ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ସହ ସ୍ୱତନ୍ତ୍ର ପ୍ୟାକେଜ ଦାବି
ଛତ୍ରପୁର (ଓ୍ବାଇଏନଏସ): ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛି ଋଷିକୂଲ୍ୟା ରୟତ ମହାସଭା। ଏନେଇ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡାଙ୍କୁ ଭେଟି ମହାସଭା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇ ରହିଛି। ବିଶେଷକରି ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତର ଆଙ୍ଗୁଠାରୁ ବଡମାଧପୁର, ବରଙ୍ଗ, ପୋଟଲାମପୁର ଓ ବଉଳଗାଁ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଏକର ଧାନଚାଷ ଜମି ଗତ ୪ ଦିନ ଧରି ଜଳମଗ୍ନ ହୋଇ ରହିଛି। ଏପର୍ଯ୍ୟନ୍ତ ଜଳ ନିଷ୍କାସନ ହୋଇପାରିନଥିବାରୁ ଚାଷୀଙ୍କ ଫସଲ ନଷ୍ଟ ହେବା ନେଇ ଆଶଙ୍କା ବଢ଼ିଛି। ଜଳସେଚନ ବିଭାଗର ଯନ୍ତ୍ରୀ ଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଅଭାବ ଯୋଗୁଁ ବର୍ଷା ହେଲେ ଚାଷଜମିରୁ ଠିକ୍ ଭାବେ ପାଣି ନିଷ୍କାସନ ହୋଇପାରୁନଥିବା ମହାସଭା ଅଭିଯୋଗ କରିଛି। ଫଳରେ ବାରମ୍ବାର ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହେଉଛି। ଏହାର ସ୍ଥାୟୀ ସମାଧାନ ପାଇଁ ସରଭୀମପୁର ଠାରେ ଜଳ ନିଷ୍କାସନ ନିମନ୍ତେ ଦୁଇଟି ଗେଟ୍ ନିର୍ମାଣ କରିବାକୁ ଦାବି କରାଯାଇଛି। ସେହିପରି ଜୟମଙ୍ଗଳ କେନାଲ ସମେତ ବିଭିନ୍ନ ଶାଖା କେନାଲର ମରାମତି ଦୀର୍ଘଦିନ ଧରି ହେଉନଥିବାରୁ ସମସ୍ତ କେନାଲର ମରାମତି କାମ ସଠିକ୍ ଭାବେ କରିବାକୁ ଦାବି ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ଼ କରିବା ସହ ଆଗାମୀ ଫସଲ ପାଇଁ କୃଷି ଋଣ ପ୍ରଦାନ, ରବି ଫସଲ ନିମନ୍ତେ ରିହାତି ଦରରେ ବିହନ ଓ ସାର ଯୋଗାଣ କରିବାକୁ ମଧ୍ୟ ମହାସଭା ଦାବି କରିଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବାରମ୍ବାର ଫସଲ ନଷ୍ଟ ହେଉଥିବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏଣୁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ବହୁ ଚାଷୀ ଓ ଚାଷୀ ନେତା ମାନେ ଉପସ୍ଥିତ ଥିଲେ।


