ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା- ୨୦୨୬
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁରସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପକ୍ଷରୁ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବିଇଓ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କ୍ରୀଡ଼ାବିତ୍ମାନଙ୍କୁ ନିଷ୍ଠା, ଶୃଙ୍ଖଳା ଓ ନିୟମିତ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, ସ୍ୱତନ୍ତ୍ର ଅତିଥି ଭାବେ ପୂର୍ବତନ ଜାତୀୟ ଭାରଉତ୍ତୋଳନ କ୍ରୀଡ଼ାବିତ୍ ସୀତା କୁମାରୀ ଜେନା, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ଓ କ୍ରୀଡ଼ା ଅଧିକାରୀ ଭାଗୀରଥି ସ୍ୱାଇଁ ଏବଂ ଛତ୍ରପୁର ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ୧୩ଟି କ୍ଲଷ୍ଟର ଏବଂ ୪ଟି ଜୋନ୍ର ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିଥିଲେ। ଦୌଡ଼, ଖୋ-ଖୋ, କବାଡ଼ି, ଉଚ୍ଚଡିଆଁ, ଲମ୍ବଡିଆଁ ଓ ଯୋଗ ସମେତ ବିଭିନ୍ନ କ୍ରୀଡ଼ାରେ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ଆଗାମୀ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ।


