୧୪ ବର୍ଷ ଧରି ସେବା, ମିଳୁନି ସରକାରୀ ସ୍ବୀକୃତି: ବିଧାୟକଙ୍କୁ ଯୋଗାଣ ସହାୟକଙ୍କ ଦାବିପତ୍ର ପ୍ରଦାନ
ମାଲକାନଗିରି, ( ଡଃ ଶିବ ନାରାୟଣ ପାତ୍ର): ଓଡ଼ିଶାର ସାଧାରଣ ବିତରଣ ବ୍ୟବସ୍ଥା (ପିଡ଼ିଏସ୍)କୁ ସଫଳ କରିବାରେ ଯୋଗାଣ ସହାୟକଙ୍କ ଗୁରୁତ୍ବପୂର୍ଣ ଭୂମିକା ରହିଥିଲେ ମଧ୍ଯ ଦୀର୍ଘ ୧୪ ବର୍ଷ ଧରି ସେମାନେ ଉପେକ୍ଷିତ ହୋଇ ରହିଥିବା ଅଭିଯୋଗ ହୋଇଛି। ଏନେଇ ମାଲକାନଗିରି ଜିଲ୍ଲା ଯୋଗାଣ ସହାୟକ ସଂଘ ପକ୍ଷରୁ ସୋମବାର ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ସଦସ୍ୟଙ୍କ କହିବାନୁଯାୟୀ, ଜିଲ୍ଲାର ଭିନ୍ନ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକମାନେ ଦୀର୍ଘ ବର୍ଷ ଧରି ପିଡ଼ିଏସ୍ ବ୍ୟବସ୍ଥାକୁ ସଫଳ କରିବାରେ ନିରନ୍ତର ସେବା ଯୋଗାଇ ଆସୁଛନ୍ତି। ପିଡ଼ିଏସ୍ କିଟ୍ ବିତରଣ, ଇ-କେୱାଇସି, ଆଧାର ସମ୍ପାଦନ, ତଥ୍ୟ ଏଣ୍ଟ୍ରି ଓ ହିତାଧୀକାରୀଙ୍କ ସମସ୍ୟା ସମାଧାନ ଭଳି କାର୍ଯ୍ୟରେ ସେମାନେ ନିୟୋଜିତ ଅଛନ୍ତି । ତେବେ ଦୀର୍ଘ ବର୍ଷର ସେବା ସତ୍ତ୍ୱେ ଯୋଗାଣ ସହାୟକମାନଙ୍କୁ ଉପଯୁକ୍ତ ସରକାରୀ ସ୍ବୀକୃତି ଓ ସୁବିଧା ମିଳିନଥିବାରୁ ସେମାନେ ଆର୍ଥିକ ଓ ସାମାଜିକ ସମସ୍ୟାର ସମ୍ମୁଖୀନ ହେଉଥିବା ସଂଘ ଅଭିଯୋଗ କରିଛି । ଏହି ଦାବିକୁ ବିଧାନସଭାରେ ଉପସ୍ଥାପନ କରିବା ସହ ସରକାରଙ୍କ ନିକଟରେ ସମାଧାନ ପାଇଁ ପଦକ୍ଷେପ ନେବାକୁ ସଂଘ ବିଧାୟକଙ୍କୁ ଅନୁରୋଧ କରିଛି । ଦାବିପତ୍ର ପ୍ରଦାନ ସମୟରେ ସଂଘ ସଭାପତି ସୁବଳ ବର୍ମନ, ସମ୍ପାଦକ ବାଙ୍କୀମ ଚନ୍ଦ୍ର, କୋଷାଧ୍ୟକ୍ଷ ନିରଞ୍ଜନ ସରକାର, ପତିତପାବନ ପାଢ଼ୀ, ସହଦେବ ବାଲା, ସମୀର ମିସ୍ତ୍ରୀଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


