ଗୋଟିଏ ବର୍ଷରେ ୯୧ ନିଖୋଜ, ୬୧ ଉଦ୍ଧାର; ୪୩ ମାମଲା ପଞ୍ଜିକୃତ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅଧୀନ ନନ୍ଦିପଦା ଥାନା ଅଞ୍ଚଳରେ ନିଖୋଜ ଘଟଣା ଚିନ୍ତାର କାରଣ ପାଲଟିଛି। ଗତ ୧ ଅଗଷ୍ଟ ୨୦୨୫ରୁ ୨୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ଭିନ୍ନ ଭିନ୍ନ ବୟସର ମୋଟ ୯୧ ଜଣ ବ୍ୟକ୍ତି ନିଖୋଜ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ଅଦ୍ୟାବଧି ୬୧ ଜଣଙ୍କୁ ପୋଲିସ ଠାବ କରି ଉଦ୍ଧାର କରିଥିବା ବେଳେ ଆଉ ୩୦ ଜଣଙ୍କ ସନ୍ଧାନ ଜାରି ରହିଛି। ଏହି ସମୟ ମଧ୍ୟରେ ନିଖୋଜ ଘଟଣା ସମ୍ପର୍କରେ ମୋଟ ୪୩ଟି ମାମଲା ପଞ୍ଜିକରଣ ହୋଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଥିବା ସୂଚନା ଅନୁଯାୟୀ, ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ନାବାଳକ ଓ ନାବାଳିକାଙ୍କ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ। ୧୮ ବର୍ଷରୁ କମ ବୟସର ମୋଟ ୪୨ ଜଣ ନିଖୋଜ ହୋଇଥିବା ବେଳେ ସେଥିରୁ ୨୮ ଜଣଙ୍କୁ ଅଦ୍ୟାବଧି ଉଦ୍ଧାର କରାଯାଇଛି। ଅବଶିଷ୍ଟ ୧୪ ଜଣଙ୍କୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ତରରେ ତଦନ୍ତ ଓ ସନ୍ଧାନ ଅଭିଯାନ ଜାରି ରହିଛି।ବୟସ ଅନୁଯାୟୀ ଦେଖିଲେ, ୬ରୁ ୧୦ ବର୍ଷ ବୟସ ମଧ୍ୟରେ ଜଣେ ପୁରୁଷ ନିଖୋଜ ହୋଇଛନ୍ତି। ସେହିପରି ୧୧ରୁ ୧୫ ବର୍ଷ ମଧ୍ୟରେ ୧୩ ଜଣ ମହିଳା ଓ ୫ ଜଣ ପୁରୁଷ ନିଖୋଜ ହୋଇଥିବା ସୂଚନା ମିଳିଛି। ୧୬ରୁ ୨୦ ବର୍ଷ ବୟସ ମଧ୍ୟରେ ନିଖୋଜଙ୍କ ସଂଖ୍ୟା ସର୍ବାଧିକ ଥିବା ଜଣାପଡ଼ିଛି। ଏହି ବୟସ ବର୍ଗରେ ୩୭ ଜଣ ମହିଳା ଓ ୯ ଜଣ ପୁରୁଷ ନିଖୋଜ ହୋଇଛନ୍ତି। ୨୧ରୁ ୨୫ ବର୍ଷ ବୟସ ମଧ୍ୟରେ ୧୩ ଜଣ ମହିଳା ଓ ଜଣେ ପୁରୁଷ ନିଖୋଜ ହୋଇଥିବା ବେଳେ ୨୫ ବର୍ଷରୁ ଊର୍ଦ୍ଧ୍ୱ ବୟସରେ ୭ ଜଣ ମହିଳା ଓ ୫ ଜଣ ପୁରୁଷ ନିଖୋଜ ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ନିଖୋଜ ଘଟଣାଗୁଡ଼ିକ ମଧ୍ୟରେ ବିଶେଷକରି କିଶୋରୀ ଓ ଯୁବତୀଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏହାକୁ ନେଇ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ନିଖୋଜ ହେବାର ବିଭିନ୍ନ କାରଣ ରହିଥିବା ବେଳେ ଘଟଣା ପରେ ତୁରନ୍ତ ପୋଲିସକୁ ଅବଗତ କରାଇବା ଓ ଆବଶ୍ୟକ ସୂଚନା ଦେବା ଦ୍ୱାରା ତଦନ୍ତ ପ୍ରକ୍ରିୟା ଅଧିକ ସହଜ ହୋଇପାରିବ ବୋଲି ସଚେତନ ମହଲର ମତ। ଅନ୍ୟପକ୍ଷରେ ନିଖୋଜ ମାମଲାର ତଦନ୍ତ ସମୟରେ ପୋଲିସକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା କୁହାଯାଇଛି। ଅନେକ କ୍ଷେତ୍ରରେ ନିଖୋଜ ହେବାର ଦୀର୍ଘ ସମୟ ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଉଥିବାରୁ ତଦନ୍ତରେ ବିଳମ୍ବ ହେଉଛି। ଏହାସହ ନିଖୋଜ ବ୍ୟକ୍ତିଙ୍କ ଫଟୋ, ମୋବାଇଲ ନମ୍ବର, ସାଙ୍ଗସାଥୀ, ପରିଚିତ ବ୍ୟକ୍ତି, ଯାତାୟାତ ଓ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ସମୟୋପଯୋଗୀ ଭାବେ ପୋଲିସକୁ ଦିଆନଯିବା ମଧ୍ୟ ତଦନ୍ତରେ ବାଧା ସୃଷ୍ଟି କରୁଥିବା କୁହାଯାଇଛି। ନିଖୋଜ ଘଟଣାକୁ ନେଇ ଅଭିଯୋଗ କରିବାରେ ବିଳମ୍ବ ଏବଂ ପୋଲିସକୁ ଆବଶ୍ୟକ ସହଯୋଗ ନମିଳିବା ଯୋଗୁଁ ଅନେକ ସମୟରେ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାରେ ସମୟ ଲାଗୁଥିବା ସମାଜସେବୀ ସୁଧାଂଶୁ ଦକ୍ଷିଣରାୟ ଓ ପୂର୍ବତନ ସମିତିସଭ୍ୟ ବୀରେନ୍ଦ୍ର କୁମାର ବିଶ୍ୱାଳ କହିଛନ୍ତି। ନିଖୋଜ ଘଟଣା ଘଟିଲେ ପରିବାର ଲୋକେ ଭୟଭୀତ ନହୋଇ ତୁରନ୍ତ ଥାନାରେ ଅଭିଯୋଗ କରିବା ସହ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ଥିବା ସମସ୍ତ ତଥ୍ୟ ପୋଲିସକୁ ଦେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।ସୂଚନାଯୋଗ୍ୟ, ସମଗ୍ର ଓଡ଼ିଶାରେ ମଧ୍ୟ ନିଖୋଜ ଘଟଣା ଚିନ୍ତାଜନକ ସ୍ଥିତିରେ ରହିଛି। ଚଳିତ ବର୍ଷ ଜାନୁଆରୀରୁ ଜୁନ୍‌ ମଧ୍ୟରେ ମାତ୍ର ୬ ମାସରେ ରାଜ୍ୟରେ ପ୍ରାୟ ୯ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ନିଖୋଜ ହୋଇଥିବା ବେଳେ ୫ ହଜାରରୁ ଅଧିକଙ୍କୁ ଉଦ୍ଧାର କରାଯାଇଥିବା ତଥ୍ୟ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ନନ୍ଦିପଦା ଥାନା ଅଞ୍ଚଳର ଏକ ବର୍ଷର ନିଖୋଜ ତଥ୍ୟ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା କେବଳ ପୋଲିସର ଦାୟିତ୍ୱ ନୁହେଁ, ପରିବାର ଓ ସମାଜର ସହଯୋଗ ମଧ୍ୟ ଅତ୍ୟନ୍ତ ଜରୁରୀ। ନିଖୋଜ ଘଟଣା ସମ୍ପର୍କରେ ତୁରନ୍ତ ଅଭିଯୋଗ, ସଠିକ ତଥ୍ୟ ପ୍ରଦାନ ଓ ପୋଲିସକୁ ସହଯୋଗ କରାଗଲେ ନିଖୋଜଙ୍କୁ ଶୀଘ୍ର ଠାବ କରିବାରେ ସହାୟତା ମିଳିପାରିବ। ଏବେ ନନ୍ଦିପଦା ଥାନା ଅଞ୍ଚଳରେ ଠାବ ହୋଇନଥିବା ୩୦ ଜଣଙ୍କ ସନ୍ଧାନ କେବେ ମିଳୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ