ତୁଳସୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚାରେ ଘୋଷଯାତ୍ରା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ। ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡର ଗଗନ ପବନ। ବ୍ରହ୍ମ ତାଳଧ୍ୱଜ ରଥକୁ ଛୁଇଁବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆବେଗ ବଢି ଯାଇଥିଲା। ଭକ୍ତ ଓ ଭଗବାନଙ୍କ ମିଳନ ବର୍ଷକରେ ଥରେ ଥିଲା ବେଶ ଭାବବିହ୍ୱଳିତ। ଭକ୍ତମାନଙ୍କ ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ। ରଥାରୂଢ ଶ୍ରୀଜୀଉମାନଙ୍କୁ ଦେଖିବାକୁ ବ୍ୟାକୁଳ ହୋଇ ଉଠିଥିଲେ ଭକ୍ତମାନେ। ରଥ ଟାଣିବାର ଅପୂର୍ବ ଅନୁଭୂତିକୁ କେହି ହାତଛଡା କରିବାକୁ ଚାହୁଁନଥିଲେ। ତେଣୁ ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ରଥ…ପଥ…ବ୍ରହ୍ମ ତଳଧ୍ୱଜ ହୋଇଥିଲା ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉମୟ। ଅର୍ଥାତ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ବଡ଼ ଭାଇ ବଳଭଦ୍ର, ସୁନା ଭଉଣୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଭକ୍ତମାନେ ଖୁସିରେ ଆତ୍ମହରା ହୋଇପଡିଥିଲେ। ଗୁରୁବାର ସକାଳୁ ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ରଥଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା। ଶ୍ରୀଜୀଉମାନେ ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ। ଏହାପରେ ବ୍ରହ୍ମତାଳଧ୍ୱଜ ରଥ ଗଡିବା ପାଇଁ ପ୍ରସ୍ତୁତ ହୋଇଥିଲା। ଭକ୍ତମାନଙ୍କ ଭାବାବେଗକୁ ଦେଖି ପ୍ରଶାସନ ରଥ ଟାଣିବା ପାଇଁ ପ୍ରସ୍ତୁତ ହେବା ପରେ ଅପରାହ୍ଣ ପ୍ରାୟ ସାଢେ୫ଟା ବେଳେ ରଥ ଟଣା ହୋଇଥିଲା। ରଥ ଟାଣିବା ପାଇଁ ତ୍ରିସ୍ତରୀୟ ପୋଲିସ କର୍ଡନ ବ୍ୟବସ୍ଥା ହୋଇଥିଲା। କର୍ଡ଼ନ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, କେନ୍ଦ୍ରାପଡା ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୈାଡା କର୍ଡ଼ନ ମଧ୍ୟରେ ରହି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରୁଥିଲେ। ତାଙ୍କୁ ସହଯୋଗ କରୁଥିଲେ ଟାଉନ୍ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ଇନସପେକ୍ଟର ଦିଲ୍ଲିପ କୁମାର ସାହୁ, ଇନିସପେକ୍ଟର ତପନ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀମାନେ। ରଥ ଉପରେ ୩ଶହରୁ ଉର୍ଦ୍ଧ୍ୱ ସେବାୟତ ଥିବାରୁ ରଥଟଣାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ବାରମ୍ବାର ନିବେଦନ ସତ୍ତ୍ୱେ ରଥଉପରୁ ସେବାୟତମାନେ ତଳକୁ ଆସିନଥିଲେ। ଫଳରେ ରଥ ଉପରେ ଅତ୍ୟଧିକ ଓଜନ ହେବାରୁ ରଥ ଦଉଡି ଛିଣ୍ଡିଯିବା ସହ ରଥ ଡାହାଣ ପାଶ୍ୱର୍କୁ ମାଡି ଯାଇଥିଲା। ଏହାଦ୍ୱାରା ରଥ ମାତ୍ର ୧୦ମିଟର ଯିବା ପରେ ବାଟରେ ଅଟକି ରହିଥିଲା। ତୁଳସୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚାରେ ରଥ ଟଣା ଆରମ୍ଭ ହେବା ପରେ ତାହା ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ଅଟକି ଥାଏ। କିନ୍ତୁ ସେବାୟତମାନେ ଏହି ପରମ୍ପରା ଭଙ୍ଗକରି ଦେବୋତ୍ତର କାର୍ଯ୍ୟାଳୟ ପର୍ଯ୍ୟନ୍ତ ରଥକୁ ଟଣାଇଦେଲେନାହିଁ। ଏହାବ୍ୟତିତ ରଥରେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ସେବାୟତମାନେ ଛିଡାହୋଇ ଥିବାରୁ ରଥରୁଢ ଶ୍ରୀଜୀଉମାନଙ୍କୁ ଭକ୍ତମାନେ ଦର୍ଶନ କରିବାରେ ଗୁରୁତ୍ତର ବାଧା ସୃଷ୍ଟିହୋଇଥିଲା। ଏନେଇ ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା। ରଥ ଉପରକୁ ଛୋଟ ଛୋଟ ପିଲାମାନଙ୍କୁ ଉଠାଇବାକୁ ସେବାୟତମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗିତା ଦେଖିବାକୁ ମିଳିିଥିଲା। ରଥ ଉପରକୁ ଛୋଟ ପିଲାମାନଙ୍କୁ ଉଠାଇ ଶ୍ରୀଜୀଉଙ୍କ ଦର୍ଶନ କରାଇବା ପାଇଁ ସେବାୟତମାନେ ଭକ୍ତମାନଙ୍କ ଠାରୁ ଦକ୍ଷିଣା ନେଉଥିଲେ। କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଚାଲିଥିଲା। ଲୋକେ ସେମାନଙ୍କ ପିଲାମାନଙ୍କୁ ରଥ ଛୁଇଁବାକୁ ଛାଡୁଥିବାରୁ ଆମେ ରଥ ଉପରକୁ ଚଢାଉଛୁ ବୋଲି ଜଣେ ସେବାୟତ କହିଥିଲେ। ଫଳରେ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା। ସେମାନଙ୍କୁ ବିରୋଧ କଲେ ରଥ ଗଡାଇ ଦେବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ। ସେଥିପାଇଁ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ। ରଥ ସିଂହଦ୍ୱାରରୁ ଟଣା ହୋଇ ମାତ୍ର ୧୦ହାତ ଯିବା ପରେ ରଥଟଣା ବନ୍ଦ ରହିଥିଲା। ଆସନ୍ତା କାଲି ଅର୍ଥାତ ଶୁକ୍ରବାର ରଥ ଟଣା ଯାଇ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଭୋଗ ଲାଗିହେବ। ପରଦିନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥଚକଡା ଲାଗିବ। ପରେ ରଥାରୂଢ ଶ୍ରୀଜୀଉମାନେ ଜନ୍ମବେଦୀ ତଥା ମାଉସୀ ମା’ଙ୍କ ମନ୍ଦିରକୁ ପ୍ରବେଶ କରିବାର ପରମ୍ପରା ରହିଛି। ରଥ କର୍ଡନ ଭିତରେ ଅତିରିକ୍ତ ଜିଲ୍ଲାପାଳ ତଥା ଦେବୋତ୍ତର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଟ୍ରଷ୍ଟବୋର୍ଡ ସଭ୍ୟ ହୃଷିକେଶ ରଥ, ପୂର୍ବତନ ପୈାରପାଳ ଧିରେନ କୁମାର ସାହୁ, ସେବାୟତ ସଭ୍ୟ ନୃସିଂହ ପ୍ରସାଦ ପତ୍ରୀ, ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ପ୍ରଦୀପ କୁମାର ଜେନା, ନିରାକାର ସ୍ୱାଇଁ, ଉମେଶ ନାୟକ, ଯୁନେତା ରାଜେଶ ପଣ୍ଡା, ହଳଧର ସେଠୀ, ସଫେଇ କର୍ମଚାରୀ ସଙ୍ଘ ସଭାପତି ମାନସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ