ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

କଟକ, (ଓ୍ବାଇଏନଏସ) : ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଆଜି ପୂର୍ବାହ୍ନରେ ମାନ୍ୟବର ବିଧାୟିକା ଇଂ ସୋଫିଆ ଫିରଦୋସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ବ ଅନୁମୋଦିତ କାର୍ଯ୍ୟ ସମ୍ପର୍କରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯାଇଥିଲା । ବୈଠକରେ କଟକ ରିଙ୍ଗ ରୋଡ, ଚଣ୍ଡୀ ମନ୍ଦିର, ଚହଟା ଠାରୁ ମଧୁସୂଦନ ସେତୁ, ରେଭେନ୍ସା ବାଳିକା ବିଦ୍ୟାଳୟ, ରୂପା ତାରକସି ହବ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରୂପା ତାରକସି ହବ୍ ତାରକସି କାରିଗରମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି କରାଇବା ସହିତ ଉନ୍ନତ ବଜାର ସୁବିଧା ଯୋଗାଇଦେବାରେ ସହାୟକ ହେବ । ଏହି ପାରମ୍ପରିକ କଳାକୁ ଆଗକୁ ନେବାକୁ କାରିଗରମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କ ମତାମତକୁ ଗୁରୁତ୍ଵ ଦିଆଯିବ ବୋଲି ମାନ୍ୟବର ବିଧାୟିକା ମତବ୍ୟକ୍ତ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ବିକାଶ, ଗଡଖାଇର ଉନ୍ନତିକରଣ, ନିୟମିତ ରକ୍ଷଣାବେକ୍ଷଣ ଉପରେ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଶିଶୁଭବନର ଉନ୍ନତିକରଣ , ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁଦୃଢ କରିବା, ଡାକ୍ତରଖାନାରେ ଛୁଟିଦିନ ଗୁଡିକରେ କିଭଳି ରୋଗୀସେବା ବାଧାପ୍ରାପ୍ତ ନହେବ ଏବଂ ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଉପସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଥିଲେ । ଡ୍ରେନେଜ ନବୀକରଣ ଓ ଡ୍ରେନେଜ ଯୋଗୁ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟାର କିଭଳି ତୁରନ୍ତ ସମାଧାନ ହୋଇପାରିବ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ନିର୍ବାଚନ ମଣ୍ଡଳୀର ସୌନ୍ଦର୍ଯ୍ୟକରଣ ,ପାନୀୟଜଳ ଯୋଗାଣ , ବିଦ୍ୟୁତ ସେବା, ବୃକ୍ଷରୋପଣ , କ୍ରୀଡା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରି ଏହାର ତ୍ଵରିତ ସମାଧାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଆବଶ୍ୟକ ସହାୟତା ଯୋଗାଇଦେବାକୁ ବିଭାଗୀୟ କର୍ମଚାରୀ ମାନଙ୍କୁ ବୈଠକରେ ମାନ୍ୟବର ବିଧାୟିକା ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାୟକ , ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ,କଟକ ମହାନଗର ନିଗମ ଅତିରିକ୍ତ ଆୟୁକ୍ତ ସୋନା ଟୁଡୁ, ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସଂଗୀତା ସାହୁ ଏବଂ ଉପନିର୍ଦେଶକ, ବିଶ୍ଵରଞ୍ଜନ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ