ଜଳୁନି ଷ୍ଟ୍ରିଟ୍ ଲାଇଟ, ସହରର ମୁଖ୍ୟ ରାସ୍ତା ଅନ୍ଧାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦୀର୍ଘ ଦିନ ଧରି ହିଞ୍ଜିଳିକାଟୁ ପୌରାଞ୍ଚଳରେ ବିଭିନ୍ନ ମୌଳିକ ସମସ୍ୟା ଲାଗିରହିଛି। ଏହାମଧ୍ୟରେ ସହରର ଷ୍ଟ୍ରିଟ୍ ଲାଇଟ୍ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭାହୋଉଛି। ୱାର୍ଡଠାରୁ ଆରମ୍ଭ କରି ସହରର ମୁଖ୍ୟରାସ୍ତା ସବୁଆଡ଼େ ଅନ୍ଧକାରମୟ। ସମସ୍ୟା ସମ୍ପର୍କରେ ଜନ ସାଧାରଣ ପୌର କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ମଧ୍ୟ ସମାଧାନ ହୋଇପାରୁନାହିଁ। ରାତିରେ ଅନ୍ଧକାରର ସୁଯୋଗ ନେଇ ସହରରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଚୋରି, ଛିନତାଇ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ୱାର୍ଡକଥା ଦୂରେ ଥାଉ, ସହରର ମୁଖ୍ୟରାସ୍ତା ୧୨ନଂ. ୱାର୍ଡ ଜାତୀୟ ରାଜପଥ ଠାରୁ ଲକ୍ଷ୍ମୀ ନୃସିଂହ ବିଦ୍ୟାଳୟ, ଲକ୍ଷ୍ମୀ ନୃସିଂହ କଳା ମନ୍ଦିର, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦେଇ ରାଜାତୋଟା ସାହି,ପାହାଡ ସାହି ରାସ୍ତାର ଷ୍ରୀଷ୍ଟ୍ ଲାଇଟ ଦୀର୍ଘ ଦିନ ଧରି ଲାଗୁନଥିରୁ ବହୁ ସ୍ଥାନ ଅନ୍ଧାର ରହୁଛି। ଅନ୍ଧାରରେ ସୁଯୋଗ ନେଇ ସଂପୃକ୍ତ ସ୍ଥାନରେ ମଦ୍ୟପ ମାନଙ୍କର ଆଡ୍ଡା ଜମୁଥିବା ଦେଖିବାକୁ ମିଳୁଛି। ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ଲକ୍ଷ୍ମୀ ନୃସିଂହ କଳା ମନ୍ଦିର, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ମଦ ବୋତଲ ଗଦା ଗଦା ହୋଇ ପଡୁଥିବା ଦେଖିବାକୁ ମିଳୁଛି। ସଂପୃକ୍ତ ଅଞ୍ଚଳରେ ଷ୍ରୀଷ୍ଟ୍ ଲାଇଟ୍ ଗୁଡିକ ମରାମତି ସକାଶେ ସଂପୃକ୍ତ ଓ୍ବାର୍ଡର କାଉନସିଲରଙ୍କ ଠାରୁ ଅଧ୍ୟକ୍ଷା ସମସ୍ତେ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି। କୁନି କୁନି ପିଲା ମାନେ ଲକ୍ଷ୍ମୀ ନୃସିଂହ କଳା ମନ୍ଦିରକୁ ନୃତ୍ୟ, ସଙ୍ଗୀତ ଶିକ୍ଷା ନେବାକୁ ଆସୁଥିବା ବେଳେ ଅନ୍ଧାର ରାଜୁତି ଯୋଗୁଁ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ସାହି ରାସ୍ତାରେ ଆଲୋକ ସୁବିଧା ନଥିବାରୁ ଏ ଦିଗରେ ପୌର କର୍ତ୍ତୁପକ୍ଷଙ୍କୁ ଦାୟୀ କରିଛନ୍ତି। ଏ ଦିଗରେ ପୌର କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଘଟଣା ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ।
ଫୋଟ -ସାହି ରାସ୍ତା ଅନ୍ଧକାର ସହ ବିଦ୍ୟାଳୟ ପରିସରରେ ମଦ ବୋତଲ ପଡି ରହିଛି


