ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସମ୍ମାନିତ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ଭୁବନେଶ୍ୱର ଠାରେ ଅନୁଷ୍ଠିତ ଭାରତ ଭାଗ୍ୟ ବିଧାତା ହିନ୍ଦୀ ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ଅବସରରେ ମାଲକାନଗିରି ଜିଲ୍ଲାର ଦୁଇ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସମ୍ମାନିତ ହୋଇଛନ୍ତି । ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ର ମେଟ୍ରୋନ ସଂଯୁକ୍ତା ସେଠି ଓ ଶିଖପାଲ୍ଲୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱର୍ଣ୍ଣପ୍ରଭା ରାମ ମନୋନୀତ ହୋଇଥିଲେ l ଭୁବନେଶ୍ୱର ଠାରେ ଆୟୋଜିତ ଭାରତ ଭାଗ୍ୟ ବିଧାତା ଚଳଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଚଳଚ୍ଚିତ୍ରର ଅଭିନେତ୍ରୀ କଙ୍ଗନା ରାଣାୱତ ଯୋଗ ଦେଇ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିଲେ l ଏଥିରେ ମାଲକାନଗିରି ଜିଲ୍ଲାର ଦୁଇ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ମନୋନୀତ ହୋଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶ୍ରୀ ରାମ ମୁଖ୍ୟମନ୍ତ୍ରୀ ଓ ଅଭିନେତ୍ରୀ ରାଣାୱତଙ୍କ ଠାରୁ ସମ୍ମାନ ଗ୍ରହଣ କରିଥିଲେ l ପୂର୍ବରୁ ମେଟ୍ରୋନ ଶ୍ରୀମତୀ ସେଠି ମହା ମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଥିବା ବେଳେ ସିଏଚଓ ସୁଶ୍ରୀ ରାମ ୨୦୨୨-୨୩ ମସିହାରେ ପ୍ରଥମ କାୟାକଳ୍ପ ପୁରସ୍କାର, ୨୦୨୩-୨୪ ରେ ୨ୟ କୟାକଳ୍ପ ପୁରସ୍କାର, ୨୦୨୪-୨୫ ରେ ୨ ୟ କୟାକଳ୍ପ, ୨୦୨୫-୨୬ ରେ ୩ୟ କୟାକଳ୍ପ , ୨୦୨୩-୨୪ ରେ ଜିଲ୍ଲାର ପ୍ରଥମ ଏନକ୍ୱାସ ଓ ୨୦୨୪-୨୫ ରେ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ପୁରସ୍କାର ପାଇଛନ୍ତି l


