ନିଆରା ପରମ୍ପରା: ପାଟପୁର ପୋଲିସର ପଥର ଉଠା କାର୍ଯ୍ୟକ୍ରମ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପରିସରରେ ପବିତ୍ର ଦଶହରା ପୂଜା ପୂର୍ବରୁ ଗଙ୍ଗାମାତା ଆବାହନ ସମୟରେ ପ୍ରତିବର୍ଷ ଏକ ନିଆରା ପରମ୍ପରା ପାଳନ କରାଯାଉଛି।ଚଳିତବର୍ଷ ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ବୃନ୍ଦ ପାଟପୁର ନୋଡାଲ ହାଇସ୍କୁଲ ନିକଟ ଶ୍ରୀ ଜଗନ୍ନାଥ ମନ୍ଦିର ଆଡ଼ପ ଘର ଠାରୁ କିଛି ଦୂରରେ ଥିବା ବଟେଶ୍ୱରୀ ଛକ ରେ କେଉଁ ଆବହମାନ କାଳରୁ ପଡ଼ିଥିବା ଗୋଲାକୃତି ମୁଗୁନି ପଥର କୁ ପୂଜା କରିବା ପରେ ଉକ୍ତ ପଥର ଉଠା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଜନଗହଳି ହୋଇଥିଲା।ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଏବଂ ସାଥି ରେ ଥିବା କିଛି ପୋଲିସ କର୍ମଚାରୀ ଏହି ପଥର ଉଠାଇଥିଲେ।କିନ୍ତୁ ଉକ୍ତ ପଥର କୁ ଉଠାଇ ପାରିନଥିଲେ।ଅନ୍ୟ କିଛି ବ୍ୟକ୍ତି ପଥର କୁ ଉଠାଇବା ପାଇଁ ବହୁବାର ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ଅସଫଳ ହୋଇଥିଲେ।ଜଣେ ଦୁଇଜଣ ଯୁବକ ଉକ୍ତ ପଥରକୁ ଅନେକାଂଶ ରେ ଉଠାଇବା ପରେ ଥାନା ପକ୍ଷରୁ ଉପସ୍ଥିତ ପୋଲିସ ଅଧିକାରୀ ବୃନ୍ଦ ସେମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।ପରେ ବାଦ୍ୟ ବାଜଣା ସହକାରେ ନିକଟସ୍ଥ ବିଶ୍ୱାସରାୟ ପୋଖରୀ ରେ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ବୃନ୍ଦ ପହଞ୍ଚି ଥାନାରେ ଦଶହରା ପୂଜା ପାଇଁ ଗଙ୍ଗାମାତା ଙ୍କୁ ଆବାହନ କରି ବିଲ୍ଵ ବରଣ ପୂଜା ପୂର୍ବକ ସେଠାରୁ ପୂର୍ଣ୍ଣ ଜଳକଳସ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ଥାନା ପରିସରରେ ପହଞ୍ଚିଥିଲେ। ସ୍ୱାଧୀନତା ପୂର୍ବରୁ ସେଠାରେ ଦେବୀ ମା ‘ ଦୂର୍ଗା ଙ୍କ ସନ୍ତୁଷ୍ଟି ପାଇଁ ଥାନା ପକ୍ଷରୁ ଛାଗ ବଳି ଦିଆଯାଉଥିଲା।ବହୁ ବର୍ଷ ହେଲା ବଳି ପରମ୍ପରା ବନ୍ଦ ହୋଇଯାଇଥିଲେ ମଧ୍ୟ ଏବେବି ଥାନା ପକ୍ଷରୁ ପଥର ଉଠା ପୂଜା କାର୍ଯ୍ୟକ୍ରମ ଚାଲୁ ରହିଛି।ଗ୍ରାମର ବୟସ୍କ ବ୍ୟକ୍ତି ମାନଙ୍କ ସୂଚନା ପ୍ରକାରେ ତାଙ୍କ ବାପ ଅଜା ଅମଳରୁ ସେମାନେ ଏହି ନିଆରା ପରମ୍ପରା ଦେଖି ଆସୁଛନ୍ତି।ଇଂରେଜ ଅମଳରେ ଗ୍ରାମର ଜଣେ ମଲ୍ଲ ଯୋଦ୍ଧା ଏହି ପଥର କୁ ନିକଟସ୍ଥ ପାହାଡ଼ ରୁ ଆଣି ସେଠାରେ ରଖିଥିଲେ। ଗତ ୧୯୧୧ ମସିହା ରେ ପାଟପୁର ଥାନା ପ୍ରତିଷ୍ଠା ହେବାଠାରୁ ପ୍ରତିବର୍ଷ ଶରତ ଋତୁ ରେ ଥାନା ପରିସରରେ ଅନୁଷ୍ଠିତ ହେଉଥିବା ମା ‘ ଦୂର୍ଗା ଙ୍କ ଶାରଦୀୟ ପୂଜା ଅବସରରେ ପୋଲିସ ବାହିନୀ ଗଙ୍ଗା ଆବାହନ ଓ ବିଲ୍ଵ ବରଣ ପାଇଁ ପୋଖରୀ କୁ ଆସିଲେ ସେମାନଙ୍କ ବଳ କସିବା ପାଇଁ ଏହି ଗୋଲାକୃତ ପଥର ରେ ଜଡ଼ା ଲଗାଇ ତାକୁ ଉଠାଇବା ପାଇଁ କୁହାଯାଉଥିଲା। ସେମାନେ ପଥର ଉଠାଇ ପାରୁନଥିଲେ।କିନ୍ତୁ ମଲ୍ଲ ଯୋଦ୍ଧା ଜଣକ କୌଶଳ କ୍ରମେ ଉକ୍ତ ପଥର କୁ ଅତି ସହଜରେ ଉଠାଇ ଦେଉଥିଲେ। କୌଣସି ପୋଲିସ କର୍ମଚାରୀ ସମସ୍ତ ବଳ ପ୍ରୟୋଗ କରି ପଥର ଉଠାଇ ପାରିଲେ ତାଙ୍କୁ ସେଠାରେ ପଗଡ଼ି ବନ୍ଧାଯାଇ ପୁରସ୍କୃତ କରାଯାଉଥିଲା। ଏହି ପାରମ୍ପରିକ ପଥରଉଠା କାର୍ଯ୍ୟକ୍ରମ ଦ୍ବାରା ପୋଲିସ ବାହିନୀ ସାଧାରଣ ଜନତା ଙ୍କ ନିକଟତର ହୋଇପାରୁଥିଲେ।ସେମାନଙ୍କ ମଧ୍ୟରେ ସୁ- ସମ୍ପର୍କ ଗଢ଼ି ଉଠୁଥିଲା। ପୋଲିସ ଲୋକଙ୍କ ଠାରୁ ଅପରାଧ ଓ ଅପରାଧୀ ଙ୍କ ସମ୍ପର୍କରେ ସଠିକ୍ ସୂଚନା ହାସଲ କରିପାରୁଥିଲେ।ସମୟ ବହୁତ ବଦଳି ଯାଇଛି।କିନ୍ତୁ ପାଟପୁର ଗାଁ ରେ ଏହି ନିଆରା ପରମ୍ପରା ଏବେବି ବଞ୍ଚି ରହିଛି।


