ବ୍ଲକ ଓ ଏନଏସିରେ ଘୋଷଯାତ୍ରା ଅନୁଷ୍ଠିତ
ଧାମନଗର (ଓ୍ବାଇଏନଏସ): ପବିତ୍ର ରଥଯାତ୍ରା ଅବସରରେ ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ଗୁରୁବାର ଭକ୍ତିମୟ ପରିବେଶ ମଧ୍ୟରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ସକାଳୁ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନି ମଧ୍ୟରେ ଶ୍ରୀଜିଉମାନଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ କରାଯାଇଥିଲା। ‘ଜୟ ଜଗନ୍ନାଥ’ ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।ଦଇପୁର ପଞ୍ଚାୟତର ଠାକୁରପାଟଣା ଗ୍ରାମରେ ବ୍ଲକର ସର୍ବବୃହତ ତିନି ରଥରେ ଠାକୁରମାନଙ୍କ ବିଜେ ପରେ ଅପରାହ୍ନରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା। ସେହିପରି ନଦୀଗାଁର ପ୍ରାଚୀନ ଘୋଷଯାତ୍ରା ପରମ୍ପରା ଅନୁଯାୟୀ ଧୂମଧାମରେ ପାଳନ କରାଯାଇଥିଲା। ରାଧାବଲ୍ଲଭପୁର ପଞ୍ଚାୟତର ବନ୍ଧଟିଆ ଗ୍ରାମରେ ଏଥର ଘୋଷଯାତ୍ରା ୪୮ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
କୋଠାର, ଅସୁରାଳି, କଲ୍ୟାଣୀ, ଗୋବିନ୍ଦପୁର, ପଳିକିରି, ଅନହରପୁର, ଇଚ୍ଛଦା, ଭଗବାନପୁର, ଚୁଡ଼ାକୁଟି, ଦୋବଲ, ଦିହୁଡ଼ି ଆନନ୍ଦପୁର, ଗୋହିରାଟିକିରି, କରଦା ଓ ସୋହଡ଼ା ସମେତ ବିଭିନ୍ନ ଅଞ୍ଚଳରେ ମଧ୍ୟ ଘୋଷଯାତ୍ରା ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଥିଲା। ଅନେକ ଗ୍ରାମରେ ପିଲାମାନଙ୍କ ଦ୍ୱାରା କୁନି ରଥ ଟଣା ଉତ୍ସବର ଅନ୍ୟତମ ଆକର୍ଷଣ ପାଲଟିଥିଲା। ଧାମନଗର ଏନ୍ଏସି ଅଞ୍ଚଳର ତାଳପଦା ଓ ଶ୍ୟାମପୁରରେ ମଧ୍ୟ ରଥଯାତ୍ରା ଭକ୍ତିଭାବର ସହ ପାଳିତ ହୋଇଥିଲା।ପୁରୀ ଶ୍ରୀକ୍ଷେତ୍ରର ଐତିହ୍ୟକୁ ଅନୁସରଣ କରି ବିଭିନ୍ନ ସ୍ଥାନରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ଟାଣିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖିବାକୁ ମିଳିଥିଲା। ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଧାମନଗର ପୁଲିସ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।


