ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଦଲାଲଙ୍କ ପ୍ରାଦୁର୍ଭାବ
ହାଟଡିହି, (ଓ୍ବାଇଏନଏସ): ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଭୀମଭୋଇ ଭିନ୍ନକ୍ଷମ ଶିବିର ଆୟୋଜନ କରାଯାଉଛି। ଏହି ଶିବିରରେ ଭିନ୍ନକ୍ଷମଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା ରହିଛି। ତେବେ ଶୁକ୍ରବାର ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିବିରରେ ଦଲାଲଙ୍କ ପ୍ରାଦୁର୍ଭାବ ନେଇ ଅଭିଯୋଗ ଉଠିଛି। ଅଭିଯୋଗ ଅନୁଯାୟୀ, ଅଧିକ ପ୍ରତିଶତର ଭିନ୍ନକ୍ଷମ ପ୍ରମାଣପତ୍ର କରାଇଦେବା ପାଇଁ କେତେକ ଲୋକଙ୍କୁ ବାହାରୁ ଆସିଥିବା ଦଲାଲମାନେ ପ୍ରଲୋଭିତ କରୁଥିଲେ। ଏଥିପାଇଁ ଜଣ ପିଛା ପ୍ରାୟ ୫ ହଜାର ଟଙ୍କା ଡିଲ କରାଯାଉଥିବା ନେଇ ଅଭିଯୋଗ ହୋଇଛି। କେତେକ ବ୍ୟକ୍ତି ଟଙ୍କା ଦେବାକୁ ରାଜି ହେବା ପରେ ଦଲାଲମାନେ ସେମାନଙ୍କୁ ମୋବାଇଲ ନମ୍ବର ଦେଇ ରାତିରେ ଯୋଗାଯୋଗ କରିବାକୁ କହିଥିଲେ । ଏହି ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ତାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଘେରି ପଚାରିବାରୁ ସେ ଟଙ୍କା ନେବା କିମ୍ବା ପ୍ରମାଣପତ୍ର କରାଇଦେବା ପାଇଁ ନୁହେଁ, କେବଳ ଲୋକମାନଙ୍କୁ ବୁଝାଉଥିଲେ ବୋଲି ସଫେଇ ଦେଇଥିଲେ। ଏହାକୁ ନେଇ ଶିବିର ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିପରି ଶିବିରକୁ ବାହାର ବ୍ଲକରୁ ଆଉ ୩/୪ ଜଣ ବ୍ୟକ୍ତି ଆସି ଲୋକମାନଙ୍କୁ ପ୍ରଭାବିତ କରୁଥିବା ନେଇ ମଧ୍ୟ ଅଭିଯୋଗ ଶୁଣିବାକୁ ମିଳିଛି। ମୋଟା ଅଙ୍କର ଅର୍ଥ ନେଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ଅଧିକ ପ୍ରତିଶତର ଦିବ୍ୟାଙ୍ଗ ପ୍ରମାଣପତ୍ର କରାଇଦେବାର ପ୍ରତିଶ୍ରୁତି ଦିଆଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଭିନ୍ନକ୍ଷମ ଶିବିରର ସ୍ୱଚ୍ଛତା ଓ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ତେଣୁ ଜିଲ୍ଲା ପ୍ରଶାସନ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦଲାଲଙ୍କ ଭୂମିକା ଓ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି। ଏଥିସହ ପ୍ରକୃତ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିମାନେ ଯେପରି ବିନା ଅସୁବିଧାରେ ସେମାନଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ପାଇ ପାରିବେ ସେଥିପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି।


