ଜେଏମଏଫସି କୋର୍ଟ ପ୍ରତିଷ୍ଠା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର
ବଡ଼ସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ଠାରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ନେଇ ୨୦୨୩ ମସିହାରୁ ସରକାରୀ ଘୋଷଣା ହୋଇଛି।ମାତ୍ର ଅଦ୍ୟାବଧି ଏଥିନେଇ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆ ଯାଇନାହିଁ। ଏପରିକି କୌଣସି ଦଳ ପକ୍ଷରୁ ମଧ୍ୟ ରାଜନୈତିକ ତତ୍ପରତା ଦେଖାଯାଇନାହିଁ।ଏଣୁ ବ୍ଲକବାସୀଙ୍କ ହିତ ଦୃଷ୍ଟିରୁ ବଡ଼ସାହି ପ୍ରେସ କ୍ଳବ୍ ଏକ ପଦକ୍ଷେପ ନେବା ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲା।ଉକ୍ତ ନିଷ୍ପତ୍ତି କ୍ରମେ ସାମ୍ବାଦିକ ତଥା ବଡ଼ସାହି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରେସ କ୍ଳବ୍ ପକ୍ଷରୁ ଆଜି ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ତାଙ୍କ ପ୍ରକୋଷ୍ଠରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏଥିରେ ଅବହେଳା ପ୍ରଦର୍ଶନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।ମାତ୍ର ଜିଲ୍ଲାପାଳ ମହୋଦୟ ଉକ୍ତ ଦାବିକୁ ଗମ୍ଭୀରତାର ସହ ନେଇ ବଡ଼ସାହିରେ ଗୃହ ଯୋଗାଇ ଦେଲେ ୧ମାସ ମଧ୍ୟରେ ଅସ୍ଥାୟୀ ଭାବେ କୋର୍ଟ ଖୋଲାଯିବାର ପ୍ରତିଶ୍ରୁତି ଦେଇଛନ୍ତି।ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ୟବହାର ଉପଯୋଗୀ ତଥା ପୂର୍ବରୁ ଅସ୍ଥାୟୀ ଭାବେ ଚାଲିଥିବା ତହସିଲ କାର୍ଯ୍ୟାଳୟ ଗୃହ ରେ କୋର୍ଟ ଚାଲିପାରିବ ବୋଲି ଅବଗତ କରାଯାଇଛି।ଏଥିରେ ବରିଷ୍ଠ ସାମ୍ବାଦିକ ଅମିୟ କୁମାର ବଳା,ମନୋଜ କୁମାର ପଣ୍ଡା,ନିହାର ରଞ୍ଜନ ମହାପାତ୍ର,ଅଜିତ କୁମାର ସେନାପତି,ନିରଞ୍ଜନ ମହାନ୍ତ,ସୁରେଶ ଚନ୍ଦ୍ର ପତି, ଦୀପକ କୁମାର ମହାନ୍ତ ଙ୍କ ସମେତ ଅନେକ ପ୍ରତିନିଧି ସାମିଲ ହୋଇଥିଲେ।


