ଆର୍ଥିକ ସାକ୍ଷରତା ସଚେତନତା କାର୍ଯକ୍ରମ

ଛତ୍ରପୁର, (ଓ୍ବାଇଏନଏସ): ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଦାନୀ ଫାଉଣ୍ଡେସନ ଓ କାନାରା ବ୍ୟାଙ୍କ, ଛତ୍ରପୁର ଶାଖାର ମିଳିତ ସହଯୋଗରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ପାଇଁ ଏକ ଆର୍ଥିକ ସାକ୍ଷରତା ସଚେତନତା କାର୍ଯକ୍ରମ ଆୟୋଜିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରାୟ ୧୦୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟରତ ଥିବାବେଳେ ସେଥିରେ ୧୨୦୦ରୁ ଅଧିକ ମହିଳା ସଦସ୍ୟ ସାମିଲ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଆଦାନୀ ଫାଉଣ୍ଡେସନର ପୂର୍ବାଞ୍ଚଳ ମୁଖ୍ୟ ଶ୍ରୀ ଜୟନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଗୋପାଳପୁର ବନ୍ଦର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଆଦାନୀ ଫାଉଣ୍ଡେସନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ଏଭଳି ଆର୍ଥିକ ସ୍ୱାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ସଞ୍ଚୟ, ବିନିଯୋଗ, ଋଣ ପରିଚାଳନା ଏବଂ ସୁରକ୍ଷିତ ଆର୍ଥିକ ଯୋଜନା ସମ୍ପର୍କରେ ସଚେତନ ହୋଇ ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ଗଢ଼ିପାରିବେ। ଏହା ସହ ଏହି ଅଞ୍ଚଳରୁ ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କାନାରା ବ୍ୟାଙ୍କ ପକ୍ଷରୁ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ଶ୍ରୀ ସେଖ ମେହବୁବ, ଛତ୍ରପୁର ଶାଖା ପରିଚାଳିକା ଶ୍ରୀମତୀ ଦିବ୍ୟସ୍ମିତା ମହାରଣା, ଏଫ୍‌ଆଇ ବିଭାଗର ଅଧିକାରୀ ଶ୍ରୀ ରବି ନାରାୟଣ ମୋହିନୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଆର୍ଥିକ ଯୋଜନା, ବ୍ୟାଙ୍କ ଋଣ ସୁବିଧା, ସଞ୍ଚୟର ଗୁରୁତ୍ୱ, ଋଣର ସଠିକ୍ ପରିଚାଳନା ଓ ସମୟାନୁବର୍ତ୍ତୀ ପରିଶୋଧ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଅନଲାଇନ୍ ଓ ଡିଜିଟାଲ ଠକେଇରୁ କିପରି ସତର୍କ ରହିବା ଏବଂ ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଂ ବ୍ୟବହାର ସମ୍ପର୍କରେ ମଧ୍ୟ ମହିଳାମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଶ୍ରୀମତୀ ଏ. କବିତା କହିଥିଲେ ଯେ, ପୂର୍ବରୁ ଋଣ ସମ୍ବନ୍ଧୀୟ ସୂଚନା ଓ ଆବଶ୍ୟକ କାଗଜପତ୍ର ବିଷୟରେ ଜାଣିବା ପାଇଁ ବାରମ୍ବାର ବ୍ୟାଙ୍କକୁ ଯିବାକୁ ପଡୁଥିଲା। ଆଜି ବ୍ୟାଙ୍କ ନିଜେ ଗ୍ରାମକୁ ଆସି ବିଭିନ୍ନ ସରକାରୀ ଯୋଜନା, ଋଣ ସୁବିଧା ଓ ଆର୍ଥିକ ପରିଚାଳନା ସମ୍ପର୍କରେ ସରଳ ଭାବରେ ଅବଗତ କରାଇଛି। ଏଭଳି ଉପଯୋଗୀ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଆଦାନୀ ଫାଉଣ୍ଡେସନ ଓ କାନାରା ବ୍ୟାଙ୍କକୁ ଧନ୍ୟବାଦ ଜଣାଇଥିଲେ। ଗୋପାଳପୁର ବନ୍ଦରର ସାମାଜିକ ଦାୟିତ୍ୱବୋଧ ବିଭାଗ ମୁଖ୍ୟ ଶ୍ରୀ ଦେବଦତ୍ତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ