ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଳାଶପୁର,ସୁମନ୍ତପୁର, ଢେପାଗୁଡ଼ା ଖଇର ପଦର,ସିଙ୍ଗପୁର,ହରିଣା,,ଗୁଣ୍ଡୁରିଗୁଡ଼ା,ଆଦିକନ୍ଦପୁର,ସୁନାଖଣ୍ଡି ପ୍ରଭୃତି ଗ୍ରାମ ମାନଙ୍କରେ ଗତ ପ୍ରାୟ ୧ ସପ୍ତାହ ହେଲା ହାତୀ ଉପଦ୍ରବ ଯୋଗୁଁ ସନ୍ଧ୍ୟା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ ରାତିରେ ତାଟି କବାଟ ପଡିଯାଉଛି। ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ ଜଙ୍ଗଲ ଅଧିନ ଶୁଳିଆ ପାହାଡ଼ରେ ଦୀର୍ଘଦିନ ଧରି ରହୁଥିବା ଗୋଟିଏ ଦନ୍ତା ହାତୀ ଓ ୩ ଟି ମାଈ ହାତୀ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣ ରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି।ହାତୀ ପଲ ଗ୍ରାମାଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଏନେଇ ପାଟପୁର ବନ ବିଭାଗ ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁ ଙ୍କୁ ପଚାରିବାରୁ ହାତୀ ଚଳପ୍ରଚଳ ନେଇ ବନବିଭାଗ ପକ୍ଷରୁ ବିଭିନ୍ନ ଗାଁ ମାନଙ୍କରେ ହାତୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସକାଳେ କିମ୍ବା ସନ୍ଧ୍ୟାରେ ଜଙ୍ଗଲ ନିକଟକୁ ଯାଆନ୍ତୁ ନାହିଁ। ହାତୀ ଙ୍କ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରନ୍ତୁ ନାହିଁ। ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଏବଂ ପ୍ରାଣୀ ଶିକାର ପାଇଁ ବୈଦ୍ୟୁତିକ ତାର ବିଛାଇବା କିମ୍ବା ଫାସ ପକାଇବା ଧର୍ତ୍ତବ୍ୟ ଅପରାଧ ବୋଲି ଲୋକଙ୍କୁ ବନ କର୍ମଚାରୀ ଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଉଛି। କୌଣସି ବ୍ୟକ୍ତି ବନ୍ୟ ପ୍ରାଣୀ ଆଇନ ଉଲଂଘନ କଲେ ୩ ରୁ ୭ ବର୍ଷ କାରାଦଣ୍ଡ ସହ ସେମାନଙ୍କ ଠାରୁ ଜରିମାନା ଆଦାୟ ପାଇଁ କଠୋର ଆଇନ ରହିଥିବା ନେଇ ଲୋକଙ୍କୁ ସଚେତନ କରାଯାଉଛି। ବନ ବିଭାଗ ର ହାତୀ ସ୍କୁଆର୍ଡ, ତାଲିମ ପ୍ରାପ୍ତ ହାତୀ ଟ୍ରାକର ଙ୍କ ସମେତ ପାଟପୁର ସେକ୍ସନ ବନ କର୍ମଚାରୀ ମାନଙ୍କ ପକ୍ଷରୁ ଜଙ୍ଗଲ ମଧ୍ୟକୁ ହାତୀ ଘଉଡାଇବା ପାଇଁ ରାତ୍ରୀକାଳୀନ ପାଟ୍ରୋଲିଂ କରାଯାଉଛି। ବେଆଇନ ଭାବେ କିଛି ଗ୍ରାମାଞ୍ଚଳ ମାନଙ୍କରେ ହୁକିଂ କରାଯାଉଥିବା ରୁ ହାତୀ ଙ୍କ ସୁରକ୍ଷା ଦୃଷ୍ଟିରୁ ସେଗୁଡିକୁ ହଟାଇବା ପାଇଁ ବିଦ୍ୟୁତ୍ କର୍ମଚାରୀ ବୃନ୍ଦ ସହଯୋଗ କରୁଛନ୍ତି। ବିଦ୍ୟୁତ ବିଭାଗ ଏବଂ ବନ ବିଭାଗ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ କରାଯାଉଛି। ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ ରେ ଆବଶ୍ୟକ ହେଲେ ରାତିରେ ନିୟମିତ ବ୍ୟବଧାନରେ ବିଦ୍ୟୁତ ବିଚ୍ଛିନ୍ନ କରାଯାଉଛି। ସମ୍ପୃକ୍ତ ଅଞ୍ଚଳ ପ୍ରତି ବନ ବିଭାଗ ସ୍ଵତନ୍ତ୍ର ନଜର ରଖିବା ସହ ପାଟପୁର ଫରେଷ୍ଟର ନିଜେ ମନିଟରିଂ କରୁଥିବା କହିଛନ୍ତି। ବୁଧବାର ବିଳମ୍ବିତ ରାତି ରେ ଢେପାଗୁଡା ଗ୍ରାମ ନିକଟ ଏକଦାନ୍ତି ମନ୍ଦିର ଠୁ କିଛି ଦୂରରେ ହାତୀପଲ ସହ ବନ କର୍ମଚାରୀ ବୃନ୍ଦ ମୁହାଁମୁହିଁ ହୋଇଯାଇଥିଲେ।ପରେ ବନ କର୍ମଚାରୀ ମାନେ ହାତୀପଲ ଉପରେ ଲାଇଟ୍ ପକାଇ ସାଇରନ୍ ମାରିବାରୁ ହାତୀପଲ ଜଙ୍ଗଲ ମଧ୍ୟକୁ ଦୌଡ଼ିଥିଲେ ବୋଲି ଫରେଷ୍ଟର କହିଛନ୍ତି।ଫସଲ କ୍ଷୟକ୍ଷତି ପାଇଁ ଚାଷୀ ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଅନୁକମ୍ପା ଆପ୍ ଜରିଆରେ ଆବେଦନ କଲେ ତଦନ୍ତ କରାଯାଇ ସେମାନଙ୍କୁ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଫରେଷ୍ଟର କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୦୨୫ ଜାନୁଆରୀ ୨ ଓ ୩୦ ତାରିଖରେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଦ୍ଵିତୀୟ ଢେପାଗୁଡ଼ା ଓ ଭୀମନଗର ଗ୍ରାମ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୃଥକ ଭାବେ ୨ ଟି ମାଈ ହାତୀ ମୃତ୍ୟୁବରଣ କରିଥିଲେ।