ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନକୁ ନେଇ ବ୍ୟାପକ ଅନିୟମିତତା ଓ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବିନୋଦ କୁମାର ସିଂ, ଖଗେଶ୍ୱର ପଣ୍ଡିତ, ରମାକାନ୍ତ ସିଂ, ଅଜୟ କୁମାର ସିଂ, ଅଭୟ କୁମାର ସିଂ, ଜିତେନ୍ଦ୍ର ସିଂ, ରାମଚନ୍ଦ୍ର ନାୟକ, ଦୀନବନ୍ଧୁ ପଣ୍ଡିତ, ସୁରେନ୍ଦ୍ର ପଣ୍ଡିତ, ଭୁବନାନନ୍ଦ ବିନ୍ଧାଣୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ହାଟଡିହି ବିଡିଓଙ୍କୁ ଲିଖିତ ଅଭିଯୋଗ କରି ଘଟଣାର ପୁନଃ ତଦନ୍ତ ଦାବି କରିଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଯୋଗ୍ୟ ପରିବାରଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ଯାଞ୍ଚ ଓ ହିତାଧିକାରୀ ଚୟନ ପ୍ରକ୍ରିୟା ଚାଲିଛି। କିନ୍ତୁ ସୋସୋ ପଞ୍ଚାୟତରେ ଏହି ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି।ଅଭିଯୋଗରେ ଦର୍ଶାଯାଇଛି ଯେ, ଅନେକ ଗରିବ ଓ ଅସହାୟ ଯୋଗ୍ୟ ପରିବାରଙ୍କ ନାମ ତାଲିକାରେ ନଥିବାବେଳେ, ଆର୍ଥିକ ଭାବେ ସ୍ୱଚ୍ଛଳ ବ୍ୟକ୍ତି, ବହୁତଳ କୋଠାଘରର ମାଲିକ ଏବଂ ପୂର୍ବରୁ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ପାଇଥିବା କେତେକ ବ୍ୟକ୍ତିଙ୍କ ନାମ ତାଲିକାରେ ସାମିଲ ହୋଇଛି। ଏହାଦ୍ୱାରା ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ବାଟବଣା ହେବାର ଆଶଙ୍କା ରହିଥିବା ସେମାନେ କହିଛନ୍ତି। ଏପରିକି ଯାଞ୍ଚ ସମୟରେ ସ୍ଥାନୀୟ ଲୋକଙ୍କ ସହ ଅଧିକାରୀଙ୍କ ସାକ୍ଷାତ କରାଯାଇନଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ଏହି ଘଟଣାର ନିରପେକ୍ଷ ଭାବେ ପୁନଃ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ସହ ଯୋଗ୍ୟ ଓ ପ୍ରକୃତ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିବାକୁ ଗ୍ରାମବାସୀମାନେ ବିଡିଓଙ୍କ ନିକଟରେ ଦାବି କରିଛନ୍ତି।


