ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ମାସ ହେବ କର୍ମଚାରୀ ଅଭାବ ଯୋଗୁ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ୧୪୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଏସମସ୍ତ ବିଦ୍ୟାଳୟ ଗୁଡିକରେ ୫୮୭ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି । ଏପରିସ୍ଥଳେ ସରକାରଙ୍କର ବିଭିନ୍ନ ଯୋଜନା, ସରକାରୀ କାର୍ଯ୍ୟ ଏବଂ ବିଦ୍ୟାଳୟ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ପାଦିତ ହୋଇଥାଏ । ମାତ୍ର ଏହି କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନଥିବାରୁ ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଉକ୍ତ କାର୍ଯ୍ୟାଳୟରେ ଜଣେ ବିଇଓ(ବ୍ଲକ ଶିକ୍ଷାଧିକାରୀ), ୩ ଜଣ ଏବିଇଓ, ୩ ଜଣ କିରାଣୀ ସମେତ ଅନ୍ୟ କର୍ମଚାରୀ ରହିବା କଥା । କିନ୍ତୁ ଗତ ୨୦୨୪ ଏପ୍ରିଲ ଠାରୁ ଏଠାରେ କୌଣସି ସ୍ଥାୟୀ ବିଇଓ ନଥିବାରୁ ଭଦ୍ରକ ଏନ.ସି.ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡ.ସୁକୀର୍ତ୍ତି କର ଉକ୍ତ କାର୍ଯ୍ୟାଳୟର ଭାରପ୍ରାପ୍ତ ବିଇଓ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ମାତ୍ର ଗତ ମେ ୨୫ରେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିବା ବେଳେ ଏହି କାର୍ଯ୍ୟାଳୟରେ ବିଇଓ ପଦବୀ ଖାଲି ପଡିଛି । ସେହିପରି ଏଠାରେ ୩ ଜଣ ଏବିଇଓ ଆବଶ୍ୟକ ଥିବା ବେଳେ ଜଣେ ଏବିଇଓ ବିଆରସିସି ଏବଂ ଏବିଇଓ ଭଳି ଦୁଇଟି ପଦବୀର କାର୍ଯ୍ୟ ସମ୍ଭାଳିଛନ୍ତି । ୩ ଜଣ କିରାଣୀ ଆବଶ୍ୟକ ଥିବା ବେଳେ ଡିଇଓ ଅଫିସରୁ ଆସିଥିବା ଜଣେ କିରାଣୀ ଅଫିସ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏଭଳି ପରିସ୍ଥିତିରେ ଉଭୟ ଶୈକ୍ଷିକ, ଅଣ ଶୈକ୍ଷିକ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ କାର୍ଯ୍ୟ ଗୁଡିକ ସୂଚାରୁରୂପେ ସମ୍ପାଦିତ ହୋଇପାରୁନଥିବା ଜଣାଯାଇଛି । ସେହିପରି ଏହି କାର୍ଯ୍ୟାଳୟର ଭିତ୍ତିଭୂମିର ଅବସ୍ଥା ଅତି ଦୟନୀୟ ହୋଇପଡିଛି । ବର୍ଷା ଦିନେ ଅଫିସ ଆଗରେ ପାଣି ଜମି ରହିବା ଫଳରେ ଯାତାୟତରେ ସମସ୍ୟା ଦେଖାଯାଉଛି । ଅଫିସ ଗୃହ ଗୁଡିକ ବହୁ ଦିନର ପୁରୁଣା ହୋଇଯାଇଥିବାରୁ କାନ୍ଥ ସବୁ ଫାଟି ଆଁ କରିଥିବା ଦେଖାଯାଇଛି । ପ୍ରକାଶ ଥାଉକି, ଉକ୍ତ ବ୍ଲକ ରାଜନୈତିକ ଦୃଷ୍ଟି କୋଣରୁ ରାଜ୍ୟରେ ଗୁରୁତ୍ୱ ବହନ କରିଆସିଛି । ଏହି ବ୍ଲକରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ, ସାଂସଦ ମହାରତ୍ନ କଟକର ସାଂସଦ ଭର୍ତ୍ତୃହରି ମହତାବ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀଙ୍କ ଜନ୍ମ ମାଟି । ସେହିପରି ବର୍ତ୍ତମାନର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନାଙ୍କ ନିଜ ଘର ଏହି ବ୍ଲକରେ ଅବସ୍ଥିତ । ଏପରିସ୍ଥଳେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଦୁରବସ୍ଥା ପ୍ରତି କାହାର ନଜର ନଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ