ସ୍କାଉଟସ୍ ଓ ଗାଇଡସ୍ର ତୃତୀୟ ସୋପାନ ପରୀକ୍ଷା
ଆସିକା(ୱାଇଏନ୍ଏସ୍): ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ଶୁକ୍ରବାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭାରତ ସ୍କାଉଟସ୍ ଓ ଗାଇଡସ୍ର ତୃତୀୟ ସୋପାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ଆସିକା ଓ ଧରାକୋଟ ବ୍ଳକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୧୩୫ ଜଣ ସ୍କାଉଟସ୍ ଛାତ୍ର ଓ ୮୨ ଜଣ ଗାଇଡସ୍ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଭାରତ ସ୍କାଉଟସ୍ ଓ ଗାଇଡସ୍ର ଏହି ତୃତୀୟ ସୋପାନ ପରୀକ୍ଷାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ସୁନିଲ୍ କୁମାର ଗୌଡ ଯୋଗଦେଇ ସ୍କାଉଟସ୍ ଓ ଗାଇଡସ୍ର ଧ୍ୱଜାକୁ ଉତ୍ତୋଳନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ରୂପେ ରାମହରି ସାହୁ, ସ୍ୱପ୍ନାରାଣୀ ପାଣିଗ୍ରାହୀ, ଅରୁଣ କୁମାର ପଟ୍ଟନାୟକ, ସ୍କାଉଟ୍ ମାଷ୍ଟର ମଦନ ମୋହନ ବାଡତ୍ୟା, ପ୍ରତିମାନ୍ ପ୍ରଧାନ, ହରିଶ୍ଚନ୍ଦ୍ର ଦଳେଇ, ଚନ୍ଦ୍ରଶେଖର ଦାଶ, ମନୋରଂଜନ ରଥ, ସୁଶାନ୍ତ କୁମାର ପ୍ରଧାନ, ଗାଇଡ୍ କ୍ୟାପଟେନ୍ ମିନତୀ ସାହୁ, ରେଣୁକା ଦାଶ, ମାମା ମହାନ୍ତି, ଗୀତାଞ୍ଜଳୀ ସାବତ, ନର୍ମଦା ସ୍ୱାଇଁ, ଭାରତୀ କୁମାରୀ ଷଡଙ୍ଗୀ, ଅନ୍ନପୂର୍ଣ୍ଣା ଭୋଇ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ନିୟମାବଳୀ ଉପରେ ଆଲୋକପାତ କରିବା ସାଙ୍ଗକୁ ସ୍ୱେଚ୍ଛାସେବୀମାନଙ୍କୁ ଶୃଙ୍ଖଳା, ସେବା, ନିଷ୍ଠା ଓ ବିପର୍ଯ୍ୟୟ ପରିଚାଳନା ଉପରେ ଦାୟିତ୍ୱ ଓ କର୍ତ୍ତବ୍ୟ ସଂକ୍ରାନ୍ତରେ ମାର୍ଗଦର୍ଶନ କରି ବିଦ୍ୟାର୍ଥୀମାନେ ସମାଜସେବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥୀ ସ୍ୱାଇଁଙ୍କ ମାର୍ଗଦର୍ଶନରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି ଭାରତ ସ୍କାଉଟସ୍ ଓ ଗାଇଡସ୍ର ଏହି ତୃତୀୟ ସୋପାନ ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲା ବେଳେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହର ସହ ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା ।


