ଗାରୋଇ ଗୋବର୍ଦ୍ଧନ ପୀଠରେ ବାହୁଡା ଯାତ୍ରା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ବିଭିନ୍ନ ଜଗନ୍ନାଥ ମନ୍ଦିର ଯଥା ଧର୍ମକ୍ଷେତ୍ର ଅଲଣା,ତିହୁଡା ବାଲିସାହିସ୍ଥିତ ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର, ଚାନ୍ଦଖାଁପାଟଣାସ୍ଥିତ ବଳଦେବଜୀଉ ମନ୍ଦିର ଆଦିରେ ଶୁକ୍ରବାର ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଜିୟୁମାନଙ୍କୁ ଯଥାରୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ମାଉସୀ ମା’ ମନ୍ଦିରରେ ୯ଦିନ ରହିବା ପରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବାହୁଡା ଅବସରରେ ନିଜ ମନ୍ଦିରକୁ ବାହୁଡିଛନ୍ତି। ଏହି ଅବସରରେ ତେଲସରାସ୍ଥିତ ମାଉସୀ ମା’ ମନ୍ଦିରରେ ରୀତିନିତି ଅନୁଯାୟୀ ରଥ ଟଣା କାର୍ଯ୍ୟ ହୋଇଥିଲା। ମାଉସୀ ମା’ ମନ୍ଦିର ସମ୍ମୁଖରେ ୩ ରଥ ସୁସଜ୍ଜିତ ହୋଇ ରହିଥିଲେ। ନିର୍ଘଂଟ ନିତି ଅନୁଯାୟୀ ଶ୍ରୀ ଜୀୟୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ଶଙ୍ଖ, ହୁଳହୁଳି,ନାମ ସଂକୀର୍ତନରେ ପ୍ରଥମେ ବଡ ଭାଇ ବଳଭଦ୍ରଙ୍କୁ ତାଳଧ୍ୱଜ,ମା’ ସୁଭଦ୍ରାଙ୍କୁ ଦର୍ପଦଳନ ଓ ପ୍ରଭୁ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥକୁ ପହଣ୍ଡି କରି ଶ୍ରଦ୍ଧାଳୁମାନେ ରଥାରୁଢ କରିଥିଲେ। ଠାକୁର ରାଜା ଜ୍ଞାନରଂଜନ ବିଶ୍ୱାଳ ଅନୁପସ୍ଥିତିରେ ତାଙ୍କ ମୁଦିରଥ ପଣ୍ଡିତ ଅଭୟ କୁମାର ମିଶ୍ର ୩ ରଥରେ ଛେରା ପହଁରା କରିଥିଲେ। ପୂଜାର୍ଚ୍ଚନା ଓ ଛେରା ପହଁରା କାର୍ଯ୍ୟ ସରିବା ପରେ ଶ୍ରଦ୍ଧାଳୁମାନେ ରଥକୁ ଗାରୋଇସ୍ଥିତ ଗୋବର୍ଦ୍ଧନ ପୀଠ ଅଭିମୁଖେ ଟାଣି ନେଇଥିଲେ। ରଥରେ ଶ୍ରଦ୍ଧାଳୁମାନେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ। ଏଠାରେ ସାଧାରଣତଃ ମା’ ସୁଭଦ୍ରାଙ୍କ ରଥକୁ ମହିଳାମାନେ ହିଁ ଟାଣିଥିଲେ। ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିଲା। ଜୟ ଜଗନ୍ନାଥ ଧ୍ୱନୀରେ ଚାରିଆଡ ପ୍ରକମ୍ପିତ ହେଉଥିଲା। ବାହୁଡା ଯାତ୍ରା ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମା ହୋଇଥିଲା। ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଡିଏସପି ବିଶ୍ୱଜ କୁମାର ରାଉତରାୟ,ଥାନାଧିକାରୀ ଦେବାଶୀଷ ପଣ୍ଡା,ଗାରୋଇ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ଶ୍ରଦ୍ଧାଳୁମାନଙ୍କ ପାଇଁ ତେଲସରା ,ଧୂଆଁପଦା, ଗାରୋଇ ଗ୍ରାମବାସୀ ଓ ଭାଜପା ପକ୍ଷରୁ ରନ୍ଧା ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଥିଲା। ଏହି ବାହୁଡା ଯାତ୍ରା ଦେଖିବା ପାଇଁ ବ୍ଳକ ତଥା ବ୍ଳକ ବାହାରୁ ବହୁ ଶ୍ରଦ୍ଧାଳୁ ଏଠାରେ ସମାଗମ ହୋଇଥିଲେ। ଜନସମାଗମ ମଧ୍ୟରେ ଜଣେ ଶ୍ରଦ୍ଧାଳୁ ଚେତାଶୁନ୍ୟ ହୋଇପଡିଥିଲେ। ପୋଲିସ ଗାଡି ସହାୟତାରେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଗ୍ରାମବାସୀ ଓ ଜଗନ୍ନାଥ ସଂସଦର କର୍ମକର୍ତାମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ଗଜରାଜପୁର, ବେଲବଣ, ଗୋଠଦା,ତିହୁଡା ଆଦି ସ୍ଥାନରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ