ବ୍ଲକ୍ ସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପି.ଏମ୍. ଶ୍ରୀ ସୁନ୍ଦରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜାତୀୟ ସ୍କାଉଟ୍ ଓ ସବୁଜ ବାହିନୀ ଆନୁକୂଲ୍ୟରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ମହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଫରେଷ୍ଟ ରେଞ୍ଜ ଅଫିସର ଶ୍ରୀ ବିମ୍ବାଧର ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷର ଅପରିହାର୍ଯ୍ୟତା ସମ୍ପର୍କରେ ସାରଗର୍ଭକ ଆଲୋକପାତ କରିଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରିବା ପ୍ରତ୍ୟେକଙ୍କ ନୈତିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଉକ୍ତ କ୍ଲବର ଗଞ୍ଜାମ ଜିଲ୍ଲା ସଂଯୋଜକ ଡ. ଶଙ୍କର ନାରାୟଣ, ସ୍ଥାନୀୟ ସରପଞ୍ଚ ଶ୍ରୀ ଗଗନ ବେହେରା, ବିଶିଷ୍ଟ ସମାଜସେବୀ ଶ୍ରୀ ଅର୍ଜୁନ ବେହେରା ଏବଂ ଫରେଷ୍ଟର ଶ୍ରୀ ବାବୁ ସେଠୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକୁ ଆଗେଇ ନେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରୋହିତ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ କେ. ଲଳିତା କୁମାରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ଓ ସାର୍ଥକ କରିଥିଲେ।


