ଆଧୁନିକତାର ଛାପରେ ବଦଳିବାରେ ଲାଗିଛି ବିବାହ ପରମ୍ପରା!
ଆସିକା (ୱାଇଏନ୍ଏସ୍) : ଦିନକୁ ଦିନ ବଦଳିବାରେ ଲାଗିଛି ବିବାହ ପରମ୍ପରା । ହିନ୍ଦୁ ସଂପ୍ରଦାୟର ଓଡିଆ ଘରର ବାହାଘରରେ ଯୋଡି ହେବାରେ ଲାଗିଛି ଆଧୁନିକତାର ଛାପ । ପ୍ରି-ୱେଡିଂ, ଫଟୋସୁଟ୍, ରିଙ୍ଗ୍ ସେରିମୋନି, ହଳଦୀ, ମେହେନ୍ଦି ଭଳି ଅନେକ ପରମ୍ପରା । ତା ସହିତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିବାହ ପାଇଁ ଖର୍ଚ୍ଚ । ବିବାହ ଆସିଲେ ମନେ ପଡୁଛି ଖାଣ୍ଟି ଓଡିଆ ଘରର ଗୁଆ ନିମନ୍ତ୍ରଣ, ଜାଇ ରଗଡା, ବଡି ଅନୁକୂଳ କି ବାଡୁଅ ପାଣି ଭଳି ପରମ୍ପରାର ଓ ରୀତିନିତୀ । ତେବେ ବିଗତ କିଛି ବର୍ଷ ହେଲା ବିବାହ ଆଉ ଦିନିକିଆ ଉତ୍ସବ ହୋଇ ରହୁନାହିଁ । ପାଲଟି ଯାଉଛି ତିନିଦିନିଆ ମହାସମାରୋହ । ମେହେନ୍ଦି, ହଳଦୀ ଓ ସଙ୍ଗୀତ ଭଳି ପରମ୍ପରାରେ ହେଉଛି ବିବାହ କାର୍ଯ୍ୟ । ଶଙ୍ଖା, ସିନ୍ଦୂର ଓଡିଆ ଘରର ସୁହାଗର ପ୍ରତୀକ ହୋଇଥିବା ବେଳେ ଏବେ କେତେକ କ୍ଷେତ୍ରରେ ଉତ୍ତର ଓ ଦକ୍ଷିଣ ଭାରତୀୟଙ୍କ ଭଳି ଆମେ ବିବାହ ସମୟରେ ସୁହାଗର ପ୍ରତୀକ ଭାବେ ମଙ୍ଗଳସୂତ୍ରକୁ ପ୍ରାୟତଃ ଉପସ୍ଥାପନ କରୁଛୁ । ଯାହାକି ଧିରେ ଧିରେ ଓଡିଆ ସଂସ୍କୃତିକୁ ଅବକ୍ଷୟମୁଖୀ କରିବା ସହ ଅନ୍ୟ ଏକ ସଂସ୍କୃତିକୁ ପ୍ରୋତ୍ସାହନ ଦେଉଛି ବୋଲି କେତେକ ମହଲରେ ଆଲୋଚିତ ହେଉଛି । ସାଂସ୍କୃତିକ ଭାବ ବିନିମୟ ଯୋଗୁଁ ଗୋଟିଏ ସଂସ୍କୃତିର ରୀତିନୀତି ଓ ପରମ୍ପରା ଅନ୍ୟ ଏକ ସଂସ୍କୃତିକୁ ଯିବା ଭଲ ଲକ୍ଷଣ ହୋଇଥିଲେ ମଧ୍ୟ ଏହାରି ଭିତରେ ନିଜ ଗାରିମାମୟ ସଂସ୍କୃତି ବିକୃତ ହୋଇଯିବା ନିହାତି ଭାବେ ଚିନ୍ତାର ପ୍ରସଙ୍ଗ ପାଲଟିଛି । କୌଣସି ଏକ ଜାତିର ପରିଚୟ ହେଉଛି ଏହାର ଭାଷା, ପରମ୍ପରା, ଚଳଣି, ବେଶଭୂଷା, ଖାଦ୍ୟପେୟ ଓ ସଂସ୍କୃତି । ଏସବୁ ଓଡିଆ ଜାତିର ଭିନ୍ନ ଓ ସ୍ୱତନ୍ତ୍ର ବୋଲି ହିଁ ଏହି ଓଡିଆ ଜାତି ଏତେ ସମୃଦ୍ଧ ହୋଇପାରିଛି । ଓଡିଆ ପରମ୍ପରା ଓ ରୀତିନୀତିକୁ କେତେକାଂଶରେ ଭୂଲି ବହୁ ବରକନ୍ୟା ଏକତ୍ର ବିବାହ ମଣ୍ଡପକୁ ଆସୁଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ବିବାହ ପରମ୍ପରାର ପବିତ୍ରତା ଓ ସ୍ୱତନ୍ତ୍ରତା ଧିରେ ଧିରେ ନଷ୍ଟ ହେବାରେ ଲାଗିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ମଧ୍ୟ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ବିବାହ ପାଇଁ ପୁଅଝିଅଙ୍କ ପ୍ରସ୍ତାବ ଚୁଡାନ୍ତ ହେବା କ୍ଷଣି କେତେକ କ୍ଷେତ୍ରରେ ଭାବର ଆଦାନ ପ୍ରଦାନ ଓ ବାର୍ତ୍ତାଳାପ ମୋବାଇଲ୍ ଫୋନ୍ ମାଧ୍ୟମରେ ଆରମ୍ଭ ହୋଇଯାଉଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ପରିବାରରେ ଥିବା ଅନ୍ୟ ପୁଅଝିଅଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ବହୁ ପୁଅଝିଅ ବିବାହ ପୂର୍ବରୁ ଅନ୍ୟତ୍ର ବୁଲିବାକୁ ଯାଉଥିବା ମଧ୍ୟ ମତ ପ୍ରକାଶ ପାଉଛି । ଆଧୁନିକତାର ଛାପରେ ବିବାହ ପାଇଁ ଖର୍ଚ୍ଚ ବି ଦିନକୁ ଦିନ ବଢିବାରେ ଲାଗିଛି । ଥରେ ମାତ୍ର ପିନ୍ଧିବାକୁ ପୁଳାପୁଳା ଟଙ୍କାରେ କିଣା ହେଉଛି ସେରୱାନୀ ଆଉ ଲେହେଙ୍ଗା ଏବଂ ପଗଡି । ଯାହାକୁ ବିବାହ ଉତ୍ସବ ପରେ ଆଉ ପ୍ରାୟତଃ ବ୍ୟବହାର କରିବାକୁ ପଡିନଥାଏ । ସାଧାରଣ ବର୍ଗଙ୍କ ଠାରୁ ଆରମ୍ଭ ସମ୍ଭ୍ରାନ୍ତଙ୍କ ପର୍ଯ୍ୟନ୍ତ ଅଧିକାଂଶ ବ୍ୟକ୍ତି ବାହାଘରରେ ମୋଟା ଅଙ୍କର ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ଦେଖିବାକୁ ମିଳୁଛି । ବିଗତ କିଛି ମାସ ହେଲା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବିବାହ ଋତୁ ଚାଲିଥିବାରୁ ପ୍ରାୟତଃ ବିଭିନ୍ନ ସ୍ଥାନରେ ବର୍ଣ୍ଣାଢ୍ୟ ଶୈଳୀରେ ବାହାଘର ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଆଡମ୍ବର ବାହାଘର ମାୟାରେ ପଡି ବହୁ ବ୍ୟକ୍ତି ନିଜର ସଂଚିତ ଅର୍ଥ ଖର୍ଚ୍ଚ କରିଦେଉଥିବା ଦେଖିବାକୁ ମିଳୁଛି । ଅତୀତରେ ବାହାଘର କହିଲେ ନିର୍ବନ୍ଧ, ମଙ୍ଗଳକୃତ୍ୟ, ଭୋଜି ଭଳି ମାତ୍ର ୩ ରୁ ୪ ଟି କ୍ଷେତ୍ରରେ ଖର୍ଚ୍ଚ ହେଉଥିଲା କିଛି ଟଙ୍କା । ତେବେ ଦିନକୁ ଦିନ ବାହାଘର ପାଇଁ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ ହେବାରେ ଲାଗିିଛି । ସବୁଠାରୁ ବଡ କଥା ହେଉଛି ଓଡିଆ ସଂସ୍କୃତିରେ ଧସେଇ ପଶିବାରେ ଲାଗିଛି ଅଣଓଡିଆ ପରମ୍ପରା । ବାହାଘର ପୂର୍ବରୁ ନିର୍ବନ୍ଧ ପାଲଟିଛି ରିଙ୍ଗ୍ ସେରିମୋନି । ତା ସହିତ ଯୋଡି ହୋଇଛି ମେହେନ୍ଦି, ଫଟୋସୁଟ୍ ଭଳି ବିଶାଳ ବଜେଟ୍ । ଅତୀତରେ ବାହାଘର ପୂର୍ବରୁ ବରକନିଆ ମୁହଁ ଦେଖାଦେଖି ହେଉନଥିଲେ । ତେବେ ସାଂପ୍ରତିକ ପରିସ୍ଥିତିରେ କେତେକ କ୍ଷେତ୍ରରେ ବରକନିଆ ଡେଟିଂରେ ଯାଉଛନ୍ତି ଓ ଫଟୋସୁଟ୍ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ଆଧୁନିକ ଭାଷାରେ କୁହାଯାଉଛି ପ୍ରି-ୱେଡିଂ ଫଟୋସୁଟ୍ । ଆଉ ଏହି ଫଟୋ ଉଠାଇବା ପାଇଁ ଫଟୋଗ୍ରାଫରମାନେ ମଧ୍ୟ ଲାଭବାନ୍ ହେଉଥିବା ମଧ୍ୟ ଜଣାପଡିଛି । ଆଧୁନିକତାର ଛାପରେ ଦିନକୁ ଦିନ ବଦଳିବାରେ ଲାଗିଛି ବିବାହ ପରମ୍ପରା ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି ।


