୩ କି.ମି. ଦୋଳାରେ ବୁହାହେଲେ ରୋଗୀ

ପାତ୍ରପୁର,(ରବୀନ୍ଦ୍ର କୁମାର ମିଶ୍ର):ପକ୍କା ରାସ୍ତା ନଥିବାରୁ ଲୋକେ ଆଜି ବି ଜରୁରୀ ସେବା ପାଇବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଘଟଣା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଗାଇଡା-ଏ ଗାଁରେ ଦେଖିବାକୁ ମିଳିଛି। ଗାଁକୁ ଯାତାୟାତ ପାଇଁ ପକ୍କା ରାସ୍ତା ନଥିବାରୁ ଅସୁସ୍ଥ ଜଣେ ମହିଳାଙ୍କୁ ପ୍ରାୟ ୩ କି.ମି. ଦୋଳାରେ ବୋହି ବାଦୁଆ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାତ୍ରପୁର ଡାକ୍ତରଖାନା ପଠାଯାଇଥିଲା। ଗାଁର ପୂର୍ଣ୍ଣଚନ୍ଦ୍ର କାର୍ଯୀଙ୍କ ପତ୍ନୀ ବେଙ୍ଗିନୀ କାର୍ଯୀ କିଛିଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ହାତ ଓ ଗୋଡ଼ ଫୁଲିଯିବା ସହ ରକ୍ତହୀନତା ଦେଖାଦେଇଥିବା ଜଣାପଡ଼ିଛି। ଆଜି ତାଙ୍କ ଅବସ୍ଥା ଦେଖି ଗ୍ରାମବାସୀ ତୁରନ୍ତ ଡାକ୍ତରଖାନା ନେବାକୁ ଉଦ୍ୟମ କରିଥିଲେ। ତେବେ ଗାଁ ଭିତରକୁ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ ଦୋଳାରେ ବୋହି ପ୍ରାୟ ୩ କି.ମି. ଦୁର୍ଗମ ରାସ୍ତା ଦେଇ ବାଦୁଆ ପର୍ଯ୍ୟନ୍ତ ନେଇଥିଲେ। ପରେ ଆମ୍ବୁଲାନ୍ସରେ ତାଙ୍କୁ ପାତ୍ରପୁର ଡାକ୍ତରଖାନା ନିଆଯାଇଥିଲା। ଗାଇଡା-ଏ ଗାଁକୁ ପକ୍କା ରାସ୍ତା ନଥିବାରୁ ବର୍ଷାଦିନରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି। ବିଶେଷକରି ରୋଗୀ, ଗର୍ଭବତୀ ମହିଳା ଓ ବୃଦ୍ଧବୃଦ୍ଧାଙ୍କୁ ଜରୁରୀ ସମୟରେ ଡାକ୍ତରଖାନା ନେବା କଷ୍ଟକର ହେଉଛି। ନିକଟସ୍ଥ ବୁରସାହି, କୁରୁଗୁଡ଼, ବାଦୁଆ, ଧୋବାଲିଙ୍ଗି ଅଞ୍ଚଳକୁ ରାସ୍ତା ନିର୍ମାଣ ଚାଲିଥିବାରୁ ଏହା ସହ ଗାଇଡା-ଏ ଗାଁକୁ ମଧ୍ୟ ସଂଯୋଗ କରି ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ