ଖାମ୍ବାଗୁଡା ଓ ତୁରକାନିଗୁଡା ଗ୍ରାମବାସୀଙ୍କୁ ମିଳିଛି ଘରଢ଼ିହ ପଟ୍ଟା: ହୋଇପାରୁନି ଜାଗା ଚିହ୍ନଟ

ଗୁଣପୁର,(ୱାଇଏନଏସ): ଓଡିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଡିଣ୍ଡିମ ମାରି କହୁଛନ୍ତି ଘରଢିହ ନଥିବା ଲୋକଙ୍କୁ ଜାଗା ଯୋଗାଇ ଦିଆଯିବ। ଏପଟେ ଦୀର୍ଘ ବର୍ଷ ହେଲା ପ୍ରଶାସନ ଗ୍ରାମବାସୀଙ୍କୁ ଘରଢିହ ପଟ୍ଟା ଧରେଇ ଦେଇ ଜାଗା ଚିହ୍ନଟ କରି ହସ୍ତାନ୍ତର କରିପାରିନାହିଁ। ଏହିଭଳି ରାୟଗଡ଼ା ଜିଲ୍ଲା, ଗୁଣପୁର ବ୍ଳକ୍, ଗାଦିଆଖଳା ଗ୍ରାମ ପଂଚାୟତ ଅନ୍ତର୍ଗତ ଖାମ୍ବାଗୁଡ଼ା ଓ ତୁରକାନିଗୁଡ଼ା କାଲୋନୀର ଗ୍ରାମବାସୀ ଅଭିଯୋଗ କରି ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି। ଦୀର୍ଘ ୨୦-୩୦ ବର୍ଷ ପୂର୍ବେ ରାଜସ୍ବ ବିଭାଗ ତରଫରୁ ବାସହରା କାରଣରୁ ଖାମ୍ବାଗୁଡ଼ା ମୌଜାର ଖାତା ନଂ. ୨୪(ଆବାଦ ଯୋଗ୍ୟ ଅନାବାଦୀ), ପ୍ଲଟ ନଂ. ୭୫, କିସମ-ପତିତ ରେ ରକବା ଏ. ୦.୦୨ ସଂଟ୍‌ରୁ ଏ. ୦.୦୪ ସେଟ୍ ହିସାବରେ ଲିଜ୍ ସୂତ୍ରରେ ମୋଟ ଏକାବନ (୫୧) ପରିବାରକୁ ଘରଡ଼ିହ ପଟ୍ଟା ଖଣ୍ଡେ ଖଣ୍ଡେ ପ୍ରଦାନ କରାଯାଇଥିଲା । ଉକ୍ତ ପଟ୍ଟା ଆବେଦନ ସମୟରେ ଖାଦିଆଖଳାର ତତ୍କାଳୀନ ରାଜସ୍ବ ନିରୀକ୍ଷକ, ଉକ୍ତ ପ୍ଳଟ ନିକଟକୁ ନ ଯାଇ ମୁଖ୍ୟରାସ୍ତା ଉପରେ ଥାଇ ଅଙ୍ଗୁଳି ନିର୍ଦ୍ଦେଶ କ୍ରମେ ସେମାନେ ପାଇଥିବା ଘରଢ଼ିହ ଜାଗାର ସୀମା ନିର୍ଦ୍ଧାରଣ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ପଟ୍ଟା ପାଇଥିବା ଗ୍ରାମବାସୀଙ୍କ ଜାଗା ଚିହ୍ନଟ ହୋଇପାରିନାହିଁ । ଜାଗା ଚିହ୍ନଟ ହୋଇପାରିନଥିବାରୁ ବିଭିନ୍ନ ଯୋଜନାରେ ଘର ପାଇବାରେ ମଧ୍ୟ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କୁ ଲିଖିତ ଦେଇଥିବା ସ୍ମାରକ ପତ୍ରରେ ଦର୍ଶାଯାଇଛିଯେ ସେମାନେ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟର ନିହାତି ଗରୀବ, ଖଟିଖୁଆ ଶ୍ରେଣୀର। ପ୍ରତିଦିନ କୁଲି ମଜୁରୀ ନ କଲେ ପରିବାରର ପ୍ରତିପୋଷଣ କରିବା କଷ୍ଟକର ହେଉଅଛି | ବର୍ତ୍ତମାନ ବାସହରା ହୋଇ ଯୌଥ ପରିବାରରେ ମୁଣ୍ଡ ଗୁଞ୍ଜିବାକୁ କୌଣସି ଜାଗା ନ ଥିବାରୁ ତାଙ୍କ ଗୁହାରି ପ୍ରତି ଗୁରୁତ୍ବ ଦେବାକୁ ପ୍ରଶାସନ କଳକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ଦ୍ବାରା ବିଭିନ୍ନ ଆବାସ ଯୋଜନାରେ ବାରମ୍ବାର ସେମାନଙ୍କ ନାମ ତାଲିକାଭୁକ୍ତ ହେଉଛି । କିନ୍ତୁ ତାଙ୍କ ନାଁରେ ଥିବା ପଟ୍ଟାର ଜମି ଚିହ୍ନଟ ହୋଇନଥିବାରୁ ଘର କିମ୍ବା ବ୍ୟାଙ୍କରୁ ଋଣ ପାଇବାରୁ ବଞ୍ଚିତ ହେଉଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ଏହି ଦୁଇ ଗ୍ରାମର ଗ୍ରାମବାସୀ ବାରମାର ତହସିଲ କାର୍ଯ୍ୟାଳୟକୁ ଯାଇ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ। ବର୍ତମାନ ଖାଂବାଗୁଡା ଓ ତୁରକାନିଗୁଡା ଗ୍ରାମବାସୀଙ୍କୁ ମିଳିଥିବା ପଟ୍ଟା ଜମି ଉପରେ ବାୟାଗୁଡ଼ା ଗ୍ରାମର କିଛି ବ୍ୟକ୍ତିମାନେ ଜୋର ଜବରଦସ୍ତ ଖୁଣ୍ଟ ପୋତି ଜାଗାକୁ ମାଡ଼ି ବସିଥିବା ନେଇ ଅଭିଯୋଗ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଜମି ଚିହ୍ନଟ କରି ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।ଅପର ପକ୍ଷରେ ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ ଆଶ୍ବସନା ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ