ଗୁମ୍ଫାରୁ 175 କିଲୋ ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି,,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଏସ୍ପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ସାଧାରଣଙ୍କ ସୁରକ୍ଷା ପାଇଁ ସମଗ୍ର ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ରୋକିବା ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗତକାଲି ଅଡ଼ବା ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବଚମା ଓ ଭାଲିଆଗୁଡ଼ା ଗ୍ରାମ ମଧ୍ୟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ଥିବା ଦୁର୍ଗମ ପାହାଡ଼ ପଥର ଗୁମ୍ଫାରେ ଚଢ଼ଉ କରି ୭ ଗୋଟି ବସ୍ତାରେ ରଖାଯାଇଥିବା ୧୭୫ କିଲୋ ଗଞ୍ଜେଇ ଜବତ କରିଥିଲେ. ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିବା ବେଳେ ଏହାର ଓଜନ 175 କିଲୋ ହୋଇଥିଲା. ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 20 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି. ଏହି ଗଞ୍ଜେଇକୁ ବାହାର ରାଜ୍ୟକୁ ଚୋରା ଚାଲାଣ କରିବା ଉଦ୍ଦେଶ୍ୟରେ ପାହାଡ଼ ଶିଖରରେ ଗଚ୍ଛିତ ରଖାଯାଇଥିଲା। ଏନେଇ ଅଡ଼ବା ଥାନାରେ ଏକ ମାମଲା ରୁଜୁ କରାଯାଇ ଏଥିରେ ସମ୍ପୃକ୍ତ ମାଫିଆ ଓ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଥିବା ମଧ୍ୟ ସୂଚନା ମିଳିଛି।


