ଓଡିଶା ସ୍କୁଲ କଲେକ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦାବିପତ୍ର
ନାଉଗାଁ,(ଓ୍ବାଇଏନଏସ):ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବୁଧବାର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ବିଡିଓ ନିରଞ୍ଜନ ପରିଡାଙ୍କ ଜରିଆରେ ୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ,ଗଣ ଶିକ୍ଷାମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଶିକ୍ଷାକ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଉପରେ ଉପସ୍ଥାପନ କରାଯାଇଛି। ଦାବିଗୁଡିକ ମଧ୍ୟରେ ରହିଛି ସମସ୍ତ ଯୋଗ୍ୟ ସ୍କୁଲ ଓ କଲେଜକୁ ଜି.ଆଇ.ଏ ପରିସରଭୂକ୍ତ କରିବା ଏବଂ ନୂତନ ଅନୁଦାନପ୍ରାସ୍ତ ସ୍କୁଲ,କଲେଜ ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ପେନସନ ଓ ସେବା ସର୍ତାବଳୀ ପ୍ରଦାନ କରିବା। ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ ଗୁଡିକରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଏବଂ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ସମସ୍ତ ବର୍ଗର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରେଡ ପେର ତ୍ରୁଟି ସୁଧାରିବା ଓ ଚୁକ୍ତିଭିତିକ ଶିକ୍ଷକମାନଙ୍କ ପାଇଁ ୬ଟି ନେସନାଲ ଇନକ୍ରିମେଂଟ ଅନ୍ତର୍ଭୁକ୍ତ କରିବା। ସମସ୍ତ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲ,କଲେଜ ଗୁଡିକର ସରକାରୀ କରଣ କରିବା ସହ ସମସ୍ତଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ଦାବି ରହିଛି। ଏହି ଦାବିପତ୍ରକୁ ସମିତି ପକ୍ଷରୁ ଜିଲା ଓଷ୍ଟା ସଂଘର ଉପଦେଷ୍ଟା ତଥା ଶିକ୍ଷାବିତ୍ ନିରଞ୍ଜନ ମହାନ୍ତି, ଓଷ୍ଟା ନାଉଗାଁ ବ୍ଳକ ସଭାପତି ସୁକାନ୍ତ କୁମାର ଲେଙ୍କା,ଉପସଭାପତି ଅଶୋକ କୁମାର ଫାରକ,ସଂପାଦକ ହିମାଂଶୁ କୁମାର ମହାନ୍ତି, ଆଦର୍ଶ ଦାସ, ଅଜୟ କୁମାର ସ୍ୱାଇଁ, ନୃସିଂହ ଚରଣ ରାଉତ, ଅନନ୍ତ ଗୋଚ୍ଛାୟତ,ପ୍ରଶାନ୍ତ ଦାସ,ସନ୍ତୋଷ ଦାସ,ପ୍ରଦ୍ୟୁମ୍ନ ସ୍ୱାଇଁ,ସୁରେଶ ରାଉଳ,ଦିଲିପ ସାହୁ,କୃଷ୍ଣଚନ୍ଦ୍ର ପରିଡା ଆଦି ଉପସ୍ଥିତ ରହି ଉକ୍ତ ଦାବିପତ୍ରକୁ ପ୍ରଦାନ କରିଥିଲେ।


