ଶିକ୍ଷାଅଧିକାରୀଙ୍କ ବଦଳି ବାତିଲ ପାଇଁ ଦାବି
ଅସ୍ତରଙ୍ଗ/କାକଟପୁର,(ସୁଭାଶିଷ ଖଣ୍ଡୁଆଳ): ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ । ସେହି ମେରୁଦଣ୍ଡକୁ ଦୃଢ କରୁଥିବା ଜଣେ ନିଷ୍ଠାବାନ ଶିକ୍ଷା ପ୍ରଶାସକଙ୍କୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ମାଟିରୁ ଅଲଗା କରିବା ନିଷ୍ପତ୍ତି ଏବେ ସମଗ୍ର ଅଞ୍ଚଳରେ ଝଡ ସୃଷ୍ଟି କରିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ମଣ୍ଡଳ ଶିକ୍ଷାଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀକାନ୍ତ କୁମାର ସ୍ୱାଇଁଙ୍କୁ କଟକ ରେଭେନ୍ସା କଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ବଦଳି ଆଦେଶ ପ୍ରେରଣ ହୋଇଛି। ଏହି ଖବର ଶୁଣି ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ୱାଇଁ ହେଉଛନ୍ତି ଜଣେ ଶାନ୍ତ, ସରଳ ଓ କର୍ମନିଷ୍ଠ ବ୍ୟକ୍ତିତ୍ୱ । ବ୍ଲକ ଶିକ୍ଷାଧିକାରୀ ଭାବେ ତାଙ୍କର ରହଣି କାଳ ମଧ୍ୟରେ ଅସ୍ତରଙ୍ଗ ବ୍ଲକରେ ଶିକ୍ଷାର ଶ୍ରୀବୃଦ୍ଧି ପାଇଁ ସେ ଯେଉଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛନ୍ତି ତାହା ପ୍ରଶଂସନୀୟ । ପିଲାଙ୍କୁ ସଠିକ୍ ସମୟରେ ମାଗଣା ପୋଷାକ ବଣ୍ଟନ, ମଧ୍ୟାହ୍ନ ଭୋଜନର ଗୁଣବତ୍ତା ସୁନିଶ୍ଚିତ କରିବା, ଶିକ୍ଷାର ବିକାଶ ପାଇଁ ସମସ୍ତ ସରକାରୀ ଯୋଜନାର ସୁଚାରୁରୂପେ କାର୍ଯ୍ୟକାରିତା ପ୍ରତିଟି କ୍ଷେତ୍ର ରେ ତାଙ୍କର ଦକ୍ଷତା ପ୍ରମାଣିତ ହୋଇଛି । ତାଙ୍କ କାର୍ଯ୍ୟଶୈଳୀ ଯୋଗୁଁ ଅସ୍ତରଙ୍ଗର ଅନେକ ସ୍କୁଲ୍ ରାଜ୍ୟ ସ୍ତରରେ ପ୍ରଶଂସା ପାଇଛି । ସୂଚନାଯୋଗ୍ୟ ଯେ ସ୍ୱାଇଁ ପୂର୍ବରୁ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ସଫଳତାର ସହ କାର୍ଯ୍ୟ କରୁଥିବା ବେଳେ ତାଙ୍କର କାର୍ଯ୍ୟଦକ୍ଷତା ଓ ଗୁଣବତ୍ତା ଉପରେ ଆସ୍ଥା ରଖି ଉପରିସ୍ଥ ଅଧିକାରୀ ତାଙ୍କୁ ଅସ୍ତରଙ୍ଗ, କାକଟପୁର ମଣ୍ଡଳ ଶିକ୍ଷାଅଧିକାରୀ ଓ ଗୋପବନ୍ଧୁ ମେମୋରିଆଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିଲେ । ଜଣେ ବ୍ୟକ୍ତିଙ୍କ କାନ୍ଧରେ ଏତେ ଦାୟିତ୍ୱ ଦେଇ ସରକାର ପ୍ରମାଣ କରିଥିଲେ ଯେ ଶ୍ରୀକାନ୍ତ ସ୍ୱାଇଁ କେତେ ବିଶ୍ୱାସଭାଜନ । କିନ୍ତୁ ସେହି ସଫଳ ଶିକ୍ଷାଅଧିକାରୀଙ୍କୁ ଅସ୍ତରଙ୍ଗରୁ ବଦଳି କରିବା ନିଷ୍ପତ୍ତିକୁ ସମସ୍ତେ ଦୁର୍ଭାଗ୍ୟଜନକ କହୁଛନ୍ତି । ଶିକ୍ଷକ ମହଲ କହୁଛନ୍ତି ଯେଉଁ ଅଧିକାରୀ ସ୍କୁଲରେ ଶିକ୍ଷାର ଜ୍ୟୋତି ଜାଳିଛନ୍ତି, ତାଙ୍କୁ ବଦଳି କଲେ ସେହି ଆଲୋକ ଲିଭିଯିବ । ପିଲାମାନେ ଜଣେ ଅଭିଭାବକକୁ ହରାଇବେ । ତେଣୁ ସ୍ଥାନୀୟ ଅଭିଭାବକ ସଂଘ, ଶିକ୍ଷକ ସଂଘ ଓ ସାଧାରଣ ଜନତା ତୁରନ୍ତ ଏହି ବଦଳି ଆଦେଶ ବାତିଲ କରିବାକୁ ଜୋରଦାର ଦାବି କରିଛନ୍ତି । ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ, କମିଶନର-କମ୍-ଶାସନ ସଚିବ ତଥା ପୁରୀ ଜିଲ୍ଲାପାଳଙ୍କୁ ବିନମ୍ର ନିବେଦନ କରୁଛୁ – ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଶିକ୍ଷା ବିକାଶକୁ ଦୃଷ୍ଟିରେ ରଖି ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁଙ୍କ ବଦଳି ଆଦେଶକୁ ତୁରନ୍ତ ବାତିଲ କରାଯାଉ । ତାଙ୍କୁ ପୂର୍ବ ପରି ଅସ୍ତରଙ୍ଗ-କାକଟପୁର ବ୍ଲକ ଶିକ୍ଷାଅଧିକାରୀ ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳୁ । ଜଣେ ସଫଳ ଓ ଲୋକପ୍ରିୟ ଶିକ୍ଷାଅଧିକାରୀଙ୍କୁ ହରାଇଲେ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ବହୁତ ପଛକୁ ଚାଲିଯିବ। ସରକାର ଏହାକୁ ଗୁରୁତର ସହ ବିଚାର କରି ଜନଦାବିକୁ ସମ୍ମାନ ଦିଅନ୍ତୁ ।


