍ତ କମିଶନର ସୁଭାଶିଷ ମାନସିଂହଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଲେ ମୋର କେନ୍ଦ୍ରାପଡ଼ାର ସମସ୍ତ ଆଇନ୍ଜୀବୀଙ୍କ ସହ ଉତ୍ତମ ସଂପର୍କ ରହିଛି। କେଉଁ ପରିସ୍ଥିତିରେ ଅଭିଯୋଗ ହେଲା ତାହା ତାଙ୍କ ଜ୍ଞାତସାର ବାହାରେ ବୋଲି ସେ କହିଛନ୍ତି।


