ଆଧୁନିକତାର ଛାପରେ ଲୋପ ପାଇବାକୁ ବସିଛି “ରେଡିଓ”
ଆସିକା (ୱାଇଏନ୍ଏସ୍) : ଆଧୁନିକତାର ଛାପ ସାଙ୍ଗକୁ ଡିଜିଟାଲର ବହୁଳ ପ୍ରସାର ଓ ପ୍ରଚାର ଯୋଗୁଁ ଲୋପ ପାଇବାକୁ ବସିଛି ରେଡିଓ । ସାଧାରଣ ଜନତା ଓ ରେଡିଓ ମଧ୍ୟରେ ଦୀର୍ଘ ବର୍ଷ ତଳେ ସଂପର୍କ ଥିଲା ଅତି ଘନିଷ୍ଟ । ଅତୀତରେ ରେଡିଓ ଲୋକଙ୍କ ମଧ୍ୟରେ ସଂପର୍କ ସ୍ଥାପନର ଏକମାତ୍ର ମାଧ୍ୟମ ଥିଲା । ଆଜିର ଡିଜିଟାଲ୍ ଯୁଗରେ ଏହାର ବିକଳ୍ପ ଆସିଯାଇଥିଲେ ବି କେତେକ ବ୍ୟକ୍ତି ରେଡିଓକୁ ବଞ୍ଚାଇ ରଖିଥିବା ଦେଖିବାକୁ ମିଳିଛି । ଦିନ ଥିଲା ଖବର ପ୍ରସାରଣ ଓ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା ରେଡିଓ । ଅତୀତରେ ଶିକ୍ଷାବିଭାଗ ପକ୍ଷରୁ ଆସିକାର ବିଭିନ୍ନ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଥିବା ରେଡିଓ ଗୁଡିକ ଏବେ ଅଲୋଡା ହୋଇ ପଡିରହିଥିବା ଦେଖିବାକୁ ମିଳୁଛି । ବିନା ବିଜୁଳିରେ ଚାଲୁଥିବା ତଥା ବିପର୍ଯ୍ୟୟ ସମୟରେ ଖବର ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ରେଡିଓ ସାଂପ୍ରତିକ ପରିସ୍ଥିତିରେ ବିଲପ୍ତର ଦ୍ୱାରଦେଶରେ ପହଞ୍ଚିସାରିଥିବା ବେଳେ ଆଗାମୀ କିଛି ବର୍ଷ ପରେ ଏହା ଇତିହାସ ହୋଇରହିଯିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଦିନେ ଖବର ପ୍ରସାରଣର ଏକମାତ୍ର ମାଧ୍ୟମ ସାଜିଥିଲା ରେଡିଓ । ସାଧରଣ ଜନତା ଓ ରେଡିଓ ମଧ୍ୟରେ ରହିଥିଲା ଅତି ନିବିଡ ସଂପର୍କ । ଏହି ରେଡିଓ ସବୁବର୍ଗର ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଥିଲା । ଅତୀତରେ ବନ୍ୟା, ବାତ୍ୟା, ଝଡତୋଫାନ ଭଳି ଆପତକାଳୀନ ପରିସ୍ଥିତିରେ ବିଦ୍ୟୁତ ସଂଯୋଗ ସଂପୁର୍ଣ୍ଣ ବନ୍ଦ ହୋଇଗଲେ ମଧ୍ୟ ରେଡିଓ କେବେ ବନ୍ଦ ହେଉନଥିଲା । ଏହା ବ୍ୟବହାର କରିବାକୁ ଲୋକଙ୍କୁ କୌଣସି ମାସିକ ଦେୟ ଦେବାକୁ ମଧ୍ୟ ପଡୁନଥିଲା କି ଇଣ୍ଟରନେଟ୍, ବିଦ୍ୟୁତ ସଂଯୋଗର ଆବଶ୍ୟକତା ପଡୁନଥିଲା । କେବଳ ବ୍ୟାଟେରୀରେ ରେଡିଓଟି ମାସ ମାସ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିଲା । ଆକାଶବାଣୀରୁ ଖବର ପ୍ରସାରଣ ଠାରୁ ଆରମ୍ଭ କରି କ୍ରିକେଟ ମ୍ୟାଚ୍, ପୁରୀ ରଥଯାତ୍ରା ଓ ବାହୁଡାଯାତ୍ରାର ବିବରଣୀ ପ୍ରଦାନ, ସଙ୍ଗୀତ, ନାଟକ ସାଙ୍ଗକୁ ବିଭିନ୍ନ ପ୍ରକାର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚାଇବାରେ ରେଡିଓ ଅତୀତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲା । ପ୍ରତିଦିନ ସନ୍ଧ୍ୟା ୭ଟାରେ ଆକାଶବାଣୀ ଦିଲ୍ଲୀରୁ ଭାସିଆସୁଥିଲା ଅତି ପରିଚିତ ସ୍ୱର ଆକାଶବାଣୀ ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡସିଂହଙ୍କ ସେହି ଗାମ୍ଭୀର୍ଯ୍ୟପୂର୍ଣ୍ଣ ଖବର ପରିବେଶଣ । ଗାଁଠୁ ସହର ସବୁଠି ଫିଲିପ୍ସ, ବୁସ୍, ନ୍ୟାସନାଲ୍ ପାନାସୋନିକ୍ ସମେତ ବିଭିନ୍ନ ନାମୀଦାମୀ କମ୍ପାନୀର ରେଡିଓ ପ୍ରଥମ ପସନ୍ଦ ପାଲଟିଥିଲା । ଅଲ୍ଇଣ୍ଡିଆ ରେଡିଓ, ଆକାଶବାଣୀ କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ଓ ଏଫ୍ଏମ୍ ଭଳି ରେଡିଓ ଷ୍ଟେସନ୍ ସାଧାରଣ ଜନତାଙ୍କ ପ୍ରଶଂସା ସାଉଁଟୁଥିଲା । କିନ୍ତୁ ବିଗତ କିଛି ବର୍ଷ ହେଲା ଆଧୁନିକତାର ଛାପରେ ଡିଜିଟାଲର ବହୁଳ ପ୍ରଭାବ ସାଙ୍ଗକୁ ଯୁଗ ବଦଳିଯିବାରୁ ବହୁ ବ୍ୟକ୍ତି ରେଡିଓକୁ ଆଉ ପୂର୍ବଭଳି ପସନ୍ଦ ତଥା ଆଗ୍ରହ କରୁନଥିବା ଦେଖିବାକୁ ମିଳୁଛି । ଆଧୁନିକତାର ଛାପରେ ରେଡିଓର ବିକଳ୍ପ ଭାବେ ମୋବାଇଲ୍ ଫୋନ୍, ସ୍ମାର୍ଟଫୋନ୍, କମ୍ପ୍ୟୁଟର, ଟେଲିଭିଜନ ଉଭା ହୋଇସାରିଥିଲା ବେଳେ ସେଗୁଡିକର ବହୁଳ ପ୍ରଚାର ଫଳରେ ରେଡିଓର ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ପୂର୍ବାପେକ୍ଷା ରେଡିଓର ଚାହିଦା ହ୍ରାସ ପାଇଥିଲେ ମଧ୍ୟ କେତେକ ଗାଁଗହଳିରେ ଏବେ ବି ବହୁ ରେଡିଓପ୍ରେମୀ ଥିବା ଦେଖିବାକୁ ମିଳୁଛି ।


