କାକଟପୁର-ଅସ୍ତରଙ୍ଗରେ ସ୍ମୋକ ପାନଠୁ ଫାୟାର ପାନ ସବୁଠି ଭିଡ଼

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ରଜ ମାନେ ଖାଲି ଦୋଳି ଓ ପିଠା ନୁହେଁ, ପାନର ମହକ ବି। ଓଡିଶାର ଗଣପର୍ବ ରଜକୁ ଅଧିକ ରଙ୍ଗୀନ କରିବା ପାଇଁ ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଏଥର ଖୋଲିଛି ସ୍ୱତନ୍ତ୍ର ‘ରଜ ପାନ ଦୋକାନ ’। ଏହି ବଜାର କେବଳ ରଜର ତିନି ଦିନ – ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମିଦାହ ପାଇଁ ଖୋଲା ରହିବ। ପାରମ୍ପରିକ ସାଦା ପାନ ଠାରୁ ଆରମ୍ଭ କରି ଆଜିକାଲିର ଯୁବପିଢିଙ୍କ ପସନ୍ଦର ସ୍ମୋକ ପାନ, ଫାୟାର ପାନ, ଆଇସ ପାନ, ଚକଲେଟ ପାନ, ଷ୍ଟ୍ରବେରୀ ପାନ ଯାଏଁ ସବୁ ଉପଲବ୍ଧ। ଦାମ ବି ସମସ୍ତଙ୍କ ବଜେଟକୁ ଦେଖି – ମାତ୍ର ୫ଟଙ୍କାର ସାଦା ପାନଠୁ ୫୦ ଟଙ୍କାର ସ୍ପେଶାଲ ସ୍ମୋକ ପାନ ଯାଏଁ। ଗୁଆ, ଚୂନ, ଖଇର ତ ଅଛି, ତା ସହ ଗୁଲକନ୍ଦ, ଚେରି, ମୌରି, ଧନିଆ ଦାଳି, ନଡିଆ କୋରା, ଖଜୁରି ସମେତ ୧୫ରୁ ଅଧିକ ମସଲା ପକାଇ ପାନକୁ ସ୍ୱତନ୍ତ୍ର କରାଯାଉଛି। ସ୍ମୋକ ପାନରେ ଲିକ୍ୱିଡ ନାଇଟ୍ରୋଜେନ ପକାଇ ଧୂଆଁ ବାହାର କରାଯାଉଛି, ଯାହା ଯୁବପିଢିଙ୍କୁ ବେଶ ଆକର୍ଷିତ କରୁଛି। ପରମ୍ପରା ଅନୁସାରେ ରଜରେ ଝିଅ-ବୋହୂମାନେ ତିନି ଦିନ କାମ କରନ୍ତି ନାହିଁ। ଦୋଳି ଖେଳିବା, ନୂଆ ପୋଷାକ ପିନ୍ଧିବା ସହ ପାନ ଖାଇବା ହେଉଛି ରଜର ଅଂଶ। ପାନ ନଖାଇଲେ ରଜ ଅଧୁରା ବୋଲି ବୟସ୍କ ମହିଳାମାନେ କୁହନ୍ତି। ସେଥିପାଇଁ ପୁରୁଷମାନେ ମଧ୍ୟ ଘର ମହିଳାମାନଙ୍କ ପାଇଁ ପାନ କିଣି ନେଉଛନ୍ତି। ଦୋକାନରେ ଖାଇବା ସହ ୧୦-୨୦ ଖିଲି ପାନ ପ୍ୟାକ କରି ଘରକୁ ନେଉଥିବା ଦୃଶ୍ୟ ସାଧାରଣ ହୋଇଗଲାଣି। ଅସ୍ତରଙ୍ଗ ବଜାରର ପାନ ଦୋକାନୀ ରମେଶ ସାହୁ କହିଛନ୍ତି “ସାଧାରଣ ଦିନରେ ଦିନକୁ ୩ଶହ ଖିଲି ପାନ ବିକ୍ରି ହେଲେ ରବିବାର ୨ହଜାର ଟପିଲାଣି। ସକାଳ ୭ଟାରୁ ରାତି ୧୦ଟା ଯାଏଁ ଭିଡ଼ ଲାଗିଛି।” କାକଟପୁରର ମା ମଙ୍ଗଳା ପାନ ଦୋକାନରେ ସ୍ମୋକ ପାନ ପାଇଁ ଯୁବପିଢିଙ୍କ ଲମ୍ବା ଧାଡି। ଜଣେ କଲେଜ ଛାତ୍ର କହିଛନ୍ତି , “ସ୍ମୋକ ପାନର ଭିଡିଓ କରି ଇନଷ୍ଟାରେ ଦେଲେ ବହୁତ ଲାଇକ ଆସୁଛି। ରଜ ମଉଜ ସହ ସୋସିଆଲ ମିଡିଆ ମଉଜ ବି ହୋଇଯାଉଛି।” ରଜ ପାନ କେବଳ ବ୍ୟବସାୟ ନୁହେଁ, ଏହା ଓଡିଆ ପରମ୍ପରା ଓ ସଂସ୍କୃତିର ଏକ ମିଠା ଅଂଶ। ପୁରୀ ଜିଲ୍ଲାର ଏହି ପାନ ପରମ୍ପରା ଆଜି ବି ନୂଆ ପିଢିକୁ ବାନ୍ଧି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ