ନୂତନ ଏସପିଙ୍କ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଆଇନ୍ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ନବନିଯୁକ୍ତ ଗଜପତି ଜିଲ୍ଲା ପୋଲିସ ଏସପି ପ୍ରହ୍ଲାଦ ସହାୟ ମୀନା ଗୁରୁତ୍ୱ ଆରୋପ କରିଛନ୍ତି. ଏସପି ଅଫିସ ପରିସରରେ ଆୟୋଜିତ ବିସ୍ତୃତ ଅପରାଧ ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀମାନଙ୍କୁ ପୋଲିସ ବ୍ୟବସ୍ଥାକୁ ସାଧାରଣଙ୍କ ଠାରେ ପହଞ୍ଚାଇବା ପାଇଁ ସେ ନିର୍ଦେଶ ଦେଇଛନ୍ତି. ଏହି ବୈଠକରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଯୋଗଦେଇ ବିଭିନ୍ନ ତଦନ୍ତ ଆଇନ ମାମଲାର ପ୍ରଗତି, ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏସ୍ପି ଶ୍ରୀ ମୀନା ମାମଲା ଗୁଡିକର ନିରପେକ୍ଷ, ଗୁଣାତ୍ମକ ଓ ସମୟବଦ୍ଧ ତଦନ୍ତ ଉପରେ ଗୁରୁତ୍ୱ ଦେବା ସହ ଦୀର୍ଘଦିନ ଧରି ବକେୟା ଥିବା ମାମଲାର ଶୀଘ୍ର ସମାଧାନ, ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯାଗପତ୍ର ଦାଖଲ ଏବଂ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନଲାଇନ୍ ଠକେଇ, ବ୍ୟାଙ୍କ ଜାଲିଆତି ଓ ସାମାଜିକ ଗଣମାଧ୍ୟମ ଜରିଆରେ ହେଉଥୁବା ଅପରାଧ ବିରୋଧରେ ଅଧିକ ତତ୍ପରତାର ସହ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଠାରେ ସାଇବର ସଚେତନତା ବଢ଼ାଇବାକୁ ନୂତନ ଏସପି ଶ୍ରୀ ମୀନା ନିର୍ଦ୍ଦେଶ ଦେବା ସହ ମାଦକଦ୍ରବ୍ୟ କାରବାର ଓ ନିଶା ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରିବା, ନିଶା କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରିବା ଏବଂ ଯୁବପିଢ଼ିଙ୍କୁ ନିଶାର କବଳରୁ ରକ୍ଷା କରିବା ଉପରେ ମଧ୍ୟ ଜୋର ଦେଇଥିଲେ ।


