ବକ୍ସାଇଟ ପାଉଡର ବୋଝେଇ ୭ଟି ପିକଅପ ଅଟକ, ତଦନ୍ତ ଜାରି
ମୁନିଗୁଡ଼ା,୨/୬ (ନନ୍ଦ କିଶୋର ପଟ୍ଟନାୟକ): ସୋମବାର ରାତିରେ ଚୋରା ଚାଲାଣ ହୋଇ ୭ଟି ପିକଅପ ଗାଡିରେ ବକ୍ସାଇଟ ପାଉଡର ବୋଝେଇ ହୋଇ ଯାଉଥିବା ବେଳେ ମୁନିଗୁଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ଗାଡି ଗୁଡିକୁ ଅଟକ ରଖିଥିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି। ଏହି ପିକଅପ ଗାଡି ଗୁଡିକରେ ବକ୍ସାଇଟ ପାଉଡର କେଉଁ ଜାଗାରୁ ବୋଝେଇ ହୋଇ ଆସୁଥିଲା ଓ କେଉଁ ଜାଗାକୁ ଚୋରା ଚାଲାଣ ହେଉଥିଲା ତାହା ଜଣାପଡ଼ିନଥିବା ବେଳେ ଏହି ଚୋରା ଚାଲାଣ ସଂପର୍କରେ ମୁନିଗୁଡା ପୋଲିସ୍ ଖୋଲତାଡ ଆରମ୍ଭ କରିଛି। ପ୍ରକୃତରେ ଏହାର ମାଷ୍ଟର ମାଇଣ୍ଡ କିଏ ତାକୁ ବର୍ତ୍ତମାନ ପୋଲିସ ଖୋଜୁଥିବା ବେଳେ ବକ୍ସାଇଟ ପାଉଡର ହୋଇଥିବାରୁ ଏହା ନିକଟସ୍ଥ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନା କମ୍ପାନୀର ହୋଇଥିବ ଏବଂ ଏହାର ପଛରେ ନିଶ୍ଚିତ ଭାବେ କିଛି ପ୍ରଭାବଶାଳୀ ବ୍ୟକ୍ତି କିମ୍ଭା ଏକ ବଡ଼ ବକ୍ସାଇଟ ଚୋରା ଚାଲାଣ ରାକେଟ ଏବଂ ବଡ଼ ମାଫିଆ ମାନଙ୍କ ହାତ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ଏହା ବେଦାନ୍ତ ବକ୍ସାଇଟ କମ୍ପାନୀରୁ ତୋରି କରି ଅଣାଯାଇଛି ନା ସେଠାରୁ ବାହାରକୁ ବୋଝେଇ ଯାଉଥିବା ଗାଡ଼ିରୁ ଚୋରି କରାଯାଇ ବିକ୍ରୟ ପାଇଁ ଯାଉଥିଲା। ଏ ସଂପର୍କରେ ମୁନିଗୁଡା ପୋଲିସ୍ ତଦନ୍ତ ସରିଲା ପରେ ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି କହିଛି। ଅନ୍ୟପଟେ ଯଦି ଏପରି ଭାବେ କମ୍ପାନୀର ବକ୍ସାଇଟ ଚୋରି କରାଯାଉଛି ଏହାର ପଛରେ କିଏ ଓ କାହାର ହାତ ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାର ପଛରେ ଥିବା ରାକେଟକୁ ଶୀଘ୍ର ଲୋକ ଲୋଚନକୁ ଅଣାଯାଉ ବୋଲି ସାଧାରଣରେ ଦାବି ହେଉଛି।


