ଆଜି ସ୍ୱାୟତ୍ତ ଶାସନ ଦିବସ

ଆସିକା  (ୱାଇଏନ୍‍ଏସ୍‍): ରାତି ପାହିଲେ ସୋମବାର ପାଳିତ ହେବ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ । ଗଞ୍ଜାମ ଜିଲ୍ଲାର ଅତି ପୁରାତନ ସହର ଆସିକାର ଐତିହ୍ୟ ଏବଂ ସଂସ୍କୃତି ଓ ଇତିହାସ ମହାନ୍‍ । ସହରାଞ୍ଚଳର ସୁପରିଚାଳନା ଏବଂ ନାଗରିକ କୈନ୍ଦ୍ରୀକ ସେବା ଓ ସୁବିଧା ସାଙ୍ଗକୁ ଲୋକଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଆସିଛି । ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ଆସିକା ସହରବାସୀ କେତେ ଦୂର ନାଗରିକ କୈନ୍ଦ୍ରୀକ ସେବା ଓ ସୁବିଧା ପାଇଛନ୍ତି ତାହାକୁ ନେଇ ସଚେତନ ନାଗରିକ ମହଲରେ ନାନା କଥା ଆଲୋଚିତ ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରାଯାଇସାରିଛି । ଆସିକା ପୌର ପରିଷଦ ଅଧୀନସ୍ଥ ଅଞ୍ଚଳର ପରିସୀମା ବୃଦ୍ଧି ଠାରୁ ଆରମ୍ଭ କରି ରାସ୍ତାଘାଟ, କୋଠାବାଡି, ଜନସଂଖ୍ୟା ଆଦି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସୌନ୍ଦର୍ଯ୍ୟକରଣ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆସିକା ସହର ଆଗକୁ ବଢିଛି । ତେବେ ସାଂପ୍ରତିକ ପରିସ୍ଥିତିରେ ମାଳ ମାଳ ମୌଳିକ ସମସ୍ୟା ଭିତରେ ସହରବାସୀ ଗତି କରୁଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କରାଯାଇଥିବା କେତେକ ମିଶନ୍‍ ଶକ୍ତି ଗୃହ ଠାରୁ ଆରମ୍ଭ କରି କୋରୋନେସନ୍‍ ପାର୍କରେ ତାଲା ଝୁଲୁଥିବା ବେଳେ ସେଗୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆସିକା ସହରର ସଦାସର୍ବଦା ବ୍ୟସ୍ତବହୁଳ ଖମ୍ବେଶ୍ୱରୀପାଟଣା ସ୍ଥିତ ରାମେଶ୍ୱର ମନ୍ଦିର ପରିସରରେ ଏବଂ ଶବ ବ୍ୟବଚ୍ଛେଦ ଗୃହ ଠାରୁ କିଛି ମିଟର ଦୂରରେ ଦୀର୍ଘ ମାସ ତଳେ ସ୍ଥାପିତ ହୋଇଥିବା ଶୌଚାଳୟ (ୟୁରିନାଲ୍‍)ରେ ତାଲା ଝୁଲୁଥିଲେ ବି ସେଗୁଡିକୁ କାର୍ଯ୍ୟକ୍ଷମ କରାନଯିବା ଅନ୍ତରାଳରେ କି ରହସ୍ୟ ରହିଛି ତାହା ବି ତଦନ୍ତ ସାପେକ୍ଷ୍ୟ । ଆସିକା ଘରୋଇ ବସଷ୍ଟାଣ୍ଡ ନିକଟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ସ୍ଥାପିତ ହୋଇଥିବା ଆଇ ଲଭ୍‍ ଆସିକା ପଏଣ୍ଟ ଏବଂ ହରିହର ହାଇସ୍କୁଲ ଛକ ନିକଟରେ ସ୍ଥାପିତ ହୋଇଥିବା ନର୍ତ୍ତକୀଙ୍କ ପ୍ରତିମୂର୍ତ୍ତିରେ ଉଜ୍ଜଳ ଆଲୋକ ବ୍ୟବସ୍ଥା ବନ୍ଦ ହୋଇଯାଇଥିିଲେ ମଧ୍ୟ ସେଗୁଡିକୁ କାର୍ଯ୍ୟକ୍ଷମ କରାଯାଉନାହିଁ । ସହରର ଅତି ପୁରାତନ ଯୋକବନ୍ଧ ପୋଖରୀର ପୁନରୁଦ୍ଧାର କେବେ ହେବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସିକା ପୌର ପରିଷଦ ଅଧୀନସ୍ଥ କେତେକ ୱାର୍ଡରେ ମଶାଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଯୋଗୁଁ ବହୁ ଅଞ୍ଚଳବାସୀ ଅଣନିଶ୍ୱାସୀ ହୋଇପଡିଥିବା ଆଲୋଚିତ ହେଉଛି । ଏପରିକି ସହରର ବହୁ ପ୍ରମୁଖ ରାସ୍ତା ସଂଜ ନଇଁବା ଠାରୁ ଆରମ୍ଭ କରି ପ୍ରତ୍ୟୁଷ ପର୍ଯ୍ୟନ୍ତ ବୁଲା ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି । ସହରର ବ୍ୟସ୍ତବହୁଳ ୧୩ ନମ୍ବର ୱାର୍ଡର ବିନାୟକ ବଜାର ଅଞ୍ଚଳର ବିପର୍ଯ୍ୟସ୍ତ ଡ୍ରେନେଜ୍‍ ବ୍ୟବସ୍ଥା ଯୋଗୁଁ ଅସରାଏ ବର୍ଷାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ସହରର ବହୁ ପ୍ରମୁଖ ରାସ୍ତାର କଡରେ ଉଠା ଦୋକାନୀମାନେ ପସରା ପକାଇ ବ୍ୟବସାୟ କରୁଥିବା ଯୋଗୁଁ ବିଭିନ୍ନ ସମୟରେ ଟ୍ରାଫିକ୍‍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ଆସିକା ପୌର ପରିଷଦ ଅଧୀନସ୍ଥ ହାଟପଦା ଛକ ନିକଟରେ ୧୯୮୩ ମସିହା ଜାନୁୟାରୀ ମାସ ୯ ତାରିଖରେ ଉଦ୍‍ଘାଟିତ ହୋଇଥିବା ହାଟପଦାର ବଜାରଗୃହକୁ ଅତ୍ୟାଧୁନିକ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ କରିବାର ପରିକଳ୍ପନା କରାଯାଇ ଗତ ମାର୍ଚ୍ଚ ମାସ ୯ ତାରିଖରେ ଭଙ୍ଗା ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନଥିବା ଘଟଣାକୁ ନେଇ ନାନା କଥା ଚର୍ଚ୍ଚା ହେଉଛି । ଆସିକା ପୌର ପରିଷଦର କେତେକ ଦୋକାନ ଗୃହକୁ ବହୁ ବ୍ୟକ୍ତି ସବ୍‍ଲିଜ୍‍ରେ ଦେଇଥିବା ବେଳେ ଅନ୍ୟ କେତେକ ଦୋକାନ ଗୃହକୁ ଭାଙ୍ଗି ନିଜ ଅକ୍ତିଆରକୁ ନେଇ ପଟ୍ଟା କରିସାରିଛନ୍ତି ବୋଲି ଚର୍ଚ୍ଚା ହେଉଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣି ନୀରବ ରହିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଉଥିବା ଅଭିଯୋଗ ହେଉଛି । ଆସିକା ସହରାଞ୍ଚଳର ଶାସନ ବ୍ୟବସ୍ଥାରେ ଉଲ୍ଲେଖନୀୟ ପ୍ରଗତି ଆଣିବା ସହ ପୌର ପ୍ରଶାସନକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଗତ ୨୦୨୫ ମସିହା ଅଗଷ୍ଟ ମାସ ୩୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ଏନ୍‍ଏସିକୁ ମ୍ୟୁନିସିରପାଲ୍‍ଟିର ମାନ୍ୟତା ଘୋଷଣା କରାଯାଇଥିଲା । ସରକାରଙ୍କ ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ସେତେବେଳେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା ବି କରାଯାଉଥିଲା । ରାଜ୍ୟର ଅନ୍ୟତମ ଅତି ପୁରାତନ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯୫୭ ମସିହା ନଭେମ୍ବର ମାସ ୧୫ ତାରିଖରେ ସ୍ଥାପିତ ହୋଇଥିଲା । ଗତ ୨୦୨୨ ମସିହା ମାର୍ଚ୍ଚ ମାସରୁ ନୂତନ ପାରିଷଦ ଗଠନ ହୋଇଥିଲା ବେଳେ ସହରବାସୀଙ୍କ ମୌଳିକ ସମସ୍ୟା ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ କେତେ ଦୂର ସଠିକ୍‍ ଭାବେ କାର୍ଯ୍ୟକାରୀ ହୋଇଛି ତାହାକୁ ନେଇ ସାଧାରଣରେ ଆଲୋଚିତ ହେଉଛି । ରାଜ୍ୟର ଅତି ପୁରାତନ ଆସିକା ପୌର ପରିଷଦ ଅଞ୍ଚଳରେ ବିକାଶର ରଥ ଆଗକୁ କେବେ ଗଡିବ ତାହାକୁ ନେଇ ସଚେତନ ନାଗରିକଙ୍କ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ