ସାପ କାମୁଡ଼ାରେ ଆଶା କର୍ମୀଙ୍କ ମୃତ୍ୟୁ
ଧାମନଗର (ଓ୍ବାଇଏନଏସସ): ଧାମନଗର ଏନ ଏ ସି ଅନ୍ତର୍ଗତ ପାଞ୍ଚ ନମ୍ବର ୱାର୍ଡ ଶାମପୁର ଗ୍ରାମର ଆଶା କର୍ମୀ ଲିଳାବତୀ ଗୋଚ୍ଚାୟତ(୫୧)ଙ୍କ ସାପ କାମୁଡିବାରେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ୧୦ଟା ୪୦ମିନିଟ ସମୟରେ ରାତିରେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ କୁମୁଡିଥିଲା।ସଙ୍ଗେ ସଙ୍ଗେ ପରିବାର ଓ ଗ୍ରାମବାସୀ ଧାମନଗର ଡାକ୍ତରଖାନା କୁ ନେଇଥିଲେ। ପରିବାର ପକ୍ଷରୁ ଅଭିଯୋଗ ଯେ ଡାକ୍ତର ଦେଖି ଗ୍ୟାସ ଇଂଜେକସନ ଦେବା ପରେ ଘରକୁ ପଠାଇ ଦେଲେ। ରାତି ପ୍ରାୟ୨ଟା ଘରେ ବାନ୍ତି ହୋଇ ଅବସ୍ଥା ଗୁରୁତର ହେବାରୁ ପୁଣି ଡାକ୍ତର ଖାନାକୁ ନେଇ ଥିଲେ ମହିଳା ଓ ପ୍ରସ୍ତୁତି ଡାକ୍ତର ମଧୁସ୍ମିତା ସାହୁ ଆଉ ନଦେଖି ଭଦ୍ରକ ଡାକ୍ତରଖାନା କୁ ପଠାଇ ଦେଲେ। ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଦୁଖଦ ଖବର ପ୍ରସାରିତ ହେବା ପରେ ଆଶା କର୍ମୀ ସହିତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରଥମରୁ ଚିକିତ୍ସାରେ ଅବହେଳା ଅଭିଯୋଗକୁ କେନ୍ଦ୍ର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଲୀଳାବତୀ ଦୀର୍ଘଦିନ ଧରି ଆଶା କର୍ମୀ ଭାବେ କାର୍ଯ୍ୟ କରୁଥିବା ସହ ସ୍ଥାନୀୟ ଅଞ୍ଚଳରେ ଜଣେ ପରିଶ୍ରମୀ ଓ ଲୋକପ୍ରିୟ ସ୍ୱାସ୍ଥ୍ୟକର୍ମୀ ଭାବେ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର,ସହକର୍ମୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି। ଏପରିକି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାରେ ଅବହେଳା ହୋଇଥିବାରୁ ଲୀଳାବତୀଙ୍କ ମୃତ୍ୟୁ ଘଟିଥିବା ନେଇ ଆଶା କର୍ମୀମାନେ ଅଭିଯୋଗ ଉଠାଇଛନ୍ତି। ଏହି ଅଭିଯୋଗକୁ ନେଇ ବହୁ ସଂଖ୍ୟକ ଆଶା କର୍ମୀ ଅପରାହ୍ନ ୪ଟାରୁ ଧାମନଗର ମେଡିକାଲ ପରିସରରେ ଶବ ରଖି ଧାରଣାରେ ବସିଛନ୍ତି। ମୃତ ଆଶା କର୍ମୀଙ୍କ ପରିବାରକୁ ଆର୍ଥିକ ସହାୟତା,ତାଙ୍କ ଝିଅଙ୍କୁ ଆଶା କର୍ମୀ ଭାବେ ନିଯୁକ୍ତି ଦେବା ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ଆନ୍ଦୋଳନ ଜାରି ରଖିଛନ୍ତି। ଅଲ୍ ଓଡ଼ିଶା ଆଶା କର୍ମଚାରୀ ସଂଘର କର୍ମକର୍ତ୍ତା ସହ ସଦସ୍ୟମାନେ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି। ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସୁଧିରରଞ୍ଜନ ନାୟକ,ଧାମନଗର ଗୋଷ୍ଟିସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମନ୍ମୟ ସାମନ୍ତ ସିଂହାର,ଡାକ୍ତର ସୁବ୍ରତ ବରାଳ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ବିଜେଡି ନେତା ଡାକ୍ତର ସଞ୍ଜୟ କୁମାର ଦାସ,ଅଧ୍ୟକ୍ଷା ନିବେଦିତା ଜେନା, ଏସ ଡି ପି ଓ ବିଷ୍ଣୁ ଚରଣ ବାରିକ, ଆଇଆଇସି ଶୁଭ୍ରଜିତ ଦାଶ,ଥାନା ଏସଆଇ ନାରାୟଣ ଚନ୍ଦ୍ର ନାୟକ,ଏଏସଆଇ କଳ୍ପନା ରାଉତ,ଆଶା କର୍ମୀ ସଂଘର କର୍ମକର୍ତ୍ତା ସହ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ହେଲା ଚାଲ ମୃତ ପରିବାରକକୁ ସରକାରୀ ସାପ କାମୁଡା ଯୋଜନାରେ ସହାୟତା ସହିତ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ଏବଂ ଝିଅକୁ ଆଶା କର୍ମୀ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଗ୍ରାମର ଏକ ମଶାଣିରେ ଶବ ସତ୍କାର କରାଯାଇଛି।


