ପାଳିତ ହେଲା ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପାଣ୍ଠ ଗ୍ରାମରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନ ଉତ୍ସବ ଭକ୍ତିଭାବ ଓ ଆଡମ୍ବର ସହ ପାଳିତ ହୋଇଯାଇଛି। ସକାଳୁ ବେଦମନ୍ତ୍ର, ଘଣ୍ଟ, ଶଙ୍ଖଧ୍ୱନି, ହରିବୋଲ ଓ ଭଜନ-କୀର୍ତ୍ତନରେ ସମଗ୍ର ଗ୍ରାମ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ପାରମ୍ପରିକ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ହଜାର ହଜାର ଭକ୍ତ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହି ପବିତ୍ର ଉତ୍ସବରେ ଗ୍ରାମବାସୀ, ଯୁବକ ସଂଘ ଓ ସେବାୟତମାନଙ୍କର ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଶେଷରେ ଉପସ୍ଥିତ ଭକ୍ତମାନଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହାସହ ଚଳିତ ବର୍ଷ ପାଣ୍ଠ ଗ୍ରାମରେ ରଥଯାତ୍ରାକୁ ନେଇ ବ୍ୟାପକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ପ୍ରଥମ ଥର ପାଇଁ ପ୍ରାୟ ୩୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ ନୂତନ ଭବ୍ୟ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ରଥର ସୁନ୍ଦର କାରୁକାର୍ଯ୍ୟ ଓ ଆକର୍ଷଣୀୟ ନିର୍ମାଣ ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଆୟୋଜକମାନଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବର ଓ ଭକ୍ତିମୟ ପରିବେଶରେ ଆୟୋଜନ କରାଯିବ। ଏଥିରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ