କମୁଛି ଫଟୋ ଷ୍ଟୁଡିଓର ଚାହିଦା, ଚିନ୍ତାରେ ମାଲିକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦିନ ଥିଲା ଫଟୋ ଷ୍ଟୁଡିଓ ହିଁ ଫଟୋ ଉଠାଇବାର ଏକ ମାତ୍ର ସ୍ଥାନ ଥିଲା । ହେଲେ ଏବେ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଓ ଡିଜିଟାଲ କ୍ୟାମେରାର ବହୁଳ ବ୍ୟବହାର ଯୋଗୁଁ ସତ୍ତା ହରାଇବାକୁ ବସିଲାଣି ଫଟୋ ଷ୍ଟୁଡିଓ । ଷ୍ଟୁଡିଓ ଏବେ ନିଜର ପୂର୍ବାବସ୍ଥା ଫେରି ଆସିବାକୁ ସତେ ଯେମିତି ସଂଘର୍ଷ କରୁଛି । ବିଗତ ୨୦ ବର୍ଷ ପୂର୍ବେ ହିଞ୍ଜିଳିକାଟୁ ପୌରାଞ୍ଚଳରେ ମାତ୍ର ୨ଟି ଫଟୋ ଷ୍ଟୁଡିଓ ରହିଥିଲା । ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଫଟୋ ଷ୍ଟୁଡିଓ ନଥିଲା । ଲୋକେ ଫଟୋ ଉଠାଇବା ପାଇଁ ହିଞ୍ଜିଳିକାଟୁ ସହରକୁ ଆସୁଥିଲେ । ହେଲେ ବର୍ତ୍ତମାନ ହିଞ୍ଜିଳିକାଟୁ ପୌରାଞ୍ଚଳରେ ୧୦ରୁ ୧୨ଟି ଫଟୋ ଷ୍ଟୁଡିଓ ରହିଥିବା ବେଳେ ନିକଟବର୍ତ୍ତୀ ପ୍ରତ୍ୟେକ ଗ୍ରାମରେ ଗୋଟାଏ ରୁ ଦୁଇଟି ଲେଖାଏଁ ଫଟୋ ଷ୍ଟୁଡିଓ ଗଢି ଉଠିଛି । ବିବାହ, ବ୍ରତ, ଜନ୍ମଦିନ ସମେତ ବିଭିନ୍ନ ପର୍ବପର୍ବାଣୀ ଓ ମାଙ୍ଗଳିକ କାର୍ଯ୍ୟ ସମୟରେ ଫଟୋ ଷ୍ଟୁଡିଓ ଗୁଡିକରେ ଲୋକମାନଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳୁଥିଲା । ଲୋକମାନେ ସୁନ୍ଦର ସୁନ୍ଦର ଫଟୋ ଉଠାଇବା ପାଇଁ ଫଟୋ ଷ୍ଟୁଡିଓ ଗୁଡିକରେ ଲାଇଟ୍ ବଲବ୍‌, ବିଭିନ୍ନ ପ୍ରକାରର ଖେଳଣା, କଣ୍ଢେଇ ସହିତ ବ୍ୟାକ୍‌ଗ୍ରାଉଣ୍ଡ ସ୍କ୍ରିନ୍ ମହଜୁଦ ରହୁଥିଲା ବଲବ୍ ସେଟ୍‌, ଡାର୍କରୁମ୍‌, ଏନ୍‌ଲାର୍ଜର, ଫଟୋକଟର, ଆଟା ମାରଣ୍ଟ, ଗ୍ଳେଜିଙ୍ଗ ପ୍ଳେଟ୍‌, ରୋଲର, ବ୍ୟାକ୍‌ଗ୍ରାଉଣ୍ଡ ସ୍କ୍ରିନ୍ କପଡା ପ୍ରମୁଖ ସାମଗ୍ରୀ ଷ୍ଟୁଡିଓ ଗୁଡିକରେ ବ୍ୟବହାର ହୋଇ ଆସୁଥିଲା । । ହେଲେ ବର୍ତ୍ତମାନ ସମୟରେ ଲୋକମାନେ ପୂର୍ବଭଳି ଫଟୋ ଉଠାଇବା ପାଇଁ ଷ୍ଟୁଡିଓକୁ ଆସୁନଥିବାରୁ ସେହି ଜିନିଷ ଗୁଡିକ ଅଲୋଡା ହୋଇ ପଡିରହିବା ସହ ନଷ୍ଟ ହେବାକୁ ବସିଲାଣି । ବୈଷୟିକ ଉନ୍ନତି ଫଳରେ ଫଟୋକୁ ଏଡିଟ୍ କରିବା ପାଇଁ ଗତ କିଛି ବର୍ଷ ହେଲା ଫଟୋସପ୍ ଭଳି ବହୁ ସପ୍ଟୱେର ଆସିଯାଇଛି । ଯାହାଫଳରେ ଷ୍ଟୁଡିକ ଗୁଡିକରେ ଉକ୍ତ ସାମଗ୍ରୀ ଗୁଡିକ ସବୁ ଦିନ ଲାଗି ସ୍ମୃତି ହୋଇ ରହିଗଲା । କଲର ଫଟୋ ପ୍ରିଣ୍ଟିଙ୍ଗ ପାଇଁ ହିଞ୍ଜିଳିକାଟୁ ଅଞ୍ଚଳରେ କଲର ଲ୍ୟାବ୍ ନଥିବାରୁ ହିଞ୍ଜିଳିକାଟୁ ଅଞ୍ଚଳର ଫଟୋ ଷ୍ଟୁଡିକ ମାଲିକ ମାନେ ବ୍ରହ୍ମପୁର କିମ୍ବା ରାୟପୁର ଓ ବିଶାଖାପାଟଣା ଉପରେ ନିର୍ଭର କରୁଥିଲେ । ବର୍ତ୍ତମାନ ସମୟରେ ସମସ୍ତଙ୍କ ହାତରେ ରହିଛି ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍ । ଯେଉଁଥିରେ ମିଳୁଛି ଭଳିକି ଭଳି କ୍ୟାମରୋ ଫିଚର୍ ଥିବା ସୁବିଧା । ଯାହାଫଳରେ ବର୍ତ୍ତମାନର ଯୁବପିଢି ଫଟୋ ଉଠାଇବା ପାଇଁ ଫଟୋ ଷ୍ଟୁଡିଓରୁ ମୁହଁ ଫେରାଉଛନ୍ତି । ଦିନକୁ ଦିନ ଫଟୋ ଷ୍ଟୁଡିଓ ବ୍ୟବସାୟ କମି ଆସୁଥିବା ବେଳେ ଆଗାମୀ ଦିନରେ ଫଟୋ ଷ୍ଟୁଡିଓ ଇତିତାସ ହୋଇ ରହିଯିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ଏ ନେଇ ସ୍ଥାନୀୟ ଅଞ୍ଚଳର କିଛି ଫଟୋ ଷ୍ଟୁଡିଓ ମାଲିକ କହିଛନ୍ତି ଦୀର୍ଘ ୩୦ରୁ ୩୫ ବର୍ଷ ଧରି ଫଟୋଗ୍ରାଫି କରି ଆସିଛନ୍ତି । ପୂର୍ବରୁ ତାଲିମ ପାଇଥିବା ଫଟୋଗ୍ରାଫର ମାନେ ଫଟୋ ଉଠାଉଥିଲେ । କିନ୍ତୁ ଏବେ କଲେଜ ପିଲାମାନେ ରୋଜଗାର ପାଇଁ କ୍ୟାମେରା କିଣି ଫଟୋଗ୍ରାଫି କରୁଛନ୍ତି । ଫଳରେ ତାଲିମ ଗ୍ରହଣ କରିଥିବା ଫଟୋଗ୍ରାଫର ଓ ଷ୍ଟୁଡିଓ ମାଲିକ ମାନେ ନିଜର ରୋଜଗାର ହରାଇବାକୁ ବସିଲେଣି । ବର୍ତ୍ତମାନ ପୂର୍ବାପେକ୍ଷା ୨୦% ଅର୍ଡର ଆସୁଛି । ଫଳରେ ଘରଭଡା ଦେବା ମଧ୍ୟ କଷ୍ଟକର ହୋଇପଡିଛି । ନେଟ୍ ଜୋନ ଓ ଜେରକ୍ସ ଦୋକାନ ଗୁଡିକରେ ପାସଫଟୋ ପ୍ରିଣ୍ଟ୍ କରାଯାଉଥିବାରୁ ଯୁବପିଢି ଆଣ୍ଠ୍ରଏଡ୍ ମୋବାଇଲରେ ଫଟୋ ଉତ୍ତୋଳନ କରି ସେଠାରେ ହିଁ ଫଟୋ ପ୍ରିଣ୍ଟ କରୁଥିବାରୁ ଷ୍ଟୁଡିଓ ବ୍ୟବସାୟ ମାନ୍ଦାବସ୍ଥାକୁ ଫେରିଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ