ଟିପିଏନଓଡିଏଲ୍ରେ ଠିକା କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ପାଇଁ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) : ନେସ୍କୋ ପାୱାର ଏମ୍ପ୍ଲୟିଜ୍ ୟୁନିଅନର ନବନିଯୁକ୍ତ ସଭାପତି ତଥା ପୂର୍ବତନ ସୋର ବିଧାୟକ ପର୍ଶୁରାମ ଧଡ଼ା ଦାୟିତ୍ୱ ଗ୍ରହଣ କରିବା ଅବସରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ଏହି ପରିପ୍ରେକ୍ଷୀରେ ସଙ୍ଘର କର୍ମକର୍ତ୍ତା ମାନେ ସଭାପତି ଶ୍ରୀ ଧଡ଼ାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନେଇ ବାଲିଆ ସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ସ୍ୱତନ୍ତ୍ର ସଭାରେ ଉତ୍ତର ଓଡ଼ିଶାର ପାଞ୍ଚଟି ଜିଲ୍ଲାର ଶ୍ରମିକ ପ୍ରତିନିଧିମାନେ ଯୋଗଦେଇଥିଲେ। ସମ୍ବର୍ଦ୍ଧିତ ସଭା ଅବସରରେ ଶ୍ରୀ ଧଡ଼ା ଟିପିଏନଓଡିଏଲରେ କାର୍ଯ୍ୟରତ ଶ୍ରମିକମାନଙ୍କ ସମସ୍ୟା ଓ ସେଗୁଡ଼ିର ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଉତ୍ତର ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ ୨୦୨୧ ମସିହାରୁ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟିପିଏନଓଡିଏଲ୍ ପକ୍ଷରୁ ଉପଭୋକ୍ତା ଓ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଉଥିଲେ ବି ଦୀର୍ଘବର୍ଷ ଧରି କାର୍ଯ୍ୟରତ ଆଉଟସୋର୍ସିଂ ଓ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ପରିବର୍ତ୍ତେ ଛଟେଇ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଖର୍ଚ୍ଚକାଟ ନାମରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଛଟେଇ କରାଯାଉଥିବା ବେଳେ ଓଇଆରସିର ନିୟମ ଉଲ୍ଲଂଘନ ପୂର୍ବକ ଉଚ୍ଚ ବେତନରେ ଅନଭିଜ୍ଞ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଓଇଆରସି ନିୟମ ଅନୁସାରେ ବିଜନେସ ଆସୋସିଏଟ (ବିଏ) ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ କେବଳ ନିର୍ଦ୍ଦିଷ୍ଟ ଭାବେ ଅସ୍ଥାୟୀ କାର୍ଯ୍ୟ ପାଇଁ ନିଯୁକ୍ତି ଦେବା କଥା। ମାତ୍ର ଟିପିଏନଓଡିଏଲ୍ ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ ୧୩ ହଜାରରୁ ଉର୍ଦ୍ଧ୍ୱ ବିଏ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ପ୍ରମୁଖ କାର୍ଯ୍ୟରେ ନିୟୋଜିତ କରିଛି। ପୂର୍ବତନ ନେସ୍କୋ କର୍ମଚାରୀଙ୍କ ପ୍ରତି ଟିପିଏନଓଡିଏଲ୍ କର୍ତ୍ତୃପକ୍ଷ ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି। ଉପଭୋକ୍ତାଙ୍କୁ ବିଭିନ୍ନ ଭାବରେ ହଇରାଣ ହରକତ କରାଯାଉଛି। ବାତ୍ୟା, ବନ୍ୟା ଓ କରୋନା ମହାମାରୀ ସମୟରେ ବାଲେଶ୍ୱର, ଭଦ୍ରକ, ବାରିପଦା, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ନିରୀହ ଶ୍ରମିକମାନେ ବିଦ୍ୟୁତ୍ ସେବା ସ୍ୱାଭାବିକ ରଖି ସରକାରଙ୍କ ଦ୍ୱାରା ପ୍ରଶଂସାର ପାତ୍ର ହୋଇଥିଲେ। ମାତ୍ର ସମ୍ପ୍ରତି ଟିପିଏନଓଡିଏଲ୍ କର୍ତ୍ତୃପକ୍ଷ ମିଥ୍ୟା ଅଭିଯୋଗରେ ସେମାନଙ୍କୁ ଲାଞ୍ଛନା ଓ ମାନସିକ ଯନ୍ତ୍ରଣା ଦେଇ ବିନାଦୋଷରେ ବହିଷ୍କାର କରୁଥିବା ଶ୍ରୀ ଧଡ଼ା ଆରୋପ ଉଠାଇଥିଲେ। ବାଲେଶ୍ୱରରେ ଜନଶୁଣାଣି ସମୟରେ ଓଇଆରସି ଅଧ୍ୟକ୍ଷ ଏ ବାବଦରେ ପ୍ରଶ୍ନ କରିଥିଲେ, ମାତ୍ର ଟିପିଏନଓଡିଏଲ୍ ଏହାକୁ ଅଣଦେଖା କରିଚାଲିଛି। ଫଳରେ ନିରୀହ ଶ୍ରମିକମାନେ ଦଣ୍ଡ ଭୋଗୁଥିବା ଏବଂ ଅହେତୁକ ବିଲ୍ ଓ ସଣ୍ଡ୍ରି ଚାର୍ଜ ମାଧ୍ୟମରେ ଚାଷୀ ଓ ଉପଭୋକ୍ତାଙ୍କୁ ଅଧିକ ମାତ୍ରାରେ ଆର୍ôଥକ ବୋଝ ଲଦି ଦିଆଯାଉଥିବା ନବ ନିଯୁକ୍ତ ସଭାପତି ଶ୍ରୀ ଧଡ଼ା କ୍ଷୋଭର ସହ ପ୍ରକାଶ କରିଛନ୍ତି। ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ବେରା ଏହି ସଭାରେ ଟିପିଏନ୍ଓଡିଏଲ୍ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ଉପସ୍ଥାପନ କରିଥିଲେ। ପୂର୍ବତନ ନେସ୍କୋ କର୍ମଚାରୀଙ୍କ ଉପରେ ଥିବା ମିଥ୍ୟା ମୋକଦ୍ଦମା ଓ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର, ଗତ ୬ ମାସ ମଧ୍ୟରେ ବହିଷ୍କୃତ ସମସ୍ତ ବିଏ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଓଇଆରସି ନିର୍ଦ୍ଧାରିତ ସୀମା ଅନୁପାଳନ ପୂର୍ବକ ନୂତନ ଆଉଟ୍ସୋର୍ସିଂ ନିଯୁକ୍ତି ବନ୍ଦ ଏବଂ ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ, ତ୍ରୁଟିପୂର୍ଣ୍ଣ ବିଲ୍ ଏବଂ ବିନା ନୋଟିସ୍ରେ ଲାଇନ୍ କାଟିବା ପରମ୍ପରା ଉଚ୍ଛେଦ ଓ ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି, ଓଇଆରସିର ମାନକ ଅନୁଯାୟୀ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପ୍ରଭୃତି ଦାବି ସମ୍ପର୍କରେ ଶ୍ରୀ ବେରା ଗୁରୁତ୍ୱାରୋପ କରିଥିଲେ। ତେବେ ଦାବି ପୂରଣରେ ଟିପିଏନ୍ଓଡିଏଲ୍ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଦୃଢ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବେରା ଚେତାବନୀ ଦେଇଥିଲେ। ଅନ୍ୟପକ୍ଷରେ ଗତ ଅଗଷ୍ଟ ୨୮ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଟିପିଏନଓଡିଏଲ୍ କର୍ତ୍ତୃପକ୍ଷ ଓ ଟିପିଏନଓଡିଏଲ୍ ୱାର୍କର୍ସ ଏମ୍ପ୍ଲୟିଜ୍ ୟୁନାଇଟେଡ୍ ଫୋରମ୍ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଆଲୋଚନାର ନିଷ୍କର୍ସ ଅନୁଯାୟୀ ସମସ୍ତ ବହିଷ୍କୃତ ପୁରୁଣା ବିଏ ଆଉଟସୋର୍ସିଂ କର୍ମଚାରୀଙ୍କୁ ପୁଃନ ନିଯୁକ୍ତି ପାଇଁ ଏକ ଚୁକ୍ତିନାମାରେ ଟିପିଏନ୍ଓଡିଏଲ୍ କର୍ତ୍ତୃପକ୍ଷ ସ୍ୱାକ୍ଷର ସହ ନୂତନ ଭାବେ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ନାହିଁ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବେରା ସୂଚନା ଦେଇଥିଲେ। ସଂଘର ଉପଦେଷ୍ଟା ଜଗଦୀଶ ଚନ୍ଦ୍ର ବେହେରା ଓ ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀ, ଆଇନ ଉପଦେଷ୍ଟା ତଥା ବାଲେଶ୍ୱର ବାର ଆସୋସିଏସନର ସଭାପତି ମନୋଜ କୁମାର ନାୟକ, ଉପସଭାପତି ଅକ୍ଷୟ କୁମାର ଜେନା ଓ ଆଶୀଷ କୁମାର ଜେନା, କାର୍ତ୍ତିକେଶ୍ୱର ପାଣ୍ଡବ, ପଙ୍କଜ କୁମାର ଜେନା, ରାଜ୍ୟ ଫେଡେରେସନ୍ର ସାଧାରଣ ସମ୍ପାଦକ ସତ୍ୟବାଦୀ ବାଗ, ସମ୍ପାଦକ ଶମ୍ଭୁପ୍ରସାଦ ମହାପାତ୍ର, ସଂଘର କାର୍ଯ୍ୟକାରୀ ସଭାପତି ଆର୍ତ୍ତବନ୍ଧୁ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, ସହସମ୍ପାଦକ ସପନ କୁମାର ଦାସ, ଭରତ ଚନ୍ଦ୍ର ସେଠୀ, ଅଶ୍ୱିନୀ କୁମାର ପଣ୍ଡା ଓ ବୃନ୍ଦାବନ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ଶ୍ରମିକ ନେତା ଓ ପାଂଚଟି ଜିଲ୍ଲାର ଶ୍ରମିକ ପ୍ରତିନିଧିମାନେ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ନବ ନିଯୁକ୍ତ ସଭାପତିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶେଷରେ ସଙ୍ଘର କୋଷାଧକ୍ଷ ସୁମନ୍ତ କୁମାର ଖୁଣ୍ଟିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ।
ସାଧାରଣ ସଭାପରେ ଅପରାହ୍ନରେ ନବନିର୍ବାଚିତ ସଭାପତିଙ୍କ ସମେତ ୟୁନିୟନ୍ର କର୍ମକର୍ତ୍ତାମାନେ ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଶ୍ୟନ୍ତ କୁମାର ତ୍ୟାଗୀଙ୍କୁ ସୌଜନ୍ୟ ସାକ୍ଷାତ କରି ବିଦ୍ୟୁତ୍ ଗ୍ରାହକ ଓ ଶ୍ରମିକମାନଙ୍କ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ।


