ଜଳଘେରରେ ଥିବା ଲୋକଙ୍କୁ ଭେଟି ସ୍ଥିତି ସମୀକ୍ଷା କଲେ ସାଂସଦ ଓ ବିଧାୟକ
ବାଲେଶ୍ୱର(ସରୋଜ ପଣ୍ଡା) : ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବାଲେଶ୍ୱର ସଦର ଅଞ୍ଚଳର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଅନେକ ଗ୍ରାମ ଓ ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ପ୍ରଭାବିତ ବୁଆଁଳ ଓ ଶ୍ରୀକୋଣା ଅଞ୍ଚଳ ପରିଦର୍ଶନ କରି ଜଳଘେରରେ ଥିବା ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ଅବଗତ ହୋଇଛନ୍ତି। ପରିଦର୍ଶନ ସମୟରେ ସାଂସଦ ଓ ବିଧାୟକ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଜଳବନ୍ଦୀ ଯୋଗୁଁ ସେମାନେ ସମ୍ମୁଖୀନ ହେଉଥିବା ଯାତାୟାତ, ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ପ୍ରଭାବିତ ଲୋକଙ୍କ ନିକଟରେ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଇଥିବାବେଳେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ମଧ୍ୟ ଯୋଗାଇ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ କୌଣସି ପରିବାର ଯେପରି ଆବଶ୍ୟକ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମସ୍ତ ସ୍ତରରେ ପ୍ରୟାସ ଜାରି ରହିଛି ବୋଲି ସାଂସଦ କହିଛନ୍ତି। ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ଓ ସହାୟତାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କ ସହ ସରକାର ଦୃଢ଼ତାର ସହ ଠିଆ ହୋଇଛନ୍ତି ବୋଲି ବିଧାୟକ ପରିପ୍ରକାଶ କରିଛନ୍ତି। ସେ ମଧ୍ୟ କହିଛନ୍ତି ଯେ ଲଗାଣ ବର୍ଷା ଯୋଗୁଁ ସଦର ଅଞ୍ଚଳର ଯେଉଁ ସବୁ ସ୍ଥାନରେ ଲୋକେ ଜଳବନ୍ଦୀ ଓ ଅନ୍ୟାନ୍ୟ ସମସ୍ୟାରେ ରହିଛନ୍ତି, ସେମାନଙ୍କ ପାଖରେ ସହାୟତା ପହଞ୍ଚାଇବା ଆମର ସର୍ବୋଚ୍ଚ ପ୍ରାଥମିକତା। ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଆମ ସରକାର ସମ୍ବେଦନଶୀଳତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରୁଛନ୍ତି। ପ୍ରଶାସନ ସହ ସମନ୍ୱୟ ରଖି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ସାଂସଦ ଓ ବିଧାୟକ ପ୍ରଭାବିତ ଲୋକଙ୍କୁ ଧୈର୍ଯ୍ୟ ନ ହରାଇବାକୁ ଅନୁରୋଧ କରିବା ସହ ସରକାର ଓ ପ୍ରଶାସନ ସେମାନଙ୍କ ସହ ରହିଛି ବୋଲି ଆଶ୍ୱାସନା ଦେଇଛନ୍ତି। ବିଶେଷକରି ଜଳଘେରରେ ଥିବା ପରିବାର, ବୃଦ୍ଧବୃଦ୍ଧା, ଶିଶୁ ଓ ଅସହାୟ ଲୋକଙ୍କ ଆବଶ୍ୟକତା ପ୍ରତି ପ୍ରାଥମିକତା ଦେବା ଏବଂ ପରିସ୍ଥିତି ଅନୁଯାୟୀ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି।


